ଫେସବୁକ୍ରୁ ଆରମ୍ଭ ହେଲା ଚିହ୍ନା ପରିଚୟ । ଧୀରେ ଧୀରେ ନମ୍ବର ଦିଆନିଆ ବି ହେଲେ। ଏହାପରେ ମେସେଞ୍ଜରଠୁ ଆରମ୍ଭ କରି ହ୍ୱାଟସ୍ ଆପ୍ ଚାଟ୍ରେ ଚାଲିଲା ପ୍ରେମ ଗପ। ଯୁବକଙ୍କ ଘର ଯାଜପୁରରେ ହୋଇଥିବା ବେଳେ ଯୁବତୀଙ୍କ ଘର ସୁଦୂର ତ୍ରିପୁରାରେ। ଯୁବତୀଜଣକ ଡାକ୍ତର ହୋଇଥିବା ବେଳେ ଯୁବକଜଣକ ନିଜକୁ ଇଞ୍ଜିନିୟର ବୋଲି ମିଥ୍ୟା ପରିଚୟ ଦେଇ ପ୍ରେମ ଗାଡ଼ି ଗଡ଼ାଇ ଚାଲିଥିଲେ।
ଯୁବକଙ୍କ ପ୍ରେମରେ ପାଗଳ ଯୁବତୀଜଣକ ପ୍ରାୟ ୧୦ ଦିନ ତଳେ ଘରେ କାହାକୁ କିଛି ନକହି ସୁଦୂର ତ୍ରିପୁରାରୁ ଯାଜପୁରକୁ ଚାଲି ଆସିଥିଲେ ଉକ୍ତ ଯୁବକଙ୍କ ପାଖକୁ। ଏଠାରେ ଉଭୟଙ୍କର କୋର୍ଟ ମ୍ୟାରେଜ ହୋଇଥିଲା। ମାତ୍ର ବିବାହର ୮ ଦିନ ମଧ୍ୟରେ ଯୁବକଙ୍କ ଅସଲ ମୁଖା ଖୋଲିଯାଇଥିଲା। ଆଉ ଯୁବତୀ ଜଣକ ପୁଣି ଥରେ ଘର ବାହୁଡ଼ା ହୋଇଛନ୍ତି। ଯୁବକଜଣକ ନିଜକୁ ଇଞ୍ଜିନିୟର ବୋଲି କହିଥିବା ବେଳେ ସେ ଏକ ଗ୍ୟାରେଜରେ ମେକାନିକ ଭାବେ କାମ କରୁଥିବା ଯୁବତୀ ଜଣକ ଜାଣିବାକୁ ପାଇଲେ। ସେହିପରି ଉଭୟଙ୍କ ଧର୍ମ ମଧ୍ୟ ଅଲଗା। ଯୁବକ ଜଣକ ସେ ବିଷୟରେ ତାଙ୍କୁ ଲୁଚାଇଥିଲେ। ଏସବୁ ଜାଣିବା ପରେ ଯୁବତୀ ଜଣଙ୍କ ନିଜ ଘର ଲୋକଙ୍କୁ ଯୋଗାଯୋଗ କରି ସବୁ କଥା କହିଥିଲେ।
ଯୁବତୀଙ୍କ ପରିବାର ଲୋକେ ଘଟଣା ସଂପର୍କରେ ତ୍ରିପୁରା ପୁଲିସ୍କୁ ଜଣାଇଥିଲେ। ତ୍ରିପୁରା ପୁଲିସ୍ ଯାଜପୁର ପୁଲିସ୍ ସହ ଯୋଗାଯୋଗ କରିଥିଲା। ଯାଜପୁର ପୁଲିସ୍ ଯୁବତୀଙ୍କୁ ଉଦ୍ଧାର କରି କୋର୍ଟକୁ ନେଇଥିଲା। ସେଠାରେ ଯୁବତୀଜଣକ ନିଜ ଇଚ୍ଛାରେ ପିତାମାତାଙ୍କ ପାଖକୁ ଫେରି ଯିବାକୁ ଚାହୁଁଥିବା ଜଣାଇଥିଲେ। ଗତକାଲି ତ୍ରିପୁରା ପୁଲିସ୍ ପହଞ୍ଚିବା ପରେ ଯାଜପୁର ଥାନା ପୁଲିସ୍ ଯୁବତୀଙ୍କୁ ସେମାନଙ୍କୁ ହସ୍ତାନ୍ତର କରିଥିଲା।
ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବକ ଫେରାର ହୋଇଯାଇଛି। ପୁଲିସ୍ ତାକୁ ଖୋଜାଖୋଜି କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।