Advertisment

ଆଖିରୁ ଶୁଖୁନି ଲୁହ; ବାପା, ଜେଜେମା’ ଜେଲ୍‌ ଯିବା ପରେ ସାହାରା ଖୋଜୁଛନ୍ତି ୨ ଶିଶୁ

ନିଜ କୋହକୁ ଚାପି ଜେଜେବାପାଙ୍କ ସେବା କରିବାରେ ଟିକେ ବି ହେଳା କରୁ ନ ଥିବା ଶୁଭସ୍ମିତା ସାନ ଭଉଣୀ ପାଇଁ ପାଲଟି ଯାଇଛି ମା’ । ତା’ ଉପରେ ଏବେ ପରିବାର ବୋଝ ।

author-image
Niharika Rout
ଅଦ୍ୟତନ ହୋଇଛି
Family

Family

କଅଁଳ ବୟସକୁ ମୁଣ୍ଡ ଉପରେ ଦୁଃଖର ପାହାଡ଼ । ଦୁନିଆକୁ ବୁଝିବା ଆଗରୁ ୨ ଭଉଣୀଙ୍କ ଉପରେ ମାଡ଼ି ବସିଛି ଦାୟିତ୍ୱର ବୋଝ । ପୂର୍ବରୁ ମା’କୁ ହରାଇ ସାରିଥିବା ବେଳେ ଏବେ ମା’ ହତ୍ୟା ଅଭିଯୋଗରେ ବାପା ଓ ଜେଜେମା’ ଜେଲ୍‌ରେ । ଘରେ ୮୦ ବର୍ଷୀୟ ଜେଜେ ବାପା ଥିବା ବେଳେ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ତେଣୁ ୩ ପ୍ରାଣୀ କୁଟୁମ୍ବ କିପରି ଚଳିବ, କିଏ ଦୁଇ ଓଳି ଦୁଇ ମୁଠା ଦାନା ଦେବ ତାକୁ ନେଇ ଘାରିଛି ସମସ୍ତଙ୍କୁ ଚିନ୍ତା। ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କୋରେଇ ବ୍ଲକ ଜଳନ୍ଦା ଗ୍ରାମରେ ଦେଖିବାକୁ ମିଳିଛି।

Advertisment

ଜଳନ୍ଦା ଗ୍ରାମର ସୁରେଶ ସାହୁଙ୍କ ପତ୍ନୀଙ୍କର ୨୦୧୯ ମସିହାରେ ମୃତ୍ୟୁ ହୋଇଥିଲା। ସେତେବେଳେ ସୁରେଶଙ୍କ ଶ୍ୱଶୁର ଘର ଅଭିଯୋକ୍ରମେ ପୁଲିସ୍‌ ସୁରେଶଙ୍କ ସମେତ ତାଙ୍କ ମା’ଙ୍କୁ ବି ଗିରଫ କରିଥିଲା। ମାସେ ପରେ ମା’ ଜେଲ୍‌ରୁ ବାହାରି ଆସିଥିବା ବେଳେ ୩ ବର୍ଷ ପରେ ଗତ ନଭେମ୍ବରରେ ସୁରେଶ ଜେଲ୍‌ରୁ ଆସିଥିଲେ।

Helples Girlsଦୁଇ ଭଉଣୀଙ୍କ ଆଖିରୁ ଶୁଖୁନି ଲୁହ ।

ମାତ୍ର ପ୍ରାୟ ୮ ଦିନ ପୂର୍ବେ ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏହି ମାମଲାର ରାୟ ପ୍ରକାଶ କରି ଉଭୟ ମା’ ପୁଅଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାପରେ ପୁଲିସ୍‌ ଉଭୟ ମା’ ପୁଅଙ୍କୁ ଘରୁ ଉଠାଇ ନେଇଥିବା ବେଳେ ଏବେ ବେସାହାରା ହୋଇ ଯାଇଛନ୍ତି ସୁରେଶଙ୍କ ବାପା ସମେତ ୨ ଝିଅ।

Advertisment

ସୁରେଶଙ୍କ ପିତା ପକ୍ଷାଘାତରେ ପୀଡିତ ଥିବା କାରଣରୁ ଅନ୍ୟର ସାହାରା ନ ନେଲେ ବିଛଣାରୁ ଉଠିବା ସମ୍ଭବ ହେଉନି । ସେପଟେ ସୁରେଶଙ୍କ ବଡ଼ ଝିଅ ଶୁଭସ୍ମିତା ସାହୁ ଉପରେ ଏବେ ପରିବାର ବୋଝ । ନିଜ କୋହକୁ ଚାପି ଜେଜେବାପାଙ୍କ ସେବୁ କରିବାରେ ଟିକେ ବି ହେଳା କରୁ ନ ଥିବା ଶୁଭସ୍ମିତା ସାନ ଭଉଣୀ ପାଇଁ ପାଲଟି ଯାଇଛି ମା’ । ବାପା, ଜେଜେମା’ଙ୍କୁ ପାଖରେ ନ ପାଇ ସାନ ଭଉଣୀ ଆଖିରୁ ଲୁହ ଗଡ଼ାଉଥିବା ବେଳେ ତାକୁ ବୁଝାଇବାକୁ ଦିନ ରାତି ଚେଷ୍ଟା ଚଳାଉଛି ଏହି କୁନି ଝିଅ ।

ଜେଜେମା’ଙ୍କୁ ପୁଲିସ୍‌ ବାନ୍ଧି ନେବା ପରଠୁ ଘରେ ଆଉ ଚୁଲି ଜଳୁ ନ ଥିବା କହିଛନ୍ତି ଶୁଭସ୍ମିତା। ଏପରିକି ସାହି ପଡିଶାରେ କିଏ ଦେଲେ ଖାଉଛନ୍ତି ନ ହେଲେ ଉପାସରେ ପାଣି ପିଇ ଶୋଇ ପଡୁଛନ୍ତି । ଯେତିକି ଖାଇବାକୁ ମିଳୁଛି ଜେଜେ ଓ ସାନ ଭଉଣୀକୁ ଖୁଆଇ ପରେ ନିଜ ପାଟିକୁ ନେଉଛି ଶୁଭସ୍ମିତା। ସାନ ଭଉଣୀର ମୁଣ୍ଡ କୁଣ୍ଡାଇବା, ଗାଧୋଇ ଦେବାଠୁ ଆରମ୍ଭ କରି ତା’ ହାତ ଧରି ସେ ନିତିଦିନ ସ୍କୁଲ ବି ଯାଉଛନ୍ତି। ଖୁବ୍‌ କମ୍‌ ବୟସରୁ ଜୀବନର ବହୁ ଝଡ଼ଝଞ୍ଜା ଦେଖି ସାରିଥିବା ଏହି ୨ ଭଉଣୀ ପାଠ ପଢ଼ାରେ କିନ୍ତୁ ଟିକେ ବି ହେଳା କରୁ ନାହାନ୍ତି।

Helpless Girlsସାନ ଭଉଣୀ ପାଇଁ ମା’ ପାଲଟି ଯାଇଛି ଶୁଭସ୍ମିତା ।

ବାପା, ଜେଜେମା’ ଜେଲ୍‌ ପଳାଇଛନ୍ତି । ସେମାନଙ୍କ କଥା ବହୁତ ମନ ପଡ଼ୁଛି। ଗାଁ ଲୋକେ ଯାହା ଦେଉଛନ୍ତି ଖାଉଛୁ, ନ ହେଲେ ଓପାସ ରହୁଛୁ। ଜେଜେଙ୍କୁ ୧୦ ବର୍ଷ ହେଲା ପାରାଲିସସ ହୋଇ ଯାଇଛି। ବିଛଣାରେ ପଡ଼ି ରହିଛନ୍ତି। ସରକାର କିଛି ସାହାଯ୍ୟ ନ କଲେ ଆମେ ଭାସିଯିବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ଶୁଭସ୍ମିତା।

Helpless Girlsବହୁ ଝଡ଼ଝଞ୍ଜା ସତ୍ତ୍ୱେ ପାଠ ପଢ଼ୁଛନ୍ତି ୨ ଭଉଣୀ ।

ସୁରେଶଙ୍କ ପରିବାରର ଅବସ୍ଥା ସମ୍ପର୍କରେ ଗ୍ରାମବାସୀ ଓ ସରପଞ୍ଚଙ୍କ ପକ୍ଷରୁ କୋରାଇ ବିଡ଼ିଓଙ୍କୁ ଅବଗତ କରାଯାଇଛି। ବିଡିଓ ମଧ୍ୟ ଯଥାଶୀଘ୍ର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ କୋରେଇ ବିଡିଓ ରଞ୍ଜିତ ପରିଡ଼ା କହିଛନ୍ତି, ଏହି ଘଟଣା ସମ୍ପର୍କରେ ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିଛି । ସରକାରୀ ସ୍ତରରେ ଯଥା ସମ୍ଭବ ପଦକ୍ଷେପ ନିଆଯିବ । ପିଲାମାନଙ୍କୁ ମଙ୍ଗଳ ଗୃହରେ ରଖାଯିବ । ବୃଦ୍ଧଙ୍କୁ ବୃଦ୍ଧାଶ୍ରମରେ ରଖାଯିବ ।

ଦୁର୍ଦ୍ଦିନ ଆଉ ଅଭାବ ଅସୁବିଧା ମଧ୍ୟରେ ଗତି କରୁଥିବା ଏହି ପରିବାରକୁ ଦେଖିଲେ ଗାଁ ଲୋକେ ଆଖିରୁ ଲୁହ ଗଡ଼ାଉଛନ୍ତି। ହେଲେ କିଏ କେତେଦିନ ଏହି ୩ ପ୍ରାଣୀ କୁଟୁମ୍ବ ମୁହଁରେ ଦାନା ଦେବ, ବୃଦ୍ଧଙ୍କୁ ଔଷଧ ଦେବ ତାକୁ ନେଇ ସମସ୍ତଙ୍କୁ ଘାରିଛି ଚିନ୍ତା ।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାସ

Old Age And Helplessness Helpless Girls Family Dispute