‘ପିହୁକୁ ଖୋଜି ଆଣିଲେ ମିଳିବ ୨୦ ହଜାର’

ଯାଜପୁର(ଗୁଲାମ ଗସ): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମର ପିହୁ ନିଖୋଜକୁ ୬ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ଶିଶୁ କନ୍ୟାର ପତ୍ତା ପାଉନି ପୁଲିସ୍‌। ପୁଲିସ୍‌ ଉପରୁ ଭରସା ତୁଟିବାରୁ  ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ପୀହୁର ବାପାମା’ ଚେତାବନୀ ଦେଇ ସାରିଛନ୍ତି। ହେଲେ ଏହା ପୂର୍ବରୁ ତତ୍ପରତା ଦେଖାଇ ହଠାତ୍‌ ପୁଲିସ୍‌ ଟିମ୍‌ ଆଜି ପିହୁ ଗାଁରେ ପହଞ୍ଚି ପମ୍ପ ଲଗାଇ ପୋଖରୀ ଶୁଖାଉଥିବା ବେଳେ ବିଭିନ୍ନ ସ୍ଥାନରେ ନିଖୋଜ […]

Pihu-Thumb

Niharika Rout
  • Published: Sunday, 14 February 2021
  • , Updated: 14 February 2021, 01:56 PM IST

ଯାଜପୁର(ଗୁଲାମ ଗସ): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମର ପିହୁ ନିଖୋଜକୁ ୬ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ଶିଶୁ କନ୍ୟାର ପତ୍ତା ପାଉନି ପୁଲିସ୍‌। ପୁଲିସ୍‌ ଉପରୁ ଭରସା ତୁଟିବାରୁ  ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ପୀହୁର ବାପାମା’ ଚେତାବନୀ ଦେଇ ସାରିଛନ୍ତି। ହେଲେ ଏହା ପୂର୍ବରୁ ତତ୍ପରତା ଦେଖାଇ ହଠାତ୍‌ ପୁଲିସ୍‌ ଟିମ୍‌ ଆଜି ପିହୁ ଗାଁରେ ପହଞ୍ଚି ପମ୍ପ ଲଗାଇ ପୋଖରୀ ଶୁଖାଉଥିବା ବେଳେ ବିଭିନ୍ନ ସ୍ଥାନରେ ନିଖୋଜ ପୋଷ୍ଟର ମଧ୍ୟ ମାରିଛି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମର ୨ ବର୍ଷର ଶିଶୁ କନ୍ୟା ପିହୁ ନିଖୋଜକୁ ୬ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଛି । ହେଲେ ଅଦ୍ୟାବଧି ପୁଲିସ୍‌ ପିହୁ ସମ୍ପର୍କରେ କୌଣସି ସୁରାଗ ପାଇବାରେ ବିଫଳ ହୋଇଛି । ତେବେ ପିହୁ ପରିବାର ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବା ଚେତାବନୀ ଦିଆଯିବା ପରେ ଆଜି ପୁଲିସ୍‌ ମଧୁସୂଦନପୁର ଗ୍ରାମରେ ପହଞ୍ଚି ନିକଟସ୍ଥ ପୋଖରୀରେ  ଖୋଜାଖୋଜି କରୁଛି । ପୁଲିସ୍‌ ପିହୁର ଘର ନିକଟରେ ଥିବା ପୋଖରୀରେ ପମ୍ପ ଲଗାଇ ଶୁଖାଇବା ଆରମ୍ଭ କରିଛି । ଶୁଖିଲା ପରେ ସେଠାରେ ପୁଲିସ୍‌ ପକ୍ଷରୁ ଖୋଜାଖୋଜି କରାଯିବ । ପିହୁ ସମ୍ପର୍କରେ ତଥ୍ୟ ପାଇବା ପାଇଁ ପୁଲିସ୍‌ ସବୁ ଦିଗରୁ ତଦନ୍ତ ଚଳାଇଥିବା ବେଳେ ପୋଖରୀ ଶୁଖାଇ ଖୋଜିବା ତଦନ୍ତର ଏକ ପ୍ରକ୍ରିୟା ବୋଲି ପୁଲିସ୍‌ ସୂଚନା ଦେଇଛି ।

ଏହାବ୍ୟତୀତ ସହରର ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ପୋଷ୍ଟର ମାରିଛି ପୁଲିସ୍‌। ପିହୁ  ସଂପର୍କରେ ଯେକେହି ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ମଧୁସୁଦନପୁର ଗାଁର ଲକ୍ଷ୍ମଣ ନାୟକଙ୍କ ୨ ବର୍ଷର ଝିଅ ଗତ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ଏନେଇ ତାଙ୍କ ମା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ । ହେଲେ  ପୁଲିସ୍‌   ଏହାକୁ ହାଲୁକା ଭାବେ ନେଇ ଏକ ନିଖୋଜ ମାମଲା ରୁଜୁ କରି ଚୁପ ହୋଇ ବସିଥିବା ଅଭିଯୋଗ ହୋଇଥିଲା ।

ପିହୁ ନିଖୋଜର ୪ ମାସ ପରେ ଘଟଣା ଗଣାମାଧ୍ୟମରେ ପ୍ରସାର ହେବା ପରେ ପୁଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହି ଘଟଣାର ତଦନ୍ତକାରୀ ଅଫିସରଙ୍କୁ ବଦଳାଯାଇ ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ହେଲେ ଏବେ ବି ପିହୁ ସମ୍ପର୍କରେ ପୁଲିସ୍‌  କୌଣସି ସୁରାଗ ପାଇବାରେ ଅସମର୍ଥ ହୋଇଛି । ନିଖୋଜ ପିହୁକୁ ଫେରି ପାଇବା ଦାବିରେ ତାଙ୍କ ପରିବାର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଆଗାମୀ ଦିନରେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ପିହୁ’ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ଏକ ବାଇକରେ ଆସି ଗାମୁଛରେ ବାନ୍ଧି ତାକୁ ନେଇ ଯାଇଥିଲେ। ଏନେଇ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ହେଲେ ଏ ଯାଏ ପିଲାଟିର ପତ୍ତା ମିଳିପାରୁନି।

ଏନେଇ ପିହୁଙ୍କ ମା’ କହିଛନ୍ତି, ଯେତେବେଳେ ଖୋଜା ହେବା କଥା ଖୋଜା ହେଲାନି। ଯେଉଁ ପୋଖରୀରେ ଖୋଜୁଛନ୍ତି, ତା’ ଚାରି ପଟେ ଘର ଅଛି। ତେଣୁ ପିଲାଟି ଗଡ଼ିଆରେ ପଡ଼ିଥିଲେ, ନିହାତି ଜଣାପଡ଼ିଥାନ୍ତା। କେବଳ ମାନସିକ ଦୁଶ୍ଚିନ୍ତା ଦେଉଛନ୍ତି। ମୋ ଛୁଆକୁ ଅପହରଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତକୁ ଘଉଡ଼ାଇବାକୁ ଏପରି ପ୍ରୟାସ କରାଯାଉଛି।

Related story