Advertisment

ଚଣ୍ଡିଖୋଲରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା ଆଇଚର, ୭ ମୃତ

ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଏକ ଆଇଚର ପିଟିବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଏକ ଆଇଚର ପିଟିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଦୁର୍ଘଟଣାଗ୍ରସ୍ତ ଏକ ଲୁହା ଗୁଣ୍ଡ ବୋଝେଇ ଗାଡ଼ି ୪ ଦିନ ହେଲା ଛିଡ଼ା ହୋଇଛି।

ଆଜି ଭୋରରୁ ଘନ କୁହୁଡ଼ି ହୋଇଥିବା ବେଳେ କଲିକତା ପଟୁ ଦ୍ରୁତ ଗତିରେ ଏକ କୁକୁଡ଼ା ବୋଝେଇ ଆଇଚର ଗାଡ଼ି ଆସୁଥିଲା। ସେଣ୍ଟ୍ରାଲ ବ୍ୟାଙ୍କ ନିକଟରେ ତାହା ଭାରସାମ୍ୟ ହରାଇ ତାହା ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛ ପଟେ ପିଟି ହୋଇଥିଲା।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆଇଚରରେ ଥିବା  ୭ ଜଣଙ୍କ ମଧ୍ୟରୁ ଡ୍ରାଇଭରଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ  ଚାପି ହୋଇ ମୃତ୍ୟୁ ହୋଇଥିଲା। ଆଉ ଜଣେ ଟ୍ରକ୍‌ ଉପରେ ରହି ଯାଇଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ।  

ଧର୍ମଶାଳା ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଗ୍ୟାସ୍‌ କଟରରେ ଟ୍ରକ୍‌ଟିକୁ କାଟି ମୃତଦେହଗୁଡ଼ିକୁ ବାହାର କରିଥିଲେ। ଏଥିସହ ଟ୍ରକ୍‌ ଉପରେ ଗୁରୁତର ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଛି। 

  ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି। ଆଇଚର ଗାଡ଼ିଟି ପଶ୍ଚିମବଙ୍ଗର ହୋଇଥିବା ବେଳେ ମୃତକ ମଧ୍ୟ ପଶ୍ଚିମବଙ୍ଗର ହୋଇଥିବା ଅନୁମାନ କରାଯାଉଛି। 

ଏହି ଦୁର୍ଘଟଣା ପରେ  ସ୍ଥାନୀୟ ଅଞ୍ଚଳବାସୀ ତାତିବା ସହ ରାସ୍ତାରୋକ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ି ରାସ୍ତା ପାର୍ଶ୍ୱରେ ଛିଡ଼ା ହେଉଥିବା ବେଳେ ତାହାକୁ ନ ହଟାଇବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି। ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତି ପଡ଼ିଥିବା ଜଣାଯାଇଛି।

(ରିପୋର୍ଟ-ଯାଜପୁରରୁ ଗୁଲାମ ଗସ୍‌) 

Accident Jajpur Deadbody