Advertisment

ଗୋପାଳ ଦାସଙ୍କ ପରି କିଛି ଘଟାଇଥାନ୍ତେ କି କନେଷ୍ଟବଳ ସରୋଜ ଦାସ? ବଦଳି କଲେ ଏସ୍‌ପି

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ି ଯାଇଛନ୍ତି କନେଷ୍ଟବଳ ସରୋଜ ଦାସ । ଏପରିକି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।

author-image
Niharika Rout
ଅଦ୍ୟତନ ହୋଇଛି
Saroj Das & Anup Sai

Saroj Das & Anup Sai

 ନବ ଦାସ ମର୍ଡର କେସ୍‌ର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପାଇଁ ପୁଲିସ୍‌ ବିଭାଗକୁ ଅପବାଦ ମୁଣ୍ଡାଇବାକୁ ପଡ଼ିଥିବା ବେଳେ ଏବେ ଆଉ ଜଣେ ପୁଲିସ କନେଷ୍ଟବଳଙ୍କ ପାଇଁ ବଢ଼ିଛି ମୁଣ୍ଡବିନ୍ଧା। ଏହି କନଷ୍ଟେବଳଜଣକ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସ । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ି ଯାଇଛନ୍ତି କନେଷ୍ଟବଳ ସରୋଜ ଦାସ ।

Advertisment

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟର ରିଜର୍ଭ ଅଫିସକୁ ବଦଳି କରାଯାଇଛି। ଏପରିକି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । 

୨୦୧୬ ମସିହାରେ ଘଟିଥିବା କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ମର୍ଡର କେସ୍‌ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଅନୁପ ସାଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ୨ ବର୍ଷ ଜେଲ୍‌ରେ ରହି ସେ ଜାମିନରେ ମୁକୁଳିଛନ୍ତି। ଅପରପକ୍ଷେ, କନେଷ୍ଟବଳ ସରୋଜ ଦାସ କଳ୍ପନାଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ଭଉଣୀର ହତ୍ୟାର ପ୍ରତିଶୋଧ ନେବାକୁ ସେ ଅନୁପ ସାଏଙ୍କୁ ହତ୍ୟା କରିବାକୁ କହୁଥିବା ଜଣାଯାଇଛି।  

Advertisment

 ରବିବାର ସନ୍ଧ୍ୟାରେ ଥାନାରେ କାର୍ଯ୍ୟରତ ଥିବା ବେଳେ ସରୋଜ ଦାସ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।  ଏପରିକି ଅନୁପ ସାଏଙ୍କୁ ମାରିଦେବେ ବୋଲି ସେ ନିଜ ସାଥୀ କର୍ମଚାରୀଙ୍କୁ କହିଥିବା ଜଣାଯାଇଛି। କିନ୍ତୁ ପ୍ରକୃତରେ ସରୋଜ ଦାସ କଣ କହିଥିଲେ, କଣ ଧମକ ଦେଇଥିଲେ, ଧମକ ଦେଇଥିଲେ କି ନାହିଁ ସେ ସଂପର୍କରେ ପୁଲିସ କିଛି ସ୍ପଷ୍ଟ କରି ନାହିଁ ।   

ଝାରସୁଗୁଡ଼ା ପୁଲିସ୍‌ କିନ୍ତୁ  ଏହି ଘଟଣାକୁ ଗୁରୁତର ସହ ନେଇ ସରୋଜଙ୍କୁ ତୁରନ୍ତ ବଦଳି କରି ଝାରସୁଗୁଡ଼ା ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ଆଣିଛି। ସରୋଜଙ୍କ ପାଖରେ ଏବେ ବନ୍ଧୁକ ନ ଥିଲେ ବି ସେ ବନ୍ଧୁକ ଚଳାଇବାରେ ବେଶ୍‌ ସିଦ୍ଧହସ୍ତ ବୋଲି ଜଣାଯାଇଛି।

ସରୋଜ ଦାସଙ୍କ ଆଚରଣ ଠିକ ନ ଥିଲା । ସେ ଡ୍ୟୁଟି ସମୟରେ ମଦ ପିଇ ହଙ୍ଗାମା କରିଥିଲା । ଏହି ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ବଦଳି କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହାବାଦ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଥିବା କହିଛନ୍ତି ଝାରସୁଗୁଡ଼ା ଏସ୍‌ପି ।

ଗୋପାଳ ଦାସଙ୍କ ପରେ ଏବେ ସରୋଜ ଦାସ ଝାରସୁଗୁଡ଼ା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛନ୍ତି। ଫଳରେ ଯେଉଁ ବନ୍ଧୁକଧାରୀ ପୁଲିସ୍‌ ନିଶାସକ୍ତ ଅବସ୍ଥାରେ ରହୁଥିବେ, ସେମାନଙ୍କ ନିକଟରୁ ବନ୍ଧୁକ ପ୍ରତ୍ୟାହାର କରି ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯିବ ବୋଲି ଝାରସୁଗୁଡ଼ା ପୁଲିସ୍‌ ଏକ ଅଭିଯାନ ଆରମ୍ଭ କରିଛି ।

 ୨୦୧୬ ମସିହାରେ ଝାରସୁଗୁଡ଼ାରେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅଙ୍କୁ ଅତି ନିର୍ମମ ଭାବେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିଲା। ଏହାପରେ ଉଭୟଙ୍କ ଶବକୁ ଓଡ଼ିଶା-ଛତିଶଗଡ଼ ସୀମାରେ ଏକ କୋଇଲା ବୋଝେଇ ମାଲଗାଡ଼ିରେ ଫିଙ୍ଗି ଦିଆଯାଇଥିଲା। ଚକ୍ରଧରପୁର ପୁଲିସ୍‌ ଉଭୟ ଶବକୁ ଜବତ କରିଥିବା ବେଳେ ଉଭୟଙ୍କ ମୃତଦେହ ଚିହ୍ନଟ ହୋଇ ପାରି ନ ଥିଲା। ତେଣୁ ଛତିଶଗଡ଼ ପୁଲିସ୍‌, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରକୁ ଫଟୋ ପଠାଇଥିଲା। ଏହି ମାମଲାରେ ଛତିଶଗଡ଼ ପୁଲିସ୍‌ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲେ ବି କୌଣସି ସୂଚନା ପାଇ ପାରି ନ ଥିଲା।

ଉକ୍ତ ସମୟରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ କାର୍ଯ୍ୟରତ ଏପିଆର କନେଷ୍ଟବଳ ସରୋଜ ଦାସ ଉକ୍ତ ଫଟୋ ଦେଖି କଳ୍ପନା ଦାସଙ୍କୁ ଚିହ୍ନଟ କରିଥିଲେ। ୨୦୧୯ ମସିହାରେ ଛତିଶଗଡ଼ ପୁଲିସ୍‌ ଏହି ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲ।

ଅନୁଏ ସାଏ ଏବେ ଜାମିନରେ ଆସିଥିବା ବେଳେ କନେଷ୍ଟବଳ ସରୋଜ ଦାସ ପ୍ରତିଶୋଧ ନେବାକୁ କିଛି ଯୋଜନା କରିଥାଇ ପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି।

 ଉଲ୍ଲେଖଯୋଗ୍ୟ ଯେ, ନବ ଦାସଙ୍କୁ ପୂର୍ବତନ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ କାହିଁକି ଗୁଳି କଲେ ତାହାର ପ୍ରକୃତ ଉଦ୍ଦେଶ୍ୟ ଏଯାଏ ଉନ୍ମୋଚନ ହୋଇପାରି ନାହିଁ। ଏପରି ସମୟରେ ଅନୁପ ସାଏଙ୍କୁ ଧମକ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଥିପାଇଁ ଝାରସୁଗୁଡ଼ା ପୁଲିସ ତତ୍ପରତା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଯାହାର ଆଚରଣ ଠିକ୍ ନାହିଁ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ପୁଲିସ ପକ୍ଷରୁ କୁହାଯାଇଛି। 

Odisha Police Crime