ଫୋନି ପାଇଁ ଆସିଥିଲା ଫୋନ୍

ଲେଖା- ଟି. ଗୌରୀଶଙ୍କର

ସେ ଦିନ ମେ’ ୧ ତାରିଖ। ଅଫିସ୍‌ରୁ ମୋ ପାଖକୁ ଦିନ ଗୋଟେ ସାଢ଼େ ଗୋଟେ ବେଳକୁ ଫୋନ୍‌ ଆସିଲା। ସେପଟୁ ଆମ ଇନ୍‌ପୁଟ୍‌ ହେଡ୍‌ ମତେ କହୁଥିଲେ, “ଗୌରୀ ତୁମକୁ ବାତ୍ୟା ‘ଫୋନି’ କଭରେଜ୍‌ ପାଇଁ ଭଦ୍ରକ କିମ୍ବା ଯାଜପୁର ଯିବାକୁ ପଡ଼ିବ। ତୁମର କିଛି ଅସୁବିଧା ଅଛି କି ?”  ବିନା କୌଣସି ପ୍ରଶ୍ନରେ ମୁଁ ସିଧା ସିଧା ହଁ କହିଦେଲି। ମେ’ ୩ରେ ଓଡ଼ିଶା ଉପକୂଳବର୍ତ୍ତୀ ଯେକୌଣସି ଏକ ସ୍ଥାନରେ ‘ଫୋନି’ ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇ ସାରିଥିବାରୁ ସାରା ରାଜ୍ୟର ଗଣମାଧ୍ୟମ ସେତେବେଳକୁ ତତ୍ପର ଥାଆନ୍ତି।

ମୁଁ ଖବର ପାଇବା ମାତ୍ରେ ଆଉ ଡେରି ନକରି ଭୁବନେଶ୍ୱର ଯିବା ପାଇଁ ଘରୋଇ ବସ ଟିକେଟ କାଉଣ୍ଟରକୁ ଗଲି। ମୋର ଦୁଇଟି ଟିକେଟ ଦରକାର ଥାଏ। କିନ୍ତୁ କୌଣସି ବସ୍‌ରେ ଗୋଟିଏ ବି ସିଟ୍‌ ଫାଙ୍କା ନଥାଏ। ବହୁ କଷ୍ଟରେ ଏକ ବସର ଶେଷ ସିଟ ମିଳିଲା। ଟିକେଟ୍‌ ଧରି ମୁଁ ଘରକୁ ଆସିଲି। ମୋ ସ୍ତ୍ରୀକୁ କହିଲି ମୋତେ ଭୁବନେଶ୍ୱର ଯିବାକୁ ପଡ଼ିବ। ଅଫିସରୁ ଫୋନ ଆସିଥିଲା। ସ୍ତ୍ରୀ କହିଲା କ’ଣ ପାଇଁ ଏମିତି ହଠାତ୍ ? ମୁଁ କହିଲି ‘ଫୋନି’ ଆସୁଛି। ମୋତେ ସ୍ପଟ୍‌ ରିପୋର୍ଟିଂ ପାଇଁ ଯିବାକୁ ହେବ। ମୋ ମୁଁହରୁ ଏଇ କଥା ସ୍ତ୍ରୀ ଶୁଣିବା ପରେ ସେ ଆଉ କିଛି ପ୍ରଶ୍ନ ନକରି କହିଲେ ହଉ ବାହାର, କ’ଣ କ’ଣ ଜିନିଷ ତୁମର ଦରକାର, କୁହ?

ମୁଁ ଯେତେବେଳେ ବି କୌଣସି କାମରେ ଘରୁ ବାହାରକୁ ଯିବା କଥା କହିଛି ସବୁଥିରେ ଟିକିଏ ବାରଣ କରୁଥିବା ମୋ ସ୍ତ୍ରୀ ଆଜି ବିନା ପ୍ରଶ୍ନରେ ମୋର ଆବଶ୍ୟକ ଜିନିଷ ସଜାଡ଼ିବାକୁ ବାହାରି ପଡ଼ୁଛି ଦେଖି ମତେ ଆଶ୍ଚର୍ଯ୍ୟ ଲାଗିଲା।

ତା’ ପରେ ଆଉ କିଛି କଥା ନାହିଁ। ସିଧା ରାତି ସାଢ଼େ ଦଶରେ ମୁଁ ଆଉ ମୋ ସହଯୋଗୀ କ୍ୟାମେରା ପର୍ସନ ବିକ୍ରମ ପାଢ଼ୀ ଜୟପୁର ୟୁନିଟ୍ ଧରି ବାହାରିଲୁ ଭୁବନେଶ୍ୱର। ସକାଳୁ ଭୁବନେଶ୍ୱରରେ ପହଞ୍ଚିଥିଲୁ। ହେଲେ ଏପଟେ ରାତିରେ ଅଫିସ୍‌ରୁ ମୋ ମୋବାଇଲ୍‌କୁ ମେସେଜ୍‌ ଆସିଛି ଯେ, ତୁମେ ଓ କ୍ୟାମେରା ପର୍ସନ ସନ୍ତୋଷ ତରାଇ ଯାଜପୁର ଯିବ।

ଆଉ ଫୁରୁସତ୍ ନାହିଁ। ପୁଣି ଆମେ ଫେରିଲୁ। ଜୟପୁର ୟୁନିଟ୍‌ ସହ ବିକ୍ରମଙ୍କୁ ସେଠି ଛାଡ଼ି ଭୁବନେଶ୍ୱର ୟୁନିଟ ସହ କ୍ୟାମେରାପର୍ସନ ସନ୍ତୋଷ ତରାଇ ଓ ମୁଁ ଯାଜପୁର ଅଭିମୁଖେ ବାହାରିଲୁ।

ଆମେ ଯାଜପୁରରେ ପହଞ୍ଚୁ ପହଞ୍ଚୁ ଜାଣିବାକୁ ପାଇଲୁ ଆସନ୍ନ ‘ଫୋନି’ର ମୁକାବିଲା ପାଇଁ କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରୁଛନ୍ତି।  ଆମେ ତୁରନ୍ତ ସେଠି ଖବର ସଂଗ୍ରହ ପାଇଁ ପହଞ୍ଚିଗଲୁ। ସେତେବେଳକୁ ଆମେ କେହି କ’ଣ ଖାଇଛୁ ନଖାଇଛୁ, ତା’ର ଚିନ୍ତା ନଥିଲା। ତା’ରି ଭିତରେ ଅନେକ୍‌ ଜାଗାକୁ ଯାଇ ବିଭିନ୍ନ ପ୍ରକାର ରିପୋର୍ଟ ସଂଗ୍ରହ କରିବାରେ ବ୍ୟସ୍ତ ଥାଉ ଏବଂ ଭୁବନେଶ୍ୱର ଅଫିସ୍‌କୁ ତତ୍‌କ୍ଷଣାତ୍‌ ସବୁ ପଠାଉଥାଉ। ଠିକ୍‌ ସେତିକି ବେଳେ ଅଫିସ୍‌ରୁ ଫୋନ୍‌ ଆସିଲା। ରାତି ୮ଟାରେ ଲାଇଭ୍‌ ଯିବ। ସେତେବେଳକୁ ପବନ ବହିବା ଆରମ୍ଭ କରୁଥାଏ। ଧୂଳିଝଡ଼ ମଧ୍ୟ ହେଉଥାଏ।

ଠିକ୍ ସନ୍ଧ୍ୟା ୭ଟାରେ ଆମେ ବାହାରିଗଲୁ ଯାଜପୁର ଜିଲ୍ଲାର ସିମୁଳିଆ ପଞ୍ଚାୟତ। ଯାହାକି ଏକ ଚାଷୀମାନଙ୍କର ଗାଁ। ଆମେ ପହଞ୍ଚିଲାରୁ ଚାଷୀମାନେ ତାଙ୍କ ଦୁଃଖ ବଖାଣିବା ଆରମ୍ଭ କଲେ। ସେ ପୂର୍ବରୁ ଦେଖିଥିବା ବାତ୍ୟା, ତା’ର ଭୟାବହତା ବିଷୟରେ ଶୁଣାଇଲେ। ଆମେ ଲାଇଭ୍‌ ପାଇଁ ତରତର ହେଲାବେଳକୁ ଲାଇନ୍‌ କଟିଗଲା। ଫଳରେ ଲାଇଭ୍‌ ହୋଇପାରିଲା ନାହିଁ। ରେକର୍ଡ କରି ପଠାଇବାକୁ ପଡ଼ିଲା। ରାତିରେ ତାହା ସ୍ପେଶାଲ ଲାଇଭ କଭରେଜ୍‌ରେ ଟେଲିକାଷ୍ଟ ହେଲା।

ଗତ ରାତିର ବସ୍‌ ଯାତ୍ରା, ଆଜି ଦିନସାରା ଓ ରାତି ଏତେବେଳ ଯାଏଁ କାମ କରିବା ଭିତରେ ମୁନିଗୁଡ଼ାରୁ ମା’ ଫୋନ କରୁଥାଏ। ଟିଭିରେ ମତେ ଦେଖି ଡରୁଥାଏ। ମା’ର ଫୋନ୍‌ ଉଠେଇଲାବେଳକୁ ସେପଟୁ ଶୁଭୁଥିଲା, ବର୍ଷା-ପବନ ହେଲାଣି, ତୁ କେମିତି ଅଛୁ ? କୋଉଠି ରହୁଛୁ ? ଆରେ ପୁଅ, ଖିଆ ପିଆ କରୁଛୁ ନା ନାହିଁ…?

ତା’ର ଆଉ ଟିକେ ପରେ ସ୍ତ୍ରୀର ଫୋନ ଆସିଲା। ମତେ ସେ ପଚାରୁଥିଲା, ‘କେମିତି ଅଛ ? କିଛି ଅସୁବିଧା ନାହିଁ ତ ? ଖାଇଲଣି ନା ନାହିଁ ?  ସେପଟେ ତୁମର ବର୍ଷା ପବନ ହେଲାଣି…? ତା’ର ସବୁ ପ୍ରଶ୍ନରେ ମୁଁ ଖାଲି ତାକୁ ପଚାରୁଥିଲି ତୁ କେମିତି ଅଛୁ ? କରେଣ୍ଟ ଅଛି ନା ନାହିଁ ? ଝିଅ କ’ଣ କରୁଛି ? ଖାଉଛି ନା ସବୁଦିନ ଭଳି ହଇରାଣ କରୁଛି ?

ସେତିକି ବେଳେ ମୋର ମନେ ପଡ଼ୁଥିଲା, ଆଉ ଦି’ଦିନ ପରେ ମୋ ଜନ୍ମ ଦିନ(ମେ’ ପାଞ୍ଚ ତାରିଖ)। ବାହାଘର ହେବାର ୩ ବର୍ଷ ଭିତରେ ଆମେ ଦୁହେଁ କେବେ ମୋ ଜନ୍ମଦିନରେ ଏକାଠି ରହିନୁ କି ପାଳିପାରିନୁ। ଏଥର ମୋ ସ୍ତ୍ରୀର ଭାରି ଇଛା ଥିଲା ଯେ, ମୋ ଜନ୍ମ ଦିନରେ ଏକାଠି ରହିବୁ। ମୋ ଝିଅକୁ ମାତ୍ର ୧୧ ମାସ। ତା’ର ଉପସ୍ଥିତି ଆମ ଜୀବନକୁ ଆହୁରି ସୁନ୍ଦର କରିଛି। କିନ୍ତୁ ଏଥର ମଧ୍ୟ ସେ ଆଶା ଟିକକ ଆଶାରେ ରହିଲା। ହେଲେ ଏମିତି ଗୋଟେ ପ୍ରାକୃତିକ ଵିପର୍ଯ୍ୟୟରେ ମତେ କାମ କରିବାର ଯେଉଁ ସୁଯୋଗ ମିଳିଛି ସେଥିପାଇଁ ଖୁସି ଲାଗୁଥିଲା। ମୋ ସ୍ତ୍ରୀ ଓ ମୁଁ ପ୍ରାୟ ସମୟ ଏକାଠି ରହି ନ ପାରିବାର କାରଣ ଟି ହେଲା ମୋ ଘର ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ। କିନ୍ତୁ ମୋ କର୍ମକ୍ଷେତ୍ର କୋରାପୁଟର ଜୟପୁରରେ। ମୋ ସ୍ତ୍ରୀ ଘରୋଇ କାମରେ କେବେ ଜୟପୁର ତ କେବେ ମୁନିଗୁଡ଼ା ତ ପୁଣି କେବେ ଶ୍ୱଶୁର ଘର ଗୁଣପୁରରେ ଥାଏ। ଏମିତି ଜୀବନ ଭିତରେ ଗତ ତିନି ବର୍ଷରେ ମୋ ଜନ୍ମ ଦିନରେ ଆମେ କେବେ ଏକାଠି ରହିବାର ସୁଯୋଗ ପାଇନୁ।

ଏତେ କଥା ଭାବିବା ଭିତରେ ହଠାତ୍‌ ମୋ ସ୍ତ୍ରୀର ଫୋନ୍‌ ଆସିଲା। ସେ କହୁଥାଏ, ‘ଫୋନି’ କଭରେଜ ସାରିବା ପରେ ଏଥର ଆମେ ତୁମ ଜନ୍ମଦିନ ପାଳିବା। ଜମା ବ୍ୟସ୍ତ ହେବନି, ଆମର ଏଠି କିଛି ଅସୁବିଧା ନାହିଁ। ତୁମେ ନିଜ ପ୍ରତି ଧ୍ୟାନ ଦେଇ ରିପୋର୍ଟିଂ କର। ମୋ ସ୍ତ୍ରୀର ଏତେ ସବୁ କଥା ମୋ ଅନ୍ତରରୁ ଲୁହ ଝରେଇ ଦେଉଥାଏ। ମୋ ୧୧ ମାସର ଝିଅକୁ ୪ ଦିନ ଛାଡ଼ି ରହିବାର କଷ୍ଟ ଓ ମୋ ସ୍ତ୍ରୀର ଏଭଳି ଆତ୍ମବିଶ୍ୱାସ ଭରା କଥା ମତେ ମୋ କାମ କରିବା ପାଇଁ ପୁଣି ପ୍ରେରିତ କରୁଥାଏ।

ସିମୁଳିଆରୁ ଫେରି ରାତି ୨ଟା ଯାଏ ଆମେ ଯାଜପୁର ଜିଲ୍ଲାର ଦଶରଥପୁର ଓ ବରୀ ବ୍ଲକର ବିଭିନ୍ନ ଗାଁ ଗାଁ ବୁଲି ରିପୋର୍ଟ କରୁଥିବା ବେଳେ ଦଶରଥପୁର ବ୍ଲକ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରୁଥାଆନ୍ତି। ଆମେ ସେଠି ତାଙ୍କ ସହ ଗୋଟେ ୱାନ୍-ଟୁ-ୱାନ୍ କରି ତୁରନ୍ତ ଅଫିସକୁ ପଠାଇବାଲୁ। ତାହା ଯାଇ ରାତି ୧୨ଟାରେ ଟେଲିକାଷ୍ଟ ହେଲା। ରାତି ୨ଟାରେ ଆମେ ରହୁଥିବା ହୋଟେଲରେ ପହଞ୍ଚିଲା ବେଳକୁ ସ୍ଥିତି ଭୟଙ୍କର ହେବାକୁ ଲାଗିଲାଣି। ଗଛ ଉପୁଡ଼ି ରାସ୍ତାରେ ପଡ଼ିଲାଣି। ଘର ଭାଙ୍ଗିଲାଣି। ସକାଳୁ ଉଠି ଦେଖିଲାବେଳକୁ ଜବରଦସ୍ତ ବର୍ଷା ଲାଗିରହିଛି। ଠିକ୍ ସେତିକି ବେଳକୁ ଦିନ ପ୍ରାୟ ୮ଟା କି ସାଢ଼େ ୮ଟା ହବ। ଖବର ଆସି ପହଞ୍ଚିଲା ଯେ, ପୁରୀରେ ‘ଫୋନି’ ଲ୍ୟାଣ୍ଡଫଲ କରୁଛି।

ଏପଟେ ଯାଜପୁରେ ଝାଟିମାଟି, ଚାଳଛପର ଘର ସବୁ ଆକାଶରେ ଉଡ଼ିଲାଣି। ତା’ରି ଭିତରେ ଯେତେ ସମ୍ଭବ ରିପୋର୍ଟ କରି ଆମେ ଅଫିସ୍‌କୁ ପଠାଉଥାଉ। ସେତିକିବେଳକୁ ଭୁବନେଶ୍ୱର ଅଫିସ୍‌ରୁ ମୋ ସହଯୋଗୀ ସୌମ୍ୟା ଏସ. ମହାପାତ୍ର କହିଲେ, ଭାଇ ଭୁବନେଶ୍ୱରରେ ଆଉ କିଛି ନାହିଁ। ଅଫିସ କଥା କିଛି କୁହନି, ବୁଲେଟିନ ବନ୍ଦ ହେଲାଣି। ସବୁ ଭାଙ୍ଗିରୁଜି ଗଲାଣି। ସାଟେଲାଇଟ୍ ଡିଶ୍ ବି ଭାଙ୍ଗିଯାଇଛି। ପାଖରେ ଥିବା ବସ୍ତି ଲୋକଙ୍କୁ ଆମ ଷ୍ଟାଫ ସବୁ ଉଦ୍ଧାର କରୁଛନ୍ତି।

ଏବେ କେମିତି ଖବର ବାଜିବ, ଆମେ କେମିତି ରିପୋର୍ଟ ପଠେଇବୁ, ସେ କଥା ଭାବିଲା ବେଳକୁ ଚିନ୍ତା ବଢୁଥାଏ। ସେପଟୁ ଘରୁ ସ୍ତ୍ରୀର ଫୋନ୍‌ ଆସିଲା। ସେ କହୁଥାଏ, ତୁମେ କେଉଁଠି ଅଛ ? ଏତେ ବର୍ଷା ପବନ ହେଲାଣି। ତା ସହ କଥା ଭିତରେ ଝିଅ ରଡ଼ି କରି କାନ୍ଦୁଥିବାର ଶୁଣାଗଲା। ତା’ପରେ ଫୋନ୍‌ କଟିଗଲା।

ଯାଜପୁରରେ ସେତେବେଳକୁ ବାତ୍ୟା ଯୋଗୁ ୪ଜଣ ପ୍ରାଣ ହରାଇ ସାରିଥାଆନ୍ତି। ସେ ଖବର ଆମେ ପାଇଲୁ। ରାସ୍ତାରେ ଇଲେକ୍ଟ୍ରି ତାର ସବୁ ଛିଣ୍ଡି ପଡ଼ିଥାଏ। ଗଛ ଉପୁଡ଼ି ଯାଇଥାଏ। ସବୁପ୍ରକାର ଯୋଗାଯୋଗ ବନ୍ଦ।

୩ତାରିଖ ଦିନ ସାରା କିଛି ଖିଆପିଆ ହେଇ ନଥାଏ। ମୋବାଇଲ୍‌ରୁ ଚାର୍ଜ ସରି ଯାଇଥାଏ। ଲାଇନ୍‌ ଦିନବେଳୁ କଟିଯାଇଥାଏ। ରାତିରେ ବି କୌଣସି ଜାଗାରେ ଖାଇବାକୁ ମିଳିଲାନି। ମୋ ସହଯୋଗୀ କ୍ୟାମେରା ପର୍ସନ ସନ୍ତୋଷ ତରାଇଙ୍କ ସାଙ୍ଗ ଯାଜପୁରରେ ରହୁଛନ୍ତି ବୋଲି ସେ କହିଲେ। ତାଙ୍କ ଘରକୁ ଆମେ ଗଲୁ। ସେଠି ତାଙ୍କ ମାଆ ରୁଟି ଭଜା କରି ଖାଇବାକୁ ଦେଲେ। କୌଣସିମତେ ତାଙ୍କ ଘରେ ମୋବାଇଲ୍ ଚାର୍ଜ କରି ହୋଟେଲ୍‌କୁ ଫେରିଲୁ।

ତା’ ପରଠାରୁ ଅଫିସ ସହ ଯେତେ ଯୋଗାଯୋଗ କଲେ ବି ଆଉ ଲାଗିଲାନି। ସେମିତି ୩ ତାରିଖ ରାତି ବିତିଲା। ଶେଷରେ ୪ତାରିଖରେ ଅଫିସ୍‌ରୁ ମେସେଜ ଆସିଲା ବାହାରକୁ ଯାଇଥିବା  ଟିମ୍ ଭୁବନେଶ୍ୱର ଫେରିଆସ।

ଆମେ ଭୁବନେଶ୍ୱର ପହଞ୍ଚିଗଲୁ। ବାଟରେ ଯାହା ଯାହା ‘ଫୋନି’ ସମ୍ପର୍କିତ ଖବର ସମ୍ଭବ ଥିଲା ତାହାକୁ କଭର କଲୁ। ଅଫିସ୍‌ରେ ସବୁ କଥା ଆଲୋଚନା ହେଲା। ତା’ପରେ ମୋର ଆଉ କିଛି କାମ ନ ଥାଏ। ଆମକୁ ପୁଣି ଜୟପୁର ଫେରିଯିବାକୁ କୁହାଗଲା। ଆମେ ସଙ୍ଗେ ସାଙ୍ଗେ ଅଫିସରୁ ଚାଲିଆସିଲୁ। ଯେକୌଣସିମତେ ଆମେ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କୋରାପୁଟ ବାହାରିଲୁ। ହେଲେ ଆମେ ଫେରୁଛୁ ବୋଲି ଘରକୁ ଜଣେଇ ହେଲାନାହିଁ। ରାତି ୨ଟାରେ ଆନ୍ଧ୍ରସୀମାରେ ପହଞ୍ଚିଲା ବେଳକୁ ସ୍ତ୍ରୀର ଫୋନ ଲାଗିଲା। ସକାଳୁ ଜୟପୁରରେ ପହଞ୍ଚିବି ବୋଲି କହିଲି। ଘରେ ପହଞ୍ଚିବା ପରେ ମୋତେ ଦେଖି ମୋ ଝିଅ କେତେ ଯେ ଖୁସି ହେଉଥିଲା ସେ କଥା କହିପାରିବିନି। ମତେ ମୋ ଝିଅ ଗୋଟାପଣେ କୁଣ୍ଢେଇପକେଇଲା।

ମୋ ଜନ୍ମଦିନ ପାଳିବା ପାଇଁ ପୂର୍ବରୁ ଯେଉଁ ସବୁ ଯୋଜନା ହୋଇଥିଲା ସେ ସବୁ ଯୋଜନାରେ ହିଁ ରହିଗଲା। ସ୍ତ୍ରୀ କହିଲା ବାତ୍ୟାରେ ଏତେ ସମସ୍ୟା ହୋଇଛି। ପୁଣି ତୁମେ ନିଜେ କ୍ଲାନ୍ତ। ତୁମେ ଟିକେ ରେଷ୍ଟ୍ ନିଅ। ମୁଁ ସେତେବେଳେ ଭାବୁଥିଲି, ମୋ ଜୀବନର ପ୍ରତିଟି ସୁବିଧା ଅସୁବିଧାରେ ମତେ ସହଜରେ ଆଗକୁ ନେଇଯାଉଥିବା ମୋ ସ୍ତ୍ରୀ ମତେ ସତରେ କେତେ ବୁଝି ପାରେ, ତା’ ଆତ୍ମିୟତା, ତା’ ଆନ୍ତରିକତା ମତେ ସଦାବେଳେ ମୋହଗ୍ରସ୍ତ କରେ।