Advertisment

ମରାମତି ପରେ ଗନ୍ତବ୍ୟ ପଥରେ ଗଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଖବର ପାଇଁ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ମେଣ୍ଟେନାନ୍ସ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Vande Bharat Express

Vande Bharat Express

ପ୍ରାୟ ସାଢ଼େ ୪ ଘଣ୍ଟା ବିଳମ୍ୱରେ ମରାମତି ପରେ ହାୱାଡା ଅଭିମୁଖେ ଯାତ୍ରା କରିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ରାତି ପ୍ରାୟ ସାଢ଼େ ୮ଟାରେ ଡିଜେଲ୍‌ ଇଞ୍ଜିନ୍‌ ଟ୍ରେନ୍‌କୁ ଭଦ୍ରକ ପର୍ଯ୍ୟନ୍ତ ଟାଣି ନେଇଥିଲା। ସେଠାରେ ବିଦ୍ୟୁତ୍‌ ସରବରାହ ଠିକ୍‌ ଥିବାରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାୱାଡା ଅଭିମୁଖେ ଯାତ୍ରା କରିଛି।

Advertisment

ନିର୍ଦ୍ଧାରିତ ସମୟରେ ପୁରୀରୁ ହାୱାଡା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରେନ୍‌ଟି ୪.୨୦ ମିନିଟ୍‌ରେ ଯାଜପୁର ଦୁଲାଖାପାଟଣା ଷ୍ଟେସନ୍‌ ଅତିକ୍ରମ କରୁଥିବା ବେଳେ କାଳବୈଶାଖୀ ଯୋଗୁ ଗୋଟିଏ ବଡ଼ ଗଛ ଭାଙ୍ଗି ବିଦ୍ୟୁତ ତାର ଓ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଇଞ୍ଜିନ ଉପରେ ପଡ଼ିଥିଲା। ଟ୍ରେନ୍‌ଟି ଦ୍ରୁତଗତିରେ ଯାଉଥିବାରୁ ଗଛଟିକୁ ବହୁବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଯାହାଫଳରେ ବିଦ୍ୟୁତ ତାର ଗୁଡ଼ିକ ଛିଣ୍ଡି ଯାଇଥିଲା। ବନ୍ଦେ ଭାରତ ଏକ୍ସପ୍ରେସର ଲୋକ ପାଇଲଟ୍‌ ସାମ୍ନା କାଚ ଓ କିଛି ବଗିର କାଚରେ କ୍ରାକ୍‌ ହୋଇଥିବା ଦେଖିବାକୁ ମିଳିଥିଲା।

ଟ୍ରେନ୍‌ଟି କିଛି ବାଟ ଗଲା ପରେ ବୈତରଣୀ ନଦୀ ବ୍ରିଜ୍‌ ଉପରେ ଅଟକି ରହିଥିଲା। କହିବାକୁ ଗଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଟ୍ରେନ୍‌ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

Advertisment

ଖବର ପାଇଁ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ମେଣ୍ଟେନାନ୍ସ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲା। ଗଛ ପଡ଼ିଥିବାରୁ ସେହି ଲାଇନ୍‌ରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା, ତେଣୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗଡ଼ିବା ସମ୍ଭବପର ହୋଇନଥିଲା। ପ୍ରାୟ ସାଢ଼େ ୪ ଘଣ୍ଟା ପରେ ଭଦ୍ରକରୁ ଆସିଲା ଡିଜେଲ୍‌ ଇଞ୍ଜିନ୍‌। ବୈତରଣୀ ବ୍ରିଜ୍‌ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ରାତି ପ୍ରାୟ ସାଢ଼େ ୮ଟା ବେଳେ ଡିଜେଲ୍‌ ଇଞ୍ଜିନ୍‌ ଭଦ୍ରକ ପର୍ଯ୍ୟନ୍ତ ଟାଣି ନେଇଥିଲା। ସେଠାରେ ବିଦ୍ୟୁତ ସରବରାହ ଠିକ୍‌ ଥିବାରୁ ଟ୍ରେନ୍‌ଟି ଗସ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଆଜି ଅପରାହ୍ନରେ କାଳବୈଶାଖୀରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ଯାହାଫଳରେ ଗ୍ରାମାଞ୍ଚଳରେ ବଡ଼ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା। ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Jajpur Vande Bharat Express