Advertisment

ଝାରସୁଗୁଡ଼ା ଲୋକାରଣ୍ୟ, ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ାରେ ପହଞ୍ଚିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର । ସେଠାରେ ନିଜ ପ୍ରିୟ ନେତାଙ୍କୁ ସହରବାସୀ ଶେଷ ଦର୍ଶନ କରିବା ପରେ ମୃତଦେହକୁ ଅନ୍ତିମ ସଂସ୍କାର କରାଯିବ ।

author-image
Niharika Rout
Naba Das

Naba Das

ଝାରସୁଗୁଡ଼ାରେ ପହଞ୍ଚିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର । ସେଠାରେ ନିଜ ପ୍ରିୟ ନେତାଙ୍କୁ ସହରବାସୀ ଶେଷ ଦର୍ଶନ କରିବା ପରେ ମୃତଦେହକୁ ଅନ୍ତିମ ସଂସ୍କାର କରାଯିବ । ଏଥିନିମନ୍ତେ ଝାରସୁଗୁଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisment

ଗତକାଲି ରାତିରେ ନବ ଦାସଙ୍କ ମୃତଦେହକୁ ଶେଷ ଦର୍ଶନ ନିମନ୍ତେ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା। ଆଜି ସକାଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ସେଠାରେ ନବ ଦାସଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହାପରେ ମୃତଦେହକୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବିଜେଡିର ପ୍ରମୁଖ ନେତା ମନ୍ତ୍ରୀ ଦାସଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହାପରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଏୟାରପୋର୍ଟରୁ ନବ ଦାସଙ୍କ ମର ଶରୀରକୁ ଝାରସୁଗୁଡ଼ା ନିଆଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ପରେ ନବ ଦାସଙ୍କୁ ନେଇ ଯାଉଥିବା ବିମାନ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିଥିଲା। ସେଠାରେ ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିବାକୁ ଏୟାରପୋର୍ଟ ଲୋକାରଣ୍ୟ ହୋଇ ଉଠିଥିଲା। ଏହାପରେ କଡ଼ା ସୁରକ୍ଷା ବଳୟରେ ନବ ଦାସଙ୍କ ପାର୍ଥିବ ଶରୀରକୁ ୧ ନଂ ଗେଟ୍‌ ଦେଇ ବାହାରକୁ ନିଆଯାଇଥିଲା।

Advertisment

ସେଠାରୁ ଏକ ଆମ୍ବୁଲାନ୍ସରେ ମୃତଦେହକୁ ନବ ଦାସଙ୍କ ସରବାହାଲସ୍ଥିତ ବାସଭବନ ଅଭିମୁଖେ ନିଆଯାଇଛି। ସେଠାରେ ଝାରସୁଗୁଡ଼ାବାସୀ ନିଜ ପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ କରିବେ। ଏହାପରେ ମୃତଦେହକୁ ରାଲିରେ ସହର ପରିକ୍ରମା କରାଯିବ । ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନବ ଦାସଙ୍କ ଅନ୍ତିମ ସଂସ୍କାର କରାଯିବ । ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଏପରିକି ଅନ୍ତିମ ସଂସ୍କାର ସ୍ଥଳରେ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ ବୋଲି ଜଣାଯାଇଛି।

ନବ ଦାସଙ୍କ ଅନ୍ତିମ ଦର୍ଶନ ନିମନ୍ତେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଦଳର ନେତା ଝାରସୁଗୁଡ଼ାକୁ ଛୁଟିବାରେ ଲାଗିଛନ୍ତି। ଏଥିନିମନ୍ତେ ଝାରସୁଗୁଡ଼ା ସହର ଏକ ପ୍ରକାର ଲୋକାରଣ୍ୟ ହୋଇ ଉଠିଛି। ଏପରିକି ଟ୍ରାଫିକ ବ୍ୟବସ୍ଥା ଜାମ୍‌ ହୋଇ ଯାଇଥିବାରୁ ଏହାକୁ ସ୍ୱାଭାବିକ କରିବାକୁ ବହୁ ସଂଖ୍ୟାରେ ପୁଲିସ୍‌ କର୍ମୀ ମୁତୟନ ହୋଇଛନ୍ତି। ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଆଇନଶୃଙ୍ଖଳା ଓ ଉତ୍ତରାଞ୍ଚଳ ଆଇଜି ପ୍ରମୁଖ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବାକୁ ଝାରସୁଗୁଡ଼ାରେ ଉପସ୍ଥିତ ଅଛନ୍ତି।

ନବ ଦାସଙ୍କ ବିୟୋଗରେ ରାଜ୍ୟ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବନି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Naba Das