Advertisment

ପତ୍ନୀଙ୍କୁ ଖାସ ଉପହାର; ସ୍ୱାମୀ ତୋଳି ଦେଲେ ୭ କୋଟିର ମନ୍ଦିର

ସୁନା, ଅଳଙ୍କାର ନୁହେଁ ଏକ ଛୋଟ ସନ୍ତୋଷୀ ମା’ଙ୍କ ମନ୍ଦିର ନିର୍ମାଣ କରି ଦେବାକୁ ସ୍ୱାମୀଙ୍କ ନିକଟରେ ଜିଦ୍‌ କରିଥିଲେ ପତ୍ନୀ। ସ୍ୱାମୀ ବି ପତ୍ନୀଙ୍କ କଥାରେ ସହମତ ପ୍ରକାଶ କଲେ। ଆଉ ଏ ଛୋଟ ମନ୍ଦିରର କାମ ଆରମ୍ଭ କରୁ କରୁ ତାହା କେବେ ଯେ ବିଶାଳ ରୂପ ନେଲା ତାହା କେହି ଜାଣି ପାରିଲେନି।

author-image
Niharika Rout
ଅଦ୍ୟତନ ହୋଇଛି
Maa Santoshi Temple

Maa Santoshi Temple

ସୁନା, ଅଳଙ୍କାର ନୁହେଁ ଏକ ଛୋଟ ସନ୍ତୋଷୀ ମା’ଙ୍କ ମନ୍ଦିର ନିର୍ମାଣ କରି ଦେବାକୁ ସ୍ୱାମୀଙ୍କ ନିକଟରେ ଜିଦ୍‌ କରିଥିଲେ ପତ୍ନୀ। ସ୍ୱାମୀ ବି ପତ୍ନୀଙ୍କ କଥାରେ ସହମତ ପ୍ରକାଶ କଲେ। ଆଉ ଏକ ଛୋଟ ମନ୍ଦିରର କାମ ଆରମ୍ଭ କରୁ କରୁ ତାହା କେବେ ଯେ ବିଶାଳ ରୂପ ନେଲା ତାହା କେହି ଜାଣି ପାରିଲେନି।

Advertisment

ପ୍ରାୟ ୧୫ ବର୍ଷ ପୂର୍ବେ ୩୦ ଲକ୍ଷ ବଜେଟରୁ ଆରମ୍ଭ ହୋଇଥିବା ମନ୍ଦିର କାମ ୭ କୋଟିରେ ଶେଷ ହୋଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକ୍କଣା ଗ୍ରାମରେ ଏହି ବିଶାଳକାୟ ଓ ଦକ୍ଷିଣ ଭାରତୀୟ ଶୈଳୀରେ ସୁଉଚ୍ଚ ସନ୍ତୋଷୀ ମା’ଙ୍କ ମନ୍ଦିର ନିର୍ମିତ ହୋଇଛି ।  

ଯାଜପୁର ଜିଲ୍ଲାର କ୍ଷେତ୍ରବାସୀ ଲେଙ୍କା ହାଇଦ୍ରାବାଦରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ପରିବାର ସହ ସେଠାରେ ରୁହନ୍ତି। ତାଙ୍କ ପତ୍ନୀ ବୈଜୟନ୍ତୀ ଲେଙ୍କା ଛୋଟ ବେଳୁ ସନ୍ତୋଷୀ ମା’ଙ୍କ ଉପାସନା କରୁଥିଲେ। ହେଲେ ନିଜ ଘର ନ ଥିବାରୁ ପଡ଼ୋଶୀଙ୍କ ଘରେ ମା’ଙ୍କ ଫଟୋ ରଖି ପୂଜା କରୁଥିବାରୁ ସେ ଫଟୋ ଫୋପାଡ଼ି ଦେଇଥିଲେ। ଏହା ତାଙ୍କୁ ଖୁବ୍‌ ବାଧିଥିଲା।

Advertisment
Couple constructed templeକ୍ଷେତ୍ରବାସୀ ଲେଙ୍କା ଓ ପତ୍ନୀ ବୈଜୟନ୍ତୀ ଲେଙ୍କା।

ଏହାପରେ ସେ ବ୍ୟବସାୟୀ କ୍ଷେତ୍ରବାସୀ ଲେଙ୍କାଙ୍କୁ ବିବାହ କରିଥିଲେ। ବିବାହ ପରେ ଅଳଙ୍କାର କିମ୍ବା ଦାମୀ ଜିନିଷ ପାଇଁ ସ୍ୱାମୀଙ୍କ ନିକଟରେ ଦାବି ନ ଜଣାଇ ଗାଁରେ ଏକ ସନ୍ତୋଷୀ ମା’ଙ୍କ ମନ୍ଦିର ତୋଳି ଦେବାକୁ ସ୍ୱାମୀଙ୍କୁ ଅନୁରୋଧ କରିଥିଲେ। ପତ୍ନୀଙ୍କୁ ଖୁବ୍‌ ଭଲ ପାଉଥିବା କ୍ଷେତ୍ରବାସୀ ଏଥିରେ ରାଜି ହୋଇଗଲେ।

 ୨୦୦୮ ମସିହାରେ ଗାଁରେ ମନ୍ଦିର ପାଇଁ ହେଲା ଭୂମି ପୂଜା। ପ୍ରଥମେ ଏଥିନିମନ୍ତେ ୩୦ ଲକ୍ଷ ବ୍ୟୟ ଅଟକଳ ସ୍ଥିର କରାଯାଇଥିଲା। ମାତ୍ର ସମୟ ଗଡ଼ିବା ସହ ମନ୍ଦିର ନିର୍ମାଣ ଖର୍ଚ୍ଚ ମଧ୍ୟ ବଢ଼ି ଚାଲିଲା। ପ୍ରାୟ ୧୫ ବର୍ଷ ପରେ ମନ୍ଦିର ନିର୍ମାଣ କାମ ଶେଷ ହେବାକୁ ବସିଥିବା ବେଳେ ସମୁଦାୟ ଖର୍ଚ୍ଚ ୭ କୋଟିରେ ପହଞ୍ଚିଲାଣି।

ସମ୍ପୂର୍ଣ୍ଣ ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ଏହି ମନ୍ଦିରରେ ବେଶ୍‌ ସୁକ୍ଷ୍ମ କାରୁକାର୍ଯ୍ୟ କରାଯାଇଛି। ଏହାବାଦ ପାର୍ଶ୍ୱ ଦେବାଦେବୀ ଭାବେ ଶିବ, ଗଣେଶ, ହନୁମାନ, ନବଗ୍ରହ ମନ୍ଦିର ମଧ୍ୟ ନିର୍ମିତ ହୋଇଛି।

Maa Santshi Templeଚିକ୍କଣା ଗ୍ରାମରେ ନିର୍ମିତ ମା’ ସନ୍ତୋଷୀଙ୍କ ମନ୍ଦିର ।

ଏନେଇ କ୍ଷେତ୍ରବାସୀ ଲେଙ୍କା କହିଛନ୍ତି, ମୋ’ ସ୍ତ୍ରୀ ଛୋଟ ବେଳୁ ସନ୍ତୋଷୀ ମା’ଙ୍କ ଭକ୍ତ। ବିବାହ ବେଳଠୁ ଗାଁରେ ଏକ ଛୋଟ ସନ୍ତୋଷୀ ମନ୍ଦିର କରିବା ନିମନ୍ତେ ମୋ’ ପତ୍ନୀ ମୋତେ କହିଥିଲେ । ହେଲେ ଛୋଟରୁ ଏହା କେତେବେଳେ ଏତେ ବଡ଼ ପ୍ରୋଜେକ୍ଟ ହୋଇଗଲା ତାହା ଆମେ ଜାଣି ପାରିଲୁନି।

୨୦୦୮ ମାର୍ଚ୍ଚ ୧୦ରେ ଭୂମି ପୂଜା ହୋଇଥିଲା । ୨୦୧୪ ପର୍ଯ୍ୟନ୍ତ କାମ ଫୁଲ୍‌ ଦମରେ ଚାଲିଥିଲା। ବ୍ୟବସାୟରେ କ୍ଷତି ହେବାରୁ କିଛି ବର୍ଷ କାମ ବନ୍ଦ ହୋଇଗଲା। ହେଲେ ଏହାପରେ ପୁଣି ଥରେ କାମ ଆରମ୍ଭ କରିଥିବା ବେଳେ ଏବେ ଏହା ଶେଷ ହେବାକୁ ବସିଛି।

ନିଜ ସ୍ୱପ୍ନ ବାସ୍ତବ ରୂପ ନେବା ପରେ ବୈଜୟନ୍ତୀ ଲେଙ୍କା କହିଛନ୍ତି, ଏହା ମୋ’ ସ୍ୱାମୀଙ୍କର ମୋତେ ସବୁଠୁ ଖାସ୍‌ ଉପହାର। ସେ ମୋ’ ସ୍ୱପ୍ନକୁ ସାକାର କରିଛନ୍ତି। ମୋର ଆଉ କିଛି ଆବଶ୍ୟକ ନାହିଁ।

Jajpur