ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବାତ୍ୟା ‘ଜୱାଦ’ ର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି । ସମ୍ଭାବ୍ୟ ବଡ଼ ବିପଦକୁ ଆଶଙ୍କା କରି ଓଡ଼ିଶାର ସମସ୍ତ ବନ୍ଦରଗୁଡିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।
ଆସନ୍ତା କାଲି ସକାଳ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ପହଞ୍ଚି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଗତି କରିପାରେ । ଏହାପରେ ବାତ୍ୟା ‘ଜୱାଦ’ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏହାରି ପ୍ରଭାବରେ ୪ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି ରେଡ୍ ଓ୍ୱାର୍ଣ୍ଣିଂ। ସେହିଭଳି ଆଜି ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ଯାଏଁ ୫ ଜିଲ୍ଲା କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ପ୍ରବଳ ବର୍ଷା ସହ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ୫ ତାରିଖ ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ ।
ସମ୍ଭାବ୍ୟ ବାତ୍ୟା ଏବଂ ତାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସ୍ଆରସି ପ୍ରଦୀପ ଜେନା । ୨୨୫ଟି ଓଡ୍ରାଫ୍, ଏନଡିଆରଏଫ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସ୍ଆରସି । ତେବେ ଏହି ବାତ୍ୟା ପ୍ରଭାବରେ ପକ୍କା ଘରର କିଛି ଅସୁବିଧା ହେବନାହିଁ । ତେଣୁ କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଆବଶ୍ୟକ ସ୍ଥଳେ ସମୁଦ୍ର କୂଳିଆ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି କହିଛନ୍ତି ଏସ୍ଆରସି ।
ତାସହ କ୍ଷେତରେ ଅମଳକ୍ଷମ ଧାନ କାଟି ଆଣିବାକୁ ଚାଷୀମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ଏସବୁ ଭିତରେ ପ୍ରସ୍ତୁତ ରଖାଯାଇଥିବା ବାତ୍ୟା ଆଶ୍ରୟସ୍ଥଳରେ କିଭଳି କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରାଯିବ, ତା’ ଉପରେ ଫୋକସ ରଖାଯାଇଥିବା କହିଛନ୍ତି ଏସ୍ଆରସି ।
ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି । ସେପଟେ ବାତ୍ୟାକୁ ନେଇ ଜନସାଧାରଣ ବ୍ୟତିବ୍ୟସ୍ତ ନ ହେବାକୁ ଅପିଲ୍ କରିଛନ୍ତି ଏସ୍ଆରସି । ପନିପରିବା କିଣାକିଣି ପାଇଁ ଅଯଥା ଗହଳି ନ କରିବାକୁ କୁହାଯାଇଛି । ବଜାରରେ କୌଣସି ସାମଗ୍ରୀର ଅଭାବ ନାହିଁ । ତେଣୁ ଅଯଥା ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।