ଯିବା ବେଳେ ଟିଫିନ୍ ସଜାଡିକି ଦେଇଥିଲି। ସ୍ୱାମୀ କହିଯାଇଥିଲେ ଶୀଘ୍ର ଫେରି ଆସିବି। ଛୁଆଙ୍କର ବହି ଓ ଜୋତା ଆଣିବେ ବୋଲି କହିଥିଲେ। ହେଲେ ସେ ଫେରିଲେନି। ଯାଜପୁର ରୋଡ୍ ରେଳ ଷ୍ଟେସନରେ ଗତକାଲି ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଜେନାଙ୍କ ପତ୍ନୀ ଗୀତାଞ୍ଜଳି ଜେନା ଲୁହ ଛଳଛଳ ଆଖିରେ ଏହା କହିଛନ୍ତି। ଖାଲି ଏମାନେ ନୁହଁନ୍ତି ଯାଜପୁରର ଟ୍ରେନ ଟ୍ରାଜେଡି ଦୋହଲାଇ ଦେଇଛି ସମସ୍ତ ୬ ମୃତ ଓ ୨ ଗୁରୁତର ହୋଇଥିବା ଶ୍ରମିକଙ୍କ ପରିବାରକୁ। ସମସ୍ତଙ୍କ ଘରେ ପଡ଼ିଛି କାନ୍ତବୋବାଳି। ଝୁରିଝୁରି ବୁକୁ ଫଟାଇ କାନ୍ଦୁଛନ୍ତି, ପତ୍ନୀ, ମା’ ଓ ସେମାନଙ୍କ ପିଲାମାନେ।
ଛିଡ଼ା ହୋଇଥିବା ମାଲଗାଡ଼ିର ବଗି ମାଡ଼ିଯାଇ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶରୀରକୁ ଯେଭଳି ଖଣ୍ଡ ବିଖଣ୍ଡ କରି ମାରିଦେଲା, ଭାବିଲେ ଦେହ ଶୀତେଇ ଉଠୁଛି। ଖଟିଲେ ଯେଉଁ ପରିବାରରେ ଚୁଲି ଜଳେ, ମେହନତି ମଣିଷଙ୍କ ଆବର୍ତ୍ତମାନରେ ଲୁହ ଆଉ କୋହ ଭିତରେ ଏବେ ଭାଙ୍ଗି ପଡ଼ିଛି ସେହି ପରିବାର। କିନ୍ତୁ କାହା ଅବହେଳାରୁ ଘଟିଗଲା, ଏତେବଡ଼ ଅଘଟଣ ? ତାହା ଜଣା ପଡ଼ିନଥିବାବେଳେ ରେଲୱେ ଖୋଳତାଡ଼ ଚଳାଇଛି।
ଯାଜପୁର ବନ୍ଦାଳ ପଞ୍ଚାୟତର ପ୍ରଶାନ୍ତ ଜେନାଙ୍କ ପତ୍ନୀର ମୁଣ୍ଡ ଉପରେ ତ ସତେଯେମିତି ଛିଣ୍ଡିପଡ଼ିଛି ଆକାଶ। ଗଲାବେଳେ ସ୍ୱାମୀ ପ୍ରଶାନ୍ତଙ୍କୁ କହିଥିଲେ, ଝିଅ ପାଇଁ ଗପ ବହିଟିଏ ଦରକାର ଅଛି, ଆଣିଦେବାକୁ। ହେଲେ ପ୍ରଶାନ୍ତ ଆସିଲେନି। ପତ୍ନୀ ଓ ପରିବାର ହାତରେ ଆଜୀବନ ପାଇଁ ଧରାଇ ଦେଇଗଲେ ସଂସାର ଉଜୁଡ଼ାର କୋହଭରା ଗପ।
ପ୍ରଶାନ୍ତଙ୍କ ସାହି ଲୋକେ କହିଛନ୍ତି, ପ୍ରଶାନ୍ତ ଚାଲିଯିବା ପରେ ଏହି ପରିବାର ଉପରୁ ଯେମିତି ଛାତ ଉଡ଼ି ଯାଇଛି। ଏବେ ୩ ଝିଅ ଓ ଗୋଟିଏ ପୁଅକୁ ନେଇ କେମିତି ବଞ୍ଚିବେ ଗୀତାଞ୍ଜଳି। ଦିବ୍ୟାଙ୍ଗ ବଡ଼ଝିଅକୁ କେମିତି ସମ୍ଭାଳିବେ। ଚାରିଦିଗ ତାଙ୍କୁ ଅନ୍ଧାର ଦିଶୁଛି। ତେଣୁ ଯେଉଁ ରେଳ ବିଭାଗରେ ଦୀର୍ଘ ୨୦ ବର୍ଷ ହେବ ପ୍ରଶାନ୍ତ କାମ କରୁଥିଲେ, ସେମାନେ ଏହି ପରିବାରକୁ ସହାୟତା ଦିଅନ୍ତୁ।
ଗୀତାଞ୍ଜଳିଙ୍କ ଭଳି ବନ୍ଦାଳ ଓ ମୁକୁନ୍ଦପୁର ପଞ୍ଚାୟତର ଅନ୍ୟ ପାଞ୍ଚ ଶ୍ରମିକଙ୍କ ପରିବାରରେ ବି ଏଭଳି ଶୋକାକୁଳ ସ୍ଥିତି। କାରଣ ଖଟିଲେ ସେମାନଙ୍କ ଘରେ ଚୁଲି ଜଳେ। ହାଡ଼ ଭଙ୍ଗା ପରିଶ୍ରମ କଲେ ଚାଖଣ୍ଡେ ପେଟ ପୂରେ। ଦୁଇମୁଠା ଦାନା ଯୋଗାଡ଼ ପାଇଁ ଯାଇ ବନ୍ଦାଳ ପଞ୍ଚାୟତର ପ୍ରଶାନ୍ତଙ୍କ ସମେତ ଗୌତମ ସାମଲ, ମାନସ ସାମଲ, ଭୀମସେନ ଜେନା, ସୁଶାନ୍ତ ଜେନା ଏବଂ ମୁକୁନ୍ଦପୁର ପଞ୍ଚାୟତର ଦୋଳଗୋବିନ୍ଦ ପ୍ରଧାନ ଯାଜପୁର ରୋଡ ରେଳଷ୍ଟେସନ ଚୂନଭାଟି ପ୍ଲଟ ନିକଟରେ କାମ କରୁଥିଲେ।
ଲୁହ ଛଳଛଳ ଆଖିରେ ମୃତ ଭୀମସେନଙ୍କ ପତ୍ନୀ ସୁମତୀ ଜେନା କହିଛନ୍ତି, ଗୋଟିଏ ବକତ ଖାଇବାକୁ ଭାତ ସଜାଡ଼ି ଦେଇଥିଲି। ୧୨ଟା ବେଳକୁ ଆସିବେ ବୋଲି କହିଥିଲେ। ସେଥିପାଇଁ ସାଗ ଭାଜିକି ରଖିଥିଲି। ସେ ମଦରଙ୍ଗା ସାଗ ଭାରି ଭଲ ପାଆନ୍ତି। ହେଲେ ସେ ଆସିଲେନି।
କାଳବୈଶାଖୀ ମାଡ଼ିଆସିବାରୁ ସେଫ୍ଟି ଲାଇନରେ ଛିଡ଼ା ହୋଇଥିବା ବଗି ତଳେ ଆଶ୍ରୟ ନେଇଥିଲେ ଏମାନେ। ତେବେ ପବନ ଯୋଗୁ ଇଞ୍ଜିନ ବିହୀନ ବଗି ଗୁଡ଼ିକ ଗଡ଼ିବା ସହ ମାଡ଼ିଯାଇଥିଲା ୮ ଜଣ ଶ୍ରମିକଙ୍କ ଉପରେ। ଆଉ ଚାଲିଯାଇଥିଲା ୬ ଜଣଙ୍କ ଜୀବନ।
ଏହି ଦୁର୍ଭାଗ୍ୟଜନକ ଘଟଣାର ଏବେ ଚାଲିଛି ଖୋଳତାଡ଼। ଆଜି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚି ତଦନ୍ତ କରିଛନ୍ତି ରେଲୱେ ସେଫଟି ଟିମ୍। ହେଲେ ବାହାନଗା ରେଳ ଟ୍ରାଜେଡି ଭଳି ଏହି ବଡ଼ ଦୁର୍ଘଟଣାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। କାହା ଭୁଲ ଯୋଗୁ ଅଘଟଣ ଘଟିଲା ଓ ୱାଗନ୍ଗୁଡ଼ିକ ରହିଥିବା ସ୍ଥାନରୁ ୧୦୦ ମିଟର ମନକୁ ଗଡ଼ିଗଲା ତାହା ରେଳ ବିଭାଗ ଅଧିକାରୀ ସ୍ପଷ୍ଟ କରୁନାହାନ୍ତି। କେବଳ ଗୋଟିଏ ଉତ୍ତର ତଦନ୍ତ ଚାଲିଛି। ଘଟଣା ପରେ ୪ ଜଣିଆ ଟିମ୍ ତଦନ୍ତ କରିଛନ୍ତି। ଆଉ ଏହି ଖୋଳତାଡ଼ ଭିତରେ ଲୁହା ଆଉ କାଠର ଲକ୍ ଲଗାଇ ମାଲଗାଡ଼ିର ବଗି ଗୁଡ଼ିକୁ ଏମିତି ରଖିଛି ରେଲୱେ ବିଭାଗ।
ତେଣୁ ପ୍ରଶ୍ନ ଉଠିଛି ସେଫ୍ଟି ଲାଇନରେ କେତେଦିନ ଧରି ପଡ଼ିରହିଥିଲା ଇଞ୍ଜିନ ବିହୀନ ମାଲଗାଡ଼ି ? କାହିଁକି ନଥିଲା ଲକିଂ ସିଷ୍ଟମ ? କେଉଁ ପରିସ୍ଥିତିରେ ଟ୍ରାକରେ ଗଡ଼ିଥିଲା ବଗି ?
ସ୍ଥାନୀୟ ବାସିନ୍ଦା ଉମାକାନ୍ତ ରାଉତ କହିଛନ୍ତି, ପ୍ରାୟ ୧୦ ବର୍ଷ ହେବ ଏହି ୱାଗନ୍ ଏଠାରେ ବିନା ଲକ୍ରେ ପଡ଼ି ରହିଥିଲା। ଡବା ଭିତରେ ଦୁବ ଓ ଅନ୍ୟ ଗଛ ଉଠି ଗଲାଣି। ଯେଉଁଦିନ ଯେଉଁ ସମୟରେ ଘଟଣା ଘଟିଲା ତାହାର ୨୦ ମିନିଟ୍ ପରେ ଯାତ୍ରୀବାହି ଡିଏମ୍ୟୁ ଟ୍ରେନ୍ ପାସ୍ କରିଥିଲା। ଏହି ୱାଗନର ମାତ୍ର ୧୦ ମିଟର ଦୂରରେ ଏହି ଟ୍ରେନ୍ ପାସ୍ କରିଥିଲା। ସୌଭାଗ୍ୟକୁ କିଛି ହୋଇନି। ନଚେତ ବାହାନଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା।
ନିୟମ କହୁଛି, ସେଫ୍ଟି ଲାଇନରେ ରଖାଯାଇଥିବା ବଗି ଗୁଡ଼ିକୁ ସ୍କିଡ୍ କିମ୍ବା ଚେନ୍ ଦ୍ୱାରା ଲକ୍ କରି ରଖାଯାଏ। ଆରପିଏଫ୍ ଏହାର ତଦାରଖ ମଧ୍ୟ କରିଥାଏ। ହେଲେ ପ୍ରାୟ ସ୍ଥାନରେ ଢିଲା ମେଲା ଅବସ୍ଥାରେ ପଡ଼ିଛି ଇଞ୍ଜିନ୍ ବିହୀନ ମାଲଗାଡ଼ି ୱାଗନ୍ ଓ ଯାତ୍ରୀ ବାହି ବଗି। ଏହା ତଦାରଖ କରାଯାଉନି କିମ୍ବା ଲକ୍ ମଧ୍ୟ କରାଯାଉନି। ଖୋର୍ଦ୍ଧା ଟାଉନ ଷ୍ଟେସନରୁ ଏଭଳି ଦୃଶ୍ୟ ଆଜି ନଜର ଆସିଛି। ଯେଉଁଠି ମାସ ମାସ ଧରି ବଗି ଗୁଡ଼ିକ ଏମିତି ଛିଡ଼ା ହୋଇ ରହୁଥିଲେ ବି ନା କୌଣସି ଲକିଂ ସିଷ୍ଟମ ଅଛି ନା କୌଣସି ସୁରକ୍ଷା ବ୍ୟବସ୍ଥା। କିନ୍ତୁ ଷ୍ଟେସନ୍ କର୍ତ୍ତୃପକ୍ଷ କହୁଛନ୍ତି, ସୁରକ୍ଷିତ ଭାବେ ଲକ୍ କରି ବଗି ଗୁଡ଼ିକୁ ରଖାଯାଉଛି।
ଖୋର୍ଦ୍ଧା ଟାଉନ ଷ୍ଟେସନ ଷ୍ଟେସନ ସୁପରିନଟେଣ୍ଡେଣ୍ଟ ରବିନ୍ଦ୍ର କୁମାର ମତ୍ତଗଜ ସିଂହ କହିଛନ୍ତି, ଏହି ଇଞ୍ଜିନ୍ ବିହୀନ ମାଲଗାଡ଼ିକୁ ଲକ୍ କରାଯାଇଛି। ତଦାରଖ ଦାୟିତ୍ୱ ଆରପିଏଫ୍କୁ ଦିଆଯାଇଛି।