ନିଖୋଜ ୱାର୍ଡମେମ୍ବର Photograph: (OR)
ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ ପୂର୍ବରୁ ଜଣେ ୱାର୍ଡମେମ୍ବରଙ୍କୁ ଅପହରଣ (Kidnap) କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲାରେ।
ବିଞ୍ଝାରପୁର ଥାନା ରଣପୁର ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ପଞ୍ଚାୟତର ୧୧ ଜଣ ୱାର୍ଡମେମ୍ବର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହି ଅନସ୍ଥା ପ୍ରସ୍ତାବ ଉପରେ ଅକ୍ଟୋବର ୮ ତାରିଖରେ ଭୋଟିଂ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି। ତେବେ ତା’ପୂର୍ବରୁ ନିଖୋଜ ହୋଇଯାଇଛନ୍ତି ଜଣେ ୱାର୍ଡ ମେମ୍ବର। ତାଙ୍କ ନାଁ ଧନେଶ୍ୱର ସେଠୀ।
ଯେଉଁ ୧୧ ଜଣ ୱାର୍ଡ ମେମ୍ବର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ସେମାନଙ୍କ ମଧ୍ୟରେ ଧନେଶ୍ୱର ଅଛନ୍ତି। ସେ ପଞ୍ଚାୟତର ୩ ନମ୍ବର ୱାର୍ଡର ୱାର୍ଡମେମ୍ବର। ଗତକାଲି ସେ ବିଞ୍ଝାରପୁର ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ।
ବିଞ୍ଝାରପୁରର କିଛି ଯୁବକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ପୁଷ୍ପଲତା ସେଠୀ। ସରପଞ୍ଚଙ୍କ ନିର୍ଦ୍ଦେଶରେ ଧନେଶ୍ୱରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୁଷ୍ପଲତାଙ୍କ ସହିତ ଗ୍ରାମବାସୀ ମଧ୍ୟ ଆଜି ଥାନାକୁ ଯାଇ ଧନେଶ୍ୱରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।
ରଣପୁର ପଞ୍ଚାୟତର ଅଜିତ କୁମାର ସାମଲ କହିଛନ୍ତି, ଗତକାଲି ଦିନ ପ୍ରାୟ ୧୧ଟା ବେଳେ ଧନେଶ୍ୱର ସେଠୀ ମାର୍କେଟିଂ କରିବା ପାଇଁ ବିଞ୍ଝାରପୁର ଯାଇଥିଲେ। ସେଠାରେ ସରପଞ୍ଚଙ୍କ ଗୁଣ୍ଡା ଅଜୟ ସାହୁ ଓ ଗୋବିନ୍ଦ ସାହୁ (ଦୁଇ ଭାଇ) ତାଙ୍କୁ ମାରପିଟ କରି ସେମାନଙ୍କ ଘର ପାଖକୁ ନେଇଯାଇଥିଲେ। ଆମେ ଶୁଣିବାକୁ ପାଇଛୁ ଯେ ଘର ପାଖରେ ପହଞ୍ଚିବା ପରେ ସେମାନେ ଧନେଶ୍ୱରଙ୍କୁ ପ୍ରବଳ ମାଡ଼ମାରି କରି ଜୋରଜବରଦସ୍ତ ଏକ କାର ଭିତରେ ବସାଇ ନେଇଯାଇଥିଲେ। ସେଥିପାଇଁ ଆମେ ଆଜି ବିଞ୍ଝାରପୁର ଥାନାର ଦ୍ୱାରସ୍ଥ ହୋଇଛୁ। ପୁଲିସ ତାଙ୍କୁ ଖୋଜି ବାହାର କରିବ ବୋଲି ଆମେ ଆଶା କରୁଛୁ।
ବିଞ୍ଝାରପୁର ଥାନା ଅଧିକାରୀ କହିଛନ୍ତି ଯେ ପୁଷ୍ପଲତା ସେଠୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ନିଖୋଜ ୱାର୍ଡ ମେମ୍ବରଙ୍କୁ ଠାବ କରାଯିବାକୁ ଚେଷ୍ଟା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/02/missing-person-2025-10-02-12-42-22.jpg)