Advertisment

ତାରିଖ ଘୋଷଣା ପରେ ପ୍ରାର୍ଥିତ୍ୱକୁ ନେଇ ଏମିତି କହିଲେ ନବ ଦାସଙ୍କ ଝିଅ

ଆଜି ନିର୍ବାଚନ କମିଶନ ପକ୍ଷରୁ ଉପ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

author-image
Hemant Lenka
Depali Das

Depali Das

ଆସନ୍ତା ମେ’ ୧୦ରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପ ନିର୍ବାଚନ। ସେହିପରି ୧୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ନବ ଦାସଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା। ଆଜି ନିର୍ବାଚନ କମିଶନ ପକ୍ଷରୁ ଉପ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ବିଜେଡି ପରମ୍ପରାକୁ ବଜାୟୀ ରଖି ଇମସୋନାଲ କାର୍ଡ ଖେଳିବା ସହ ନବ ଦାସଙ୍କ ପରିବାରର କାହାକୁ ଟିକେଟ ଦେବ ନା ଆଉ କିଏ ଦଳର ପ୍ରାର୍ଥୀ ହେବେ, ତା’କୁ ନେଇ ସବୁଠି ଚର୍ଚ୍ଚା। ଏସବୁ ଭିତରେ ନବ ଦାସଙ୍କ ଝିଅ ଦୀପାଳି ନିଜର ପ୍ରତିକ୍ରିୟା ରଖିଛନ୍ତି। ନବ ଦାସଙ୍କ ମୃତ୍ୟୁ ପରେ ଦୀପାଳି ଏବେ ଟିକେଟ ପାଇବା ଦୌଡ଼ରେ ସବୁଠାରୁ ଆଗରେ ରହିଥିବା କୁହାଯାଛି। 

ସେ ମଧ୍ୟ ବିଭିନ୍ନ ସ୍ଥାନରେ ସଭା କରିବା ସହ ଲୋକଙ୍କ ନିକଟତର ହେଉଛନ୍ତି। କହିବାକୁ ଗଲେ ଦୀପାଳି ତାଙ୍କ ବାପା ନବ ଦାସଙ୍କ ସ୍ଥାନରେ ପ୍ରାର୍ଥୀ ହେବାକୁ ଗୋଡ଼ ଟେକି ବସିଛନ୍ତି। ହେଲେ ଆଜି ସେ ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି। ସେ ସିଧାସଳଖ ପ୍ରାର୍ଥୀ ହେବେ କି ନାହିଁ ସେକଥା କହି ନାହାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ନବ ଦାସଙ୍କ ପରିବାର ସମର୍ଥନ କରିବ ବୋଲି ସେ କହିଛନ୍ତି।

Advertisment

ଦୀପାଳି କହିଛନ୍ତି, “ଆଜିକୁ ଠିକ୍‌ ୨ ମାସ ତଳେ ବାପାଙ୍କ ଦେହାନ୍ତ ହୋଇଥିଲା। ଠିକ୍‌ ଦୁଇ ମାସ ପରେ ଉପ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ବେଶ ଭାବପ୍ରବଣର ଦିନ। ଆମେ କେବେ ଭାବି ନଥିଲୁ ଯେ ବାପାଙ୍କ ଆସନରେ ଉପ ନିର୍ବାଚନ ହେବ। ଆମ ପରିବାର ଉପରେ ବାପାଙ୍କ ଆଶୀର୍ବାଦ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୂରା ଭରସା ଅଛି। ସେ ଯାହାକୁ ବି ନିର୍ଦ୍ଦେଶ ଦେବେ ବା ପ୍ରାର୍ଥୀ କରିବେ, ଆମ ପରିବାର ତାଙ୍କୁ ସମର୍ଥନ ଦେବ। ଜଣେ ବାପାଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ହାତ ଆମ ଉପରେ ସର୍ବଦା ରହିଛି। ଆମେ ଉପ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ରହିଛୁ। ତଥାପି ମୁଖ୍ୟମନ୍ତ୍ରୀ ଯାହା ବି ନିଷ୍ପତ୍ତି ନେବେ, ଆମେ ସେହି ଅନୁସାରେ ପ୍ରସ୍ତୁତ ହୋଇ ଲଢ଼ିବୁ।

ମୁଁ, ମୋ ଭାଇ ଓ ମୋ ମା’ ସମସ୍ତେ ନବ ପରିବାର। ଆମ ପରିବାରରୁ ମୁଖ୍ୟମନ୍ତ୍ରୀ ଯାହାକୁ ବି ନିର୍ଦ୍ଦେଶ ଦେବେ, ଆମେ ସେହି ଅନୁସାରେ କାମ କରିବୁ। ଆମ ପରିବାର ଉପରେ ଝାରସୁଗୁଡ଼ାବାସୀଙ୍କ ପ୍ରେମ, ସେହ୍ନ ଓ ଆଶୀର୍ବାଦ ରହିଛି। ବାପାଙ୍କ ପ୍ରତି ମଧ୍ୟ ସେମାନଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ତେଣୁ ଆମେ ସବୁ କିଛିକୁ ଦେଖି ଫୁଲ ଦମରେ ଲଢ଼ିବୁ।

ଆଗରୁ ମଧ୍ୟ ମୋ ବାପାଙ୍କୁ ସମସ୍ତେ ଭଲ ପାଉଥିଲେ। ମୋ ବାପା ସବୁବେଳେ ଭଲ କାମ କରି ଆସିଥିଲେ। ସମସ୍ତଙ୍କର ଭଲ ପାଇବା ଓ ସେହ୍ନ ମୋ ପ୍ରତି ରହିଛି। ସମସ୍ତେ ମୋତେ ଝିଅ ଭଳି ଦେଖୁଛନ୍ତି। ମୋର ଆଶା ଯେ ସେମାନେ ବାପାଙ୍କୁ ଯେମିତି ପରିବାର ଭଲି ଦେଖୁଥିଲେ ଏବେ ଆମକୁ ମଧ୍ୟ ସେମିତି ସ୍ୱୀକାର କରିବେ।

ମୋ ବାପା ଯେଉଁ ସବୁ ଜିନିଷ ଛାଡ଼ି କି ଯାଇଛନ୍ତି, ସେଗୁଡ଼ିକୁ ସାଉଁଟି ରଖିବା ଆମ ପରିବାରର ଦାୟିତ୍ୱ। ପୂରା ପରିବାର ବାପାଙ୍କ ସବୁ ଜିନିଷକୁ ପୂରା କରିବାକୁ ଲାଗି ପଡ଼ିଛନ୍ତି। ବାପାଙ୍କ ସ୍ୱପ୍ନ ପୂରା କରିବାକୁ ଆମେ ସମସ୍ତେ କାମ କରୁଛୁ ଓ ଆଗକୁ ମଧ୍ୟ କରିବୁ।” ଦୀପାଳିଙ୍କ ଭାଇ ମଧ୍ୟ ସମାନ କଥା ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ, ତାକୁ ନବ ଦାସଙ୍କ ପରିବାର ତାଙ୍କୁ ସମର୍ଥନ କରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖ ଦିନ ଝାରସୁଗୁଡା ବିଧାୟକ ତଥା ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନ ଖାଲି ପଡ଼ିଥିଲା। ଏଥିପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ବିଧାନସଭା କ୍ଷେତ୍ରର ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୦୭୩ ରହିଛି। ଏମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୩ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୮୭। 

ଝାରସୁଗୁଡ଼ା ପୌର ପରିଷଦର ଭୋଟର ସଂଖ୍ୟା ୭୧୧୧୩, ଝାରସୁଗୁଡ଼ା ବ୍ଲକର ୩୮୫୪୬, କିର୍ମିରା ବ୍ଲକର ୩୩୯୦୧, କୋଲାବିରା ବ୍ଲକର ୩୭୮୧୦ ଓ ଲଇକେରା ବ୍ଲକର ଭୋଟର ସଂଖ୍ୟା ୩୯୭୦୩ ରହିଛି। 

Odisha Odisha Politics Naba Das Naba Das Murder