/odisha-reporter/media/post_attachments/uploadimage/library/16_9/16_9_0/IMAGE_1680089504.jpeg)
Boy missing
ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ୫୦ ଲକ୍ଷ ଟଙ୍କା ପାଇଁ ଜଣେ ନାବାଳକଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା କରିଛନ୍ତି ଦୁଇ ଜଣ ବ୍ୟକ୍ତି। ଖାଲି ସେତିକି ନୁହେଁ, ହତ୍ୟା କରିବା ପରେ ସେମାନେ ନାବାଳକକୁ ପୋଡ଼ି ମଧ୍ୟ ଦେଇଛନ୍ତି। ପିଲାଟିକୁ ଦୁଇ ବ୍ୟକ୍ତି ଟଙ୍କା ପାଇଁ ଝାରସୁଗୁଡ଼ାରୁ ଅପହରଣ କରିଥିବା ବେଳେ ତାଙ୍କୁ ବରଗଡ଼ରେ ହତ୍ୟା କରି ପୋଡ଼ି ଦେଇଛନ୍ତି। ଝାରସୁଗୁଡ଼ା ପୁଲିସ୍ ଘଟଣାର ତଦନ୍ତ କରିବା ସହ ସିସିଟିଭି ଓ ଅନ୍ୟାନ୍ୟ ଜିନିଷକୁ ତର୍ଜମା କରି ୨ ଜଣଙ୍କୁ ଗିରଫ କରିଛି। ଘଟଣା ସଂପର୍କରେ ଝାରସୁଗୁଡ଼ା ଏସପି ସ୍ମିତ୍ ପରମାର ସୂଚନା ମଧ୍ୟ ଦେଇଛନ୍ତି।
ମାର୍ଚ୍ଚ ୨୭ରେ ସରବାହାଲ କ୍ରିଷ୍ଣା ଏନକ୍ଳେଭରେ ରହୁଥିବା ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିଲା। ଏନେଇ ପରିବାର ଲୋକ ରାତି ପ୍ରାୟ ୯ଟା ବେଳେ ଝାରସୁଗୁଡ଼ା ପୁଲିସ୍ରେ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ପୁଲିସ୍ ପକ୍ଷରୁ ୩ଟି ଟିମ ଗଠନ କରାଯାଇଥିଲା।
ତଦନ୍ତକାରୀ ଟିମ ଟେକ୍ନିକାଲ ପ୍ରମାଣ ଓ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ତନତନ କରି ଯାଞ୍ଚ କରିଥିଲେ। ଏଥିସହ ପଡ଼ୋଶୀ ଜିଲ୍ଲାକୁ ମଧ୍ୟ ଗୋଟିଏ ଟିମ ଯାଇଥିଲା। ତଦନ୍ତ ଚାଲିଥିବା ବେଳେ ୨୮ ତାରିଖ ବିଳମ୍ବିତ ରାତିରେ ପୁଲିସ୍ ଦୁଇ ଅଭିଯୁକ୍ତ ଅମିତ କୁମାର ଶର୍ମା ଓ ଦିନେଶ ଅଗ୍ରୱାଲକୁ ଗିରଫ କରିଥିଲା। ଅମିତର ଘର ଝାରସୁଗୁଡ଼ା ବିଜୁ ନଗରରେ ହୋଇଥିବା ବେଳେ ବଜ୍ରରାଜନଗରର ଗାନ୍ଧି ଛକ ହେଉଛି ଦିନେଶ ଅଗ୍ରୱାଲର ଘର।
ଏସ୍ପି ସ୍ମିତ୍ ପରମାର କହିଛନ୍ତି, ଅଭିଯୁକ୍ତ ଅମିତ ହେଉଛି ପୂରା ଘଟଣାର ମାଷ୍ଟରମାଇଣ୍ଡ। ସେ ସୁନିତ ଅଗ୍ରୱାଲଙ୍କ ପରିବାର ସହ ବେଶ ପରିଚିତ। ଏହାର ଫାଇଦା ନେଇ ସେ ଟଙ୍କା ହାସଲ କରିବା ଉଦ୍ଦେଶ୍ୟରେ ସୁନିତଙ୍କ ୧୫ ବର୍ଷୀୟ ପୁଅଙ୍କୁ ଅପହରଣ କରିଥିଲା। ଅମିତକୁ ସୁନିତଙ୍କ ପୁଅ ଜାଣିଥିବାରୁ ତା’ ସହ ଚାଲି ଯାଇଥିଲେ।
ତେବେ ପିଲାଟିକୁ ପାଖରେ ପାଇବା ପରେ ଦୁଇ ଅଭିଯୁକ୍ତ ସୁନିତଙ୍କୁ ଫୋନ କରି ୫୦ ଲକ୍ଷ ଟଙ୍କା ମାଗିଥିଲେ। ଏଥିସହ ପୁଲିସ୍କୁ କିଛି ନ କହିବାକୁ ଧମକ ଦେଇଥିଲେ। କିନ୍ତୁ ସୁନିତଙ୍କ ପରିବାର ଲୋକ ପୁଲିସ୍କୁ ଖବର ଦେଇଥିଲେ। ଏ ସମ୍ପର୍କରେ ଜାଣିପାରି ଅମିତ ଓ ଦିନେଶ ୨୭ ତାରିଖ ରାତିରେ ହିଁ ସମର୍ଥଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି। ଏହାପରେ ତାଙ୍କ ମୃତଦେହକୁ ସେମାନେ ବରଗଡ଼ରେ ପୋଡ଼ି ଦେଇଥିଲେ।
ଦୁଇ ଅଭିଯୁକ୍ତ ଜେରା ବେଳେ ସେମାନଙ୍କ ଦୋଷ ସ୍ୱୀକାର କରି ସାରିଛନ୍ତି। ତଦନ୍ତ ବେଳେ କଲ ରେକର୍ଡ ଯାଞ୍ଚ କରାଯିବା ସହ ସିସିଟିଭି ଫୁଟେଜ, ଗୁଇନ୍ଦା ତଥ୍ୟ, ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଜିନିଷକୁ ବ୍ୟବହାର କରାଯାଇଥିଲା। ଏହାପରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ବୋଲି ସେ କହିଛନ୍ତି।
ଅମିତ ଓ ଦିନେଶ ୫୦ ଲକ୍ଷ ପାଇଁ ଫୋନ କରିଥିଲେ। କିନ୍ତୁ ସୁନିତ ଏହା ଉପରେ କୌଣସି ପଦକ୍ଷେପ ନେବା ପୂର୍ବରୁ ସମର୍ଥକଙ୍କ ହତ୍ୟା ହୋଇ ସାରିଥିଲା। ସିସିଟିଭିରୁ ଜଣାପଡ଼ିଛି ଯେ ସମର୍ଥ ନିଜର ଇଲେକ୍ଟ୍ରିକ ବାଇକରେ ଘରୁ ବାହାରିଥିଲେ। ଅଧା ବାଟରେ ହିଁ ଅଭିଯୁକ୍ତ ଅମିତ ସହ ତାଙ୍କର ଦେଖା ହୋଇଥିଲା। କିଛି କଥାବାର୍ତ୍ତା ପରେ ଉଭୟ ସେହି ଗାଡ଼ିରେ ଯାଇଥିଲେ। ଏହାପରେ ସୁନିତଙ୍କ ପାଖକୁ ଅପହରଣ ନେଇ ଫୋନ ଆସିଥିଲା। ଅପହରଣ ପଛରେ କେବଳ ଟଙ୍କା ନା ଆଉ କିଛି କାରଣ ରହିଛି, ତା’ର ତଦନ୍ତ ଜାରି ରହିଥିବା ସ୍ମିଥ ପରମାର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
