Advertisment

Nuapada bypoll results: ରେକର୍ଡ ବିଜୟ ପଥରେ ଜୟ, ତୃତୀୟରେ ରହିଯାଇପାରେ ବିଜେଡି

୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ବିଧାନସଭା ନିର୍ବାଚନଗୁଡ଼ିକରେ ନୂଆପଡ଼ାରେ ବିଜେଡି ମାତ୍ର ଥରେ ପରାଜିତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ବାକି ସବୁ ଥର ବିଜୟୀ ହୋଇ ପ୍ରଥମ ସ୍ଥାନରେ ରହିଥିଲା।

author-image
Jitendra Garnayak
Jay

ଜୟ ଢୋଲକିଆ

ନୂଆପଡ଼ା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ୨୬ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୨୨ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧ ଲକ୍ଷ ୮ ହଜାର ୨୪୦ ଖଣ୍ଡ ଭୋଟ୍ ପାଇ ଆଗରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୩୫ ହଜାର ୧୦୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୩ ହଜାର ୮୮ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଗତ କିଛି ରାଉଣ୍ଡ ହେଲା ବିଜେଡି ଲଗାତାର ଭାବେ ତୃତୀୟ ସ୍ଥାନରେ ରହି ଆସୁଥିବାରୁ ଗଣତି ଶେଷ ହେଲା ବେଳକୁ ଏହା ତୃତୀୟ ସ୍ଥାନରେ ରହିଯାଇପାରେ ବୋଲି ଅନୁମାନ କରାଯାଉଛି।

Advertisment

୨୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିତ ଭାବେ ୬୮ ହଜାର ୧୮୯ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ୍ ଉଭୟ ଦଳର ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଠାରୁ ୪୦ ହଜାର ୫୧ ଖଣ୍ଡ ଭୋଟ୍‌ରେ ପଛରେ ରହିଛନ୍ତି। ଅନ୍ୟପକ୍ଷରେ ଜୟ ଢୋଲକିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୭୩ ହଜାର ୧୩୯ ଖଣ୍ଡ ଭୋଟ୍‌ରେ ଆଗରେ ଅଛନ୍ତି। 

ବାପାଙ୍କୁ ଟପି ଯିବେ ପୁଅ

୨୦୨୪ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ୬୧,୮୨୨ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ସେହିପରି ସେତେବେଳେ ଘାସିରାମ ମାଝୀ ସ୍ୱାଧୀନ ଭାବେ ଲଢ଼ି ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪ ହଜାର ୮୧୪ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ୧୫ ହଜାର ୫୦୧ ଖଣ୍ଡ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ।

Advertisment

୨୦୧୯ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରେ ବିଜୟୀ ହୋଇଥିଲେ ଜୟଙ୍କ ବାପା ତଥା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ। ସେ ୬୫ ହଜାର ୬୪୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ସେତେବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝୀ ୪୫ ହଜାର ୩୧୭ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ବିଜେପି ପ୍ରାର୍ଥୀ ହୋମ୍ ସିଂହ ମାଛୀ ୨୯ ହଜାର ୪୯୦ ଖଣ୍ଡ ଭୋଟ୍ ପାଇଥିଲେ ଓ ତୃତୀୟ ସ୍ଥାନରେ ରହିଥିଲେ।

୨୦୧୪ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା। ସେ ୫୫ ହଜାର ୮୧୭ ଖଣ୍ଡ ଭୋଟ୍ ପାଇଥିଲେ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୪୬ ହଜାର ୨୦୭ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସର ଘାସିରାମ ମାଝୀ ୩୯ ହଜାର ୬୫୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ସେହିପରି ୨୦୦୯ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୫୬ ହଜାର ୮୭୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବସ୍ତନ୍ତ କୁମାର ପଣ୍ଡା ୩୪ ହଜାର ୨୫୪ ଖଣ୍ଡ ଭୋଟ୍ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ସାହୁ ୨୨ ହଜାର ୪୫୦ ଖଣ୍ଡ ଭୋଟ୍ ପାଇଥିଲେ।

୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ବିଧାନସଭା ନିର୍ବାଚନଗୁଡ଼ିକରେ ନୂଆପଡ଼ାରେ ବିଜେଡି ମାତ୍ର ଥରେ ପରାଜିତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ବାକି ସବୁ ଥର ବିଜୟୀ ହୋଇ ପ୍ରଥମ ସ୍ଥାନରେ ରହିଥିଲା। କିନ୍ତୁ ଏଥର ଦଳ ତୃତୀୟ ସ୍ଥାନରେ ରହିଯାଇପାରେ ବୋଲି ଜଣାପଡୁଛି।