/odisha-reporter/media/post_attachments/uploads/2022/03/kkk-2.jpg)
pic
ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରଠୁ ଖାଲି ପଡ଼ିଛି ବ୍ରଜରାଜନଗର ଆସନ । ଦୀର୍ଘ ୩ ମାସ ହେବ ଏହି ଆସନ ଖାଲି ପଡ଼ିଥିବା ବେଳେ କେବେ ହେବ ଉପନିର୍ବାଚନ ତାକୁ ନେଇ ଚର୍ଚ୍ଚା। ହେଲେ ହାଇକମାଣ୍ଡ ଚାହିଁଲେ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଲୋକଙ୍କ ସେବା କରିବାକୁ ଆଗେଇ ଆସିବେ ବୋଲି କହିଛନ୍ତି ତାଙ୍କ ପତ୍ନୀ।
ଆଜି ପୌର ନିର୍ବାଚନ ଭୋଟ୍ ଦେବାକୁ ଆସିଥିବା କିଶୋର ମହାନ୍ତିଙ୍କ ପତ୍ନୀ କହିଲେ ନିଜ ମନର କଥା। ଏନେଇ ସେ କହିଛନ୍ତି, ଝାରସୁଗୁଡ଼ାର ଉନ୍ନତି ପାଇଁ ମୋ’ ସ୍ୱାମୀ ବହୁତ ସ୍ୱପ୍ନ ଦେଖିଥିଲେ। ହେଲେ ତାଙ୍କ ଆକସ୍ମିକ ବିୟୋଗ ହେତୁ ତାଙ୍କ ସ୍ୱପ୍ନ ସବୁ ଅଧୁରା ରହି ଯାଇଛି। ସୁଯୋଗ ମିଳିଲେ ନିହାତି ଭାବେ ମୁଁ ମୋ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିବି। ଏଥିସହ ହାଇକମାଣ୍ଡ ଯଦି ଚାହିଁବେ ଉପନିର୍ବାଚନରେ ପ୍ରାର୍ଥୀ ହେବି ବୋଲି ମଧ୍ୟ କହିଛନ୍ତି।
ସୂଚନାଯୋଗ୍ୟ, ହୃଦଘାତ ହେବାରୁ ଗତ ଡିସେମ୍ବର ୩୧ ତାରିଖରେ ଝାରସୁଗୁଡ଼ାର ଏକ ଘରୋଇ ମେଡ଼ିକାଲ୍ରେ ଆଖି ବୁଜିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି। ତାଙ୍କ ମୃତ୍ୟୁ ପରଠୁ ବ୍ରଜରାଜନଗର ଆସନ ଖାଲି ପଡ଼ିଛି।
କିଶୋର ମହାନ୍ତି ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଥିଲେ। ସେ ୩ ଥର ଝାରସୁଗୁଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୦୯ରୁ ୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ କିଶୋର। କିନ୍ତୁ ଗତ ସାଧାରଣ ନିର୍ବାଚନରେ ସେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
