/odisha-reporter/media/post_attachments/uploads/2021/04/hnm-1.jpg)
hnm
ଯାଜପୁର(ଗୁଲାମ ଗସ୍ ):ଯାଜପୁର ଜିଲ୍ଲାର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରକୁ ବୋମାମାଡ଼ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ଦିନ ଗିରଫ ଅଭିଯୁକ୍ତ ଏକ କଳା ପଲସର ବାଇକ୍ ବ୍ୟବହାର କରିବା ସହ ନିଜେ ଗାଡି ଉପରକୁ ବୋମା ଫିଙ୍ଗିଥିବା ଯାଜପୁର ଏସପି ରାହୁଲ ପି.ଆର ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ପୂର୍ବରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗତ ୨୭ତାରିଖ ରାତିରେ ସର୍ବେଶ୍ୱର ବେହୁରା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗରରେ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେ ସେଠାରୁ କାର ଯୋଗେ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ସହ ଫେରୁଥିଲେ। ତେବେ ଧର୍ମଶାଳା ଥାନା ଇମାମନଗର ଗାଁ ଛକ ନିକଟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲେ । ଏନେଇ ତାଙ୍କ ପତ୍ନୀ ରିଲୁ ବେହୁରା ଧର୍ମଶାଳା ଥାନାରେ ଏଫ୍ଆଇଆର ଦେଇଥିଲେ । ସେଥିରେ ସେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାଁ ବି ଉଲ୍ଲେଖ କରିଛନ୍ତି।
ରିଲୁ ବେହେରା ଲେଖିଥିଲେ ଯେ, ତାଙ୍କ ସ୍ୱାମୀ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଧର୍ମଶାଳା ବ୍ଲକ୍ରେ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତିର ଖୁଲାସା କରିଛନ୍ତି। ପିଡିଏସ୍ ଦୁର୍ନୀତି କଥା ଲୋକଲୋଚନକୁ ଆଣିଛନ୍ତି। ଧର୍ମଶାଳା ତହସିଲ ଅଧୀନରେ ଥିବା ବିଚ୍ଛାଖଣ୍ଡି ଓ ଡଙ୍କାରୀ ପାହାଡ଼ରେ ହୋଇଥିବା କୋଟି କୋଟି ଟଙ୍କାର ଖଣି ଲୁଟ୍ ଦୁର୍ନୀତିର ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଏହା ସହିତ ବିଚ୍ଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ ଖଣି ଖନନ, ଆରୁହା ପାହାଡ଼ରେ ଚାଲିଥିବା କଳା ପଥର ଚୋରି, ସରକାରୀ ଅନୁମୋଦନ ନଥାଇ ଯାଜପୁର ଜିଲ୍ଲାରେ ଚାଲିଥିବା କ୍ରସର ୟୁନିଟ୍ ଏବଂ ଗତ ବନ୍ୟା ସମୟରେ କେଲୁଅ ନଦୀବନ୍ଧ ନିର୍ମାଣରେ ହୋଇଥିବା ଦୁର୍ନୀତିକୁ ଚପେଇ ଦେବା ପାଇଁ ଏହାକୁ ଡିନାମାଇଟ୍ ଲଗାଇ ଉଡ଼ାଇ ଦେବା ଆଦି ପ୍ରସଙ୍ଗରେ ତାଙ୍କ ସ୍ୱାମୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ସବୁ ଖଣି ଚୋରି ଘୋଟାଲାରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଖଣିମାଫିଆମାନେ ସଂପୃକ୍ତ ଥିବା ତାଙ୍କ ସ୍ୱାମୀ ସର୍ବେଶ୍ୱର ଅଭିଯୋଗ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଆସୁଥିଲେ। ତେଣୁ ଗୁଣ୍ଡା ଲଗାଇ ତାଙ୍କୁ ବୋମା ମାଡ଼ କରାଯାଇଥିବା ସର୍ବେଶ୍ୱରଙ୍କ ପତ୍ନୀ ଅଭିଯୋଗ କରିଥିଲେ। ଏହା ସହିତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଖଣିମାଫିଆଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସର୍ବେଶ୍ୱରଙ୍କ ପତ୍ନୀ ନିବେଦନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
