Advertisment

ଗହଣା ଶୋ’ରୁମ୍‌ ଡକାୟତି ମାମଲା: ସବୁ ନେଲେ, ଗୋଟିଏ କମ୍ପ୍ୟୁଟର ହାର୍ଡ ଡିସ୍କ ଭୁଲିଗଲେ

ଡକାୟତିରେ ପ୍ରାୟ ୭ ଜଣ ବନ୍ଧୁକଧାରୀ ଡକାୟତଙ୍କ ସମ୍ପୃକ୍ତିଥିବା ଅଭିଯୋଗ ହେଉଥିବା ବେଳେ ୩ ଜଣଙ୍କ ଫଟୋକୁ ଟ୍ରାକ୍‌ କରିପାରିଛି ପୁଲିସ।

ଅଦ୍ୟତନ ହୋଇଛି
3 Robber detected.

3 Robber detected.

Advertisment

ଯାଜପୁର ବ୍ୟାସନଗର ସହରରେ ସେନକୋ ଗହଣା ଶୋ’ରୁମ୍‌ରୁ ଡକାୟତମାନେ ୧୫ କେଜି ସୁନା ଅଳଙ୍କାର ଲୁଟି ନେଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ। ତଦନ୍ତ ବେଳେ ପୁଲିସ ଯେପରି କୌଣସି ତଥ୍ୟପ୍ରମାଣ ନ ପାଇବ ସେଥିନିମନ୍ତେ ଗହଣା ଶୋ’ରୁମ୍‌ରେ ଲାଗିଥିବା ସମସ୍ତ ସିସିଟିଭି ସମେତ ସିସିଟିଭି ଫୁଟେଜ୍‌ ରେକର୍ଡ କରି ରଖୁଥିବା କମ୍ପ୍ୟୁଟରମାନଙ୍କ ହାଡ୍‌ଡିସ୍କ ଖୋଲି ନେଇଥିଲେ ଡକାୟତମାନେ। ତେବେ ଚୋର ଯେତେ ଚାଲାକ ହେଲେ ବି ପ୍ରମାଣ ଛାଡ଼ିଯିବା ଉକ୍ତିକୁ ସତ୍ୟ ପ୍ରମାଣିତ କରି ସେମାନେ ଗୋଟିଏ କମ୍ପ୍ୟୁଟରର ହାର୍ଡ ଡିସ୍କ ନେବାକୁ ଭୁଲି ଯାଇଥିଲେ। ଆଉ ସେହି ହାର୍ଡ ଡିସ୍କରୁ ଡକାୟତମାନଙ୍କ ଗତବିଧିର ସୁରାକ ପାଇଛି ପୁଲିସ। ଏହି ହାର୍ଡ ଡିସ୍କରୁ ଡକାୟତି ସମୟର ସିସିଟିଭି ଫୁଟେଜ ମିଳିଛି। ଯାହାକୁ ତନ୍ନତନ୍ନ କରି ପୁଲିସ ଯାଞ୍ଚ କରିଛି। ଡକାୟତିରେ ପ୍ରାୟ ୭ ଜଣ ବନ୍ଧୁକଧାରୀ ଡକାୟତଙ୍କ ସମ୍ପୃକ୍ତିଥିବା ଅଭିଯୋଗ ହେଉଥିବା ବେଳେ ୩ ଜଣଙ୍କ ଫଟୋକୁ ଟ୍ରାକ୍‌ କରିପାରିଛି ପୁଲିସ। ଏମାନଙ୍କ ଫଟୋକୁ ବିଜ୍ଞପ୍ତି ଜରିଆରେ ସର୍ବସାଧାରଣଙ୍କ ପାଇଁ ଜାରି କରିଛି ପୁଲିସ। ଏମାନଙ୍କୁ ଯେକେହି ପୁଲିସ ହାତରେ ଧରାଇ ଦେବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଛି।

Advertisment

ସେପଟେ ଡକାୟତମାନଙ୍କୁ ଧରିବା ପାଇଁ ଏସପିଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍ ଗଠନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରହିଛି। ଏହି ଡକାୟତମାନେ ଡକାୟତି କରିବା ବେଳେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ତେଣୁ ଏମାନେ ଆନ୍ତଃରାଜ୍ୟ ଡକାୟତ ବୋଲି ପୁଲିସ ସନ୍ଦେହ କରୁଛି। ଡକାୟତମାନେ ଡକାୟତି ପରେ ଯେଉଁ ଯେଉଁ ରାସ୍ତା ଦେଇ ଯାଇଥିଲେ ତାହାର ଅନୁସନ୍ଧାନ ଜାରି ରଖିଛି ପୁଲିସ୍।

ସେପଟେ ଏହି ଘଟଣା ପରେ ଅନ୍ୟ ସୁନା ଦୋକାନୀମାନେ ଛାନିଆ ହୋଇପଡ଼ିଛନ୍ତି। ବ୍ୟାସନଗର ସହରରେ ଏବେ ପ୍ରାୟ ୨୫ ଗହଣା ଦୋକାନ ରହିଛି। ଦିନଦ୍ୱିପ୍ରହରରେ ସେନକୋ ଗହଣା ଶୋ’ରୁମ୍‌ରେ ଡକାୟତମାନେ ୪୫ ମିନିଟ୍ ଧରି ଆତଙ୍କ ଖେଳାଇଥିଲେ। ଏହି ସୁନା ଦୋକାନ ପାଖରେ ଏକାଧିକ ବ୍ୟାଙ୍କ ସାଙ୍ଗକୁ ଅନ୍ୟାନ୍ୟ ଶୋ’ରୁମ୍ ରହିଛି। ଏହି ଅଞ୍ଚଳରେ ସର୍ବଦା ଜନଗହଳି ରହିଥାଏ। ପୁଲିସ ମଧ୍ୟ ଏହି ଅଞ୍ଚଳରେ ପାଟ୍ରୋଲିଂ କରିଥାଏ। ହେଲେ କେହି ବି ଡକାୟତିର ସାମାନ୍ୟତମ ଝଲକ ପାଇପାରି ନ ଥିଲେ।

Advertisment

ବ୍ୟାସନଗର କ୍ରିଷ୍ଣା ଜୁଏଲର୍ସ ମାଲିକ ସଞ୍ଜୟ କୁମାର ବୋଇତେଇ ଓ ପୃଷ୍ଟି ଅଳଙ୍କାର ଦୋକାନର ମାଲିକ ଚିନ୍ମୟ ପୃଷ୍ଟି କହିଛନ୍ତି, ୨୦୦୭ ଓ ୨୦୧୧ରେ ବ୍ୟାସନଗରରେ ଦୁଇଟି ସୁନା ଗହଣା ଶୋ’ରୁମ୍‌ରୁ ବଡ଼ ଧରଣର ଡକାୟତି ହୋଇଥିଲା। ରାଜ୍ୟ ବାହାରୁ ଡକାୟତମାନେ ଧରାପଡ଼ିଥିଲେ। ଏବେ ତୃତୀୟ ଓ ସବୁଠାରୁ ବଡ଼ ଡକାୟତି ଘଟଣା ଘଟିଛି। ଏହି ଘଟଣା କେବଳ ସୁନା ଦୋକାନୀ ନୁହେଁ, ବରଂ ଗ୍ରାହକଙ୍କ ଭିତରେ ମଧ୍ୟ ଭୟ ସୃଷ୍ଟି କରିଛି। ପୁଲିସ ଅସାମାଜିକଙ୍କୁ ସାବାଡ଼ କରିବାରେ ତଥା ଆଇନଶୃଙ୍ଖଳା ଉପରେ ଉଚିତ୍ ଦୃଷ୍ଟି ଦେଉନଥିବାରୁ ଏହି ଘଟଣା ଘଟିଛି। ପୁଲିସ ଏଥିପ୍ରତି ସତର୍କ ରହି ପଦକ୍ଷେପ ନେବା ଉଚିତ୍ ବୋଲି ସେମାନେ କହିଛନ୍ତି।

ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି ଓ ଖୁବଶୀଘ୍ର ଡକାୟତମାନେ ପୁଲିସ ହାତରେ ଧରାପଡିବେ ବୋଲି ଯାଜପୁର ଏସପି ଭିନିତ୍ ଅଗ୍ରୱାଲ କହିଛନ୍ତି।

ସୂଚନା ଥାଉକି, ଗତକାଲି ସ୍ପଷ୍ଟ ଦିବାଲୋକରେ ସେନକୋ ସୁନା ଓ ହୀରା ଅଳଙ୍କାର ଶୋ’ରୁମରେ ଡକାୟତି ହୋଇଥିଲା।

Jajpur Robbery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe