Advertisment

ବ୍ରଜରାଜନଗର ଆଇଆଇସିଙ୍କ ଏତଲା- ନବ ଦାସଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ ଗୋପାଳ

ଗୋପାଳ ରକ୍ଷକ ହୋଇ ଭକ୍ଷକ ପାଲଟିଗଲେ। ଯାହାଙ୍କ ସୁରକ୍ଷା ଦାୟିତ୍ୱରେ ସେ ମୁତୟନ ହୋଇଥିଲେ ତାଙ୍କୁ ହିଁ ଗୁଳି କରି ଜୀବନ ନେଲେ ।

author-image
Niharika Rout
ଅଦ୍ୟତନ ହୋଇଛି
Image

Image

ନବ ଦାସଙ୍କ ଅକାଳ ବିୟୋଗ ପରେ ଏବେ ତାଙ୍କୁ ଗୁଳି କରିଥିବା ଏଏସ୍‌ଆଇ ଗୋପାଳ ଦାସଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଗୋପାଳ ରକ୍ଷକ ହୋଇ ଭକ୍ଷକ ପାଲଟିଗଲେ। ଯାହାଙ୍କ ସୁରକ୍ଷା ଦାୟିତ୍ୱରେ ସେ ମୁତୟନ ହୋଇଥିଲେ ତାଙ୍କୁ ହିଁ ଗୁଳି କରି ଜୀବନ ନେଲେ । ଗୋପାଳ ଏବେ ପୁଲିସ୍‌ କବଜାରେ ଥିବା ବେଳେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।  ଏନେଇ ଏତଲା ଦେଇଛନ୍ତି ବ୍ରଜରାଜନଗର ଥାନା ଆଇଆଇସି ।

Advertisment

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଉଦ୍ଦେଶ୍ୟ ନେଇ ASI ଗୋପାଳ ଦାସ ଫାୟାରିଂ କରିଥିବା ଏତଲାରେ ଉଲ୍ଲେଖ ଅଛି। ତେବେ ହତ୍ୟା ଉଦ୍ଦେଶ୍ୟ ପଛର କାରଣ ଏଯାଏ ସ୍ପଷ୍ଟ ହୋଇ ପାରି ନାହିଁ।

ଏତଲା ଅନୁଯାୟୀ, ମନ୍ତ୍ରୀ ନବ ଦାସଙ୍କର ଗତକାଲି ବ୍ରଜରାଜ ନଗରରେ ଲିଫ୍ଟସିଫ୍ଟ ବିଲ୍ଡିଂରେ ଉଦଘାଟନ କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟକ୍ରମ ସ୍ଥଳରୁ କିଛି ମିଟର ପୂର୍ବରୁ ନବ ଦାସ ଓହ୍ଲାଇଥିବା ବେଳେ କର୍ମୀମାନେ ତାଙ୍କୁ ଫୁଲ ମାଳ ଦେଇ ପାଛୋଟି ନେଇଥିଲେ। ଏହି ସମୟରେ ASI ଗୋପାଳ ଟ୍ରାଫିକ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ। ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଗୋପାଳ ତାଙ୍କ ନିକଟକୁ ଚାଲିଯାଇଥିଲେ। ଏହାପରେ ଅତି ପାଖରୁ ନିଜ ସର୍ଭିସ ରିଭଲଭରରୁ ଫାୟାରିଂ କରିଥିଲେ ଗୋପାଳ ।

Advertisment

ଗୁଳିକାଣ୍ଡ ପରେ ତୁରନ୍ତ ଏଏସ୍‌ଆଇ ଗୋପାଳ ଦାସ ସେଠାରୁ ଫେରାର ହେବାକୁ ଉଦ୍ୟତ ହେଉଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଆଇଆଇସି ଏବଂ ଜଣେ କନଷ୍ଟେବଳ ଗୋପାଳଙ୍କୁ ମାଡ଼ି ବସିଥିଲେ । ଧସ୍ତାଧସ୍ତି ମଧ୍ୟରେ ଗୋପାଳ ଆଉ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଟି IICଙ୍କ ଆଙ୍ଗୁଠିରେ ବାଜିଥିଲା ।

ଗୋପାଳ ନିଜ ସର୍ଭିସ ରିଭଲଭରରୁ ଚଳାଇଥିବା ଗୁଳି ନବ ଦାସଙ୍କ ଛାତିରେ ପଶି ବାହାରି ଯାଇଥିଲା। ହଠାତ୍‌ ନବ ଦାସ ଟଳି ପଡ଼ିବାରୁ ସୁରକ୍ଷା କର୍ମୀ ଓ ଦଳୀୟ ଲୋକେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା।

ମାତ୍ର ଦୀର୍ଘ ସାଢେ ଚାରି ଘଣ୍ଟା ଧରି ଡାକ୍ତରୀ ଦଳର ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରି ନ ଥିଲା। ହସ୍ପିଟାଲ୍‌ ପକ୍ଷରୁ ତାଙ୍କ ପରଲୋକ ସମ୍ପର୍କରେ ବିଧିବଦ୍ଧ ସୂଚନା ଦିଆଯିବା ସହିତ ଏକ ବିବୃତିରେ କୁହାଯାଇଥିଲା ଯେ ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜି ବାହାରିଯାଇଛି। ଫଳରେ ହୃତ୍‌ପିଣ୍ଡ ଓ ବାମ ଫୁସ୍‌ଫୁସ୍‌ରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତସ୍ରାବ ହୋଇଛି। ତାଙ୍କର ତୁରନ୍ତ ଅସ୍ତ୍ରୋପଚାର ପରେ ବି ଜୀବନ ରକ୍ଷା ସମ୍ଭବ ହୋଇନଥିଲା।

ଜଣେ ପୁଲିସ୍‌ କର୍ମଚାରୀ ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରି ରାଜ୍ୟ ଇତିହାସରେ ପ୍ରଥମ ଘଟଣା। ଏହା ଏକ କଳଙ୍କିତ ଅଧ୍ୟାୟ ବୋଲି କହିଛନ୍ତି ବହୁ ପୁରୁଖା ନେତା।

ତେବେ ଗୋପାଳ କ’ଣ ପାଇଁ ଏତେ ବଡ଼ ଚରମ ପଦକ୍ଷେପ ନେଲେ, ଏହା ପଛରେ ମାନସିକ ଚାପ ନା ଆଉ କିଛି କାରଣ ରହିଛି ତାହାର ତଦନ୍ତ କରିବାକୁ ଏକ କ୍ରାଇମବ୍ରାଞ୍ଚ ଟିମ୍‌ ଗଠିତ ହୋଇଛି। ଏହାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଗତକାଲିଠୁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। 

Naba Das