Advertisment

ଟ୍ରେନ୍‌ ୱାଗନ ତଳେ ବସିଥିଲେ; ପବନ ଦେବାରୁ କଟିଗଲେ ୬ ଶ୍ରମିକ

ଆଜି ଅପରାହ୍ନ ୪ଟା ବେଳେ ଯାଜପୁର ରୋଡ ଷ୍ଟେସନରେ ଏହି ଅଘଟଣ ଘଟିଥିଲା।

ଅଦ୍ୟତନ ହୋଇଛି
Train accident

Train accident

Advertisment

ଜୋର ବର୍ଷା ପବନରୁ ରକ୍ଷା ପାଇବାକୁ ୭ ଶ୍ରମିକ ମାଲବାହୀ ଟ୍ରେନ୍‌ ୱାଗନ ତଳେ ପଶି ଯାଇଥିଲେ। ହେଲେ ୱାଗନଗୁଡ଼ିକ ଗଡ଼ି ଯିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ୪ଟା ବେଳେ ଯାଜପୁର ରୋଡ ଷ୍ଟେସନରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ବନ୍ଦାଳୋ ପଞ୍ଚାୟତ ଗମ୍ଭାରିଆ ଅଞ୍ଚଳର ଗୌତମ ସାମଲ, ମାନସ ସାମଲ, ବାଲିଆପାଳ ଗ୍ରାମର ପ୍ରଶାନ୍ତ ଜେନା, ଭୀମସେନ ଜେନା, ସୁଶାନ୍ତ ଜେନା ଏବଂ ମୁକୁନ୍ଦପୁର ପଞ୍ଚାୟତ ଓଷଳା ଗ୍ରାମର ଦୋଳଗୋବିନ୍ଦ ପ୍ରଧାନ। ଗୁରୁତର ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋରୀର ଅଞ୍ଚଳର ଅମର ସାହୁ ଓ ନବଘନ ବାରିକ।

Advertisment

ସୂଚନା ମୁତାବକ, ୱାଗନଗୁଡ଼ିକ ଦୀର୍ଘ ଦିନ ଧରି ଯାଜପୁର ରୋଡ୍ ଷ୍ଟେଶନର ସେପ୍ଟି ଲାଇନ୍‌ରେ ଅଟକି ରହିଥିଲା। ଏଥିରେ ଇଂଜିନ୍ ଲାଗି ନଥିଲା। ରେଳ ଟ୍ରାକ୍‌ ମରାମତି ନିମନ୍ତେ ମୁତୟନ ଥିବା ଶ୍ରମିକମାନେ ବର୍ଷା ପବନ ଆସିବାରୁ ମାଲବାହୀ ଟ୍ରେନ୍‌ ୱାଗନ ତଳେ ପଶି ଯାଇଥିଲେ। ଏହି ସମୟରେ ଜୋର ପବନ ହେବାରୁ ୱାଗନଗୁଡ଼ିକ କିଛି ବାଟ ଗଡ଼ି ଯାଇଥିଲା। ଏହି ସମୟରେ ଶ୍ରମିକମାନେ ୱାଗନ ତଳୁ ବାହାରିବାକୁ ଚେଷ୍ଟା କରିବା ବେଳେ ଲୁହା ଚକାତଳେ ଚାପି ହୋଇ ଯାଇଥିଲେ।

ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନିଆଯାଇଛି।

Advertisment

ତେବେ କାହାର ଅବହେଳାରୁ ଅଘଟଣ ଘଟିଲା ସେନେଇ ରେଲୱେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ଘଟଣାସ୍ଥଳରେ ଜନଅସନ୍ତୋଷ ଦେଖାଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ରେଳ ଧାରଣାରେ ଥିବା ପ୍ରାୟ ୧୦ଟି ୱାଗନ ମଧ୍ୟରୁ କିଛି ମାଲ ଥିବା ବେଳେ କିଛି ଖାଲି ଥିଲା। ୱାଗନଗୁଡ଼ିକ ନଗଡ଼ିଯିବା ନିମନ୍ତେ କୌଣସି ଜାମ୍‌ କିମ୍ବା ବ୍ରେକ୍ ଦିଆଯାଇ ନ ଥିଲା। ଫଳରେ ଏତେବଡ଼ ଅଘଟଣ ଘଟିଥିବା କୁହାଯାଉଛି।

ସୂଚନା ଥାଉକି, ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେଶନ ନିକଟରେ ଦୁର୍ଘଟଣା ଘଟି ୨୮୮ ଯାତ୍ରୀଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଯାହା ଉଦ୍‌ବେଗର ବିଷୟ ହୋଇଛି।

Jajpur Unnatural Death Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe