strike
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଷ୍ଟେସନରେ ୭ଟି ଟ୍ରେନ୍ ରହଣି ଦାବିରେ ଆଜି ସକାଳୁ ରେଳରୋକ ଆନ୍ଦୋଳନ ଆରମ୍ଭ କରିଛି ବେଲପାହାଡ଼ ଲଖନପୁର ରେଳ ୟୁଜର୍ ଫୋରମ୍ । ସକାଳ ୭ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଳାଶପୁର ରେଳ ଡିଭିଜନର ହାଓଡ଼ା-ମୁମ୍ବାଇ ରେଳପଥରେ ରେଳରୋକ ଆରମ୍ଭ ହୋଇଛି। ଏଥିସହ ବେଲପାହାଡ଼ ସହରରେ ବି ବନ୍ଦ ପାଳନ କରିବାକୁ ଡାକରା ଦେଇଛି ଫୋରମ୍ ।
ରେଳରୋକ ସମୟରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ବେଲପାହାଡ଼ ରେଳ ଷ୍ଟେସନରେ ୧୪୪ ଧାରା ଜାରି କରାଯାଇଛି । ଗତକାଲି ସନ୍ଧ୍ୟାଠାରୁ ଝାରସୁଗୁଡ଼ା ଜିଆରପି ପକ୍ଷରୁ ୧୪୪ ଧାରା ଲାଗୁ ହୋଇଥିବା ସୂଚନା ମିଳିଛି।
କୋଭିଡ୍ ପୂର୍ବରୁ ବେଲପାହାଡ଼ ଷ୍ଟେସନରେ ୭ଟି ଟ୍ରେନ୍ ଅଟକୁଥିଲା । ତେବେ କୋଭିଡ୍ ସମୟରେ ଏହାକୁ ବାତିଲ କରାଯାଇଥିଲା । ଏବେ କୋଭିଡ୍ ପରେ ସେଗୁଡ଼ିକର ପୁନଃ ରହଣି କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାତାୟାତ ପାଇଁ ବେଲପାହାଡ଼ ଓ ଲଖନପୁର ତଥା ଆଖପାଖ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଥିନିମନ୍ତେ ଏହି ଆନ୍ଦୋଳନ ଡାକରା ଦିଅଯାଇଥିବା ଫୋରମ କର୍ମକର୍ତ୍ତା ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ରେଳ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ଏନେଇ ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ସଭାପତି ବିରଞ୍ଚି ସାହୁ କହିଛନ୍ତି, ବେଲପାହାଡ ଷ୍ଟେଶନରେ କୋଭିଡ ପୂର୍ବରୁ ଯେତିକି ଟ୍ରେନ୍ ରହୁଥିଲା, କୋଭିଡ ପରେ ତାକୁ ଉଠାଇ ଦିଅଯାଇଛି। ସେହି ଟ୍ରେନଗୁଡ଼ିକୁ ରହଣି ଦାବି ସହ ୨ଟି ଏକ୍ସପ୍ରେସ ରହଣି ଦାବି ମଧ୍ୟ ହୋଇଛି। ଏହି ୨ ଦାବି ପୂରଣ ପାଇଁ ଆମେ ଶାନ୍ତିଶୃଙ୍ଖଳାର ସହ ଆନ୍ଦୋଳନକୁ ଓହ୍ଲାଇଛୁ।
ରିପୋର୍ଟ- ଝାରସୁଗୁଡ଼ାରୁ ଭାଗିରଥୀ ସାହୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
