ଝାରସୁଗୁଡ଼ାରେ ଦୀପାଳିଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ନବୀନ

ବିଜେଡି ନିଜର ୧୦୦ରୁ ଅଧିକ ନେତାଙ୍କୁ ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୪ଟି ବ୍ଲକର ବିଭିନ୍ନ ପଂଚାୟତ ଓ ଗୋଟିଏ ମ୍ୟୁନିସପାଲଟିର ସମସ୍ତ ୱାର୍ଡରେ ମୁତୟନ କରିସାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Thursday, 27 April 2023
  • , Updated: 27 April 2023, 10:28 PM IST

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ଭୋଟ୍ ପାଇଁ ପ୍ରଚାର କରିବାର ସମ୍ଭାବନା ରହିଛି । ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନଥିଲେ ସୁଦ୍ଧା ନବୀନ ୭ତାରିଖରେ ଝାରସୁଗୁଡ଼ାରେ ଦିନକ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି । ତେବେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିବାବେଳେ ବ୍ଲକ ଓ ପଂଚାୟତ ଦାୟିତ୍ୱରେ ଥିବା ବିଜେଡି ନେତାମାନେ ପ୍ରଚାର ମଇଦାନକୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ଦଳୀୟ କର୍ମୀଙ୍କୁ ଅବଗତ କରୁଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ନିଜର ୧୦୦ରୁ ଅଧିକ ନେତାଙ୍କୁ ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୪ଟି ବ୍ଲକର ବିଭିନ୍ନ ପଂଚାୟତ ଓ ଗୋଟିଏ ମ୍ୟୁନିସପାଲଟିର ସମସ୍ତ ୱାର୍ଡରେ ମୁତୟନ କରିସାରିଛି । ସେମାନେ ଏବେ ପଂଚାୟତ ଓ ୱାର୍ଡସ୍ତରରେ ବୈଠକ କରି ଏବେ ଦଳୀୟ ଭୋଟବ୍ୟାଙ୍କ ବୃଦ୍ଧି ପାଇଁ ପ୍ରୟାସରେ ଲାଗି ପଡ଼ିଛନ୍ତି । ତେବେ ନବ ଦାସ ହତ୍ୟା ମାମଲାର ଷଡ଼ଯନ୍ତ୍ର ରହସ୍ୟ ଏବେବି ଉନ୍ମୋଚନ ହୋଇନଥିବାରୁ ତା’ର ନକରାତ୍ମକ ପ୍ରଭାବ ସାଧାରଣ ଭୋଟରଙ୍କ ରହିଥିବାରୁ ସେଥିପାଇଁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ବିଜେଡି ଯୋଜନା କରିଛି । ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉପନିର୍ବାଚନରେ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି । ତାଙ୍କର ଝାରସୁଗୁଡ଼ାକୁ ଆସିବା ଦିନ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନି । ତାଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବିଚାରବିମର୍ଶ ଚାଲିଛି । ତେବେ ବିଜେଡି ସୂତ୍ର ଅନୁସାରେ, ମେ’ ୧୦ତାରିଖରେ ଭୋଟଗ୍ରହଣ ଥିବାରୁ ୮ତାରିଖରେ ପ୍ରଚାର ଶେଷ ହେବ । ନବୀନ ୭ କିମ୍ବା ୮ ତାରିଖରେ ଗୋଟିଏ ଦିନ ପାଇଁ ମାରାଥନ୍ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ । ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାରକୁ ଓହ୍ଲାଇଥିଲେ ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨.୨୧ଲକ୍ଷ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ଝାରସୁଗୁଡ଼ା ମ୍ୟୁନିସପାଲଟିରେ ସର୍ବାଧିକ ୭୧୧୧୩ଜଣ ଭୋଟର,ଲଇକେରା ବ୍ଲକରେ ୩୯୭୦୩ଜଣ ଭୋଟର, ଝାରସୁଗୁଡ଼ା ବ୍ଲକରେ ୩୮୫୪୬ଭୋଟ, କୋଲାବିରା ବ୍ଲକରେ ୩୭୮୧୦ଜଣ ଭୋଟର ଓ କିରମିରା ବ୍ଲକରେ ୩୩୯୦୧ଜଣ ଭୋଟର ଅଛନ୍ତି । ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ମତଦାନ ହେବ ।

Related story