/odisha-reporter/media/post_attachments/uploads/2022/09/school-7.jpg)
school
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତର ଓ ଇଂଜିନିୟର ପାଠ ପଢିବାରେ ଆଉ ଅର୍ଥ ସାଜିବନି ବାଧକ । ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ହେବ ସାକାର । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାଗଣାରେ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ । ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା ପରେ ଖୁବ୍ ଶୀଘ୍ର ଏପରି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗର ଏପରି ପଦକ୍ଷେପରେ ଛାତ୍ରଛାତ୍ରୀ ବେଶ୍ ଖୁସି ଥିବା ବେଳେ ସେମାନେ ବି ନିଜ ସ୍ୱପ୍ନ ପୂରଣ କରିପାରିବେ ବୋଲି ଆଶବାଦୀ ଅଛନ୍ତି।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ ବି ଦିଆଯିବ ଏହି କୋଚିଂ। ଫଳରେ ଗରିବ ଓ ମଧ୍ୟମ ବର୍ଗର ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରର ପରୀକ୍ଷା ଦେବାକୁ ନିଜକୁ ପ୍ରସ୍ତୁତ କରିପାରିବେ। ମାଟ୍ରିକରେ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଏହି କୋଚିଂ ଦିଆଯିବ ।
ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ତେବେ ଖୁବ୍ ଶୀଘ୍ର ସବୁ ସ୍କୁଲରେ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।
ରାଜ୍ୟର ଉପାନ୍ତ ଅଞ୍ଚଳରେ ଥିବା ବହୁ ସ୍କୁଲରେ ପିଲାମାନେ ପାଠ ପଢ଼ା ପରେ ଆଉ ଦୂରରେ ଥିବା କଲେଜ ଯିବାକୁ ମନ ବଳାଉ ନ ଥିଲେ। ମାଟ୍ରିକ ପରେ ସେମାନଙ୍କ ପାଠପଢ଼ାରେ ଡୋରି ବନ୍ଧା ହେଉଥିଲା। ଫଳରେ ପ୍ରତି ବର୍ଷ ଦଶମ ପରେ ଶହ ଶହ ଛାତ୍ରଛାତ୍ରୀ ଡ୍ରପଆଉଟ୍ ହେଉଛନ୍ତି ।
ଏଣିକି ଉପାନ୍ତ ଅଞ୍ଚଳର ଏଭଳି ସ୍କୁଲକୁ ଚୟନ କରି ରାଜ୍ୟ ସରକାର ଦ୍ୱାଦଶ ଯାଏଁ ଦ୍ୱାଦଶ ଯାଏଁ ଅପଗ୍ରେଡ କରିଛନ୍ତି । ଏପରି ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରତି ଆତ୍କୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ ଜେଇଇ ଓ ନିଟ୍ କୋଚିଂ ବ୍ୟବସ୍ଥା ଲାଗୁ ହେବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତାକୁ ସରକାରୀ ସ୍କୁଲରେ ଦୋହରାଇବାକୁ ରାଜ୍ୟ ସରକାରଙ୍କ ଏହା ମାଷ୍ଟର ପ୍ଲାନ । ଏହାଦ୍ୱାରା ଅଧିକ ପିଲା ଆଗ୍ରହୀ ହୋଇ ସ୍କୁଲ ଆସିବେ ଓ ପାଠପଢ଼ା ପ୍ରତି ମନ ବଳାଇବେ।
ଏଭଳି ବ୍ୟବସ୍ଥା ଲାଗୁ କରିବା ବେଶ୍ ଉତ୍ସାହଜନକ ଥିବା ବେଳେ ଏଥିନିମନ୍ତେ କିନ୍ତୁ ଶିକ୍ଷକ ପଦବୀ ପୂରଣକୁ ପ୍ରାଥମିକତା ଦେବା ଉଚିତ ବୋଲି ଶିକ୍ଷାବିତଙ୍କ ମତ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
