
K. Murugesan(left), Chitra (right)
ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକସ୍ତରରେ କେତେକ ଅଦଳବଦଳ କରିବା ସହ ୧୯୯୬ ବ୍ୟାଚର ୪ଜଣ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ସେହିପରି ବରିଷ୍ଠ ଆଇଏଫଏସ୍ ଅଫିସର କେ.ମୁରୁଗେସନଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତି ମିଳିଥିବାବେଳେ ବରିଷ୍ଠ ଆଇଏଏସ୍ ଚିତ୍ରା ଅରୁଗୁମଙ୍କୁ ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର ନିର୍ଦ୍ଦେଶକ ଜେନେରାଲ(ଡିଜି) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
କେ. ମୁରୁଗେସନ ହେଲେ ରାଜ୍ୟ ବନ ବାହିନୀର ମୁଖ୍ୟ(ପିସିସିଏଫ)
୧୯୯୪ ବ୍ୟାଚର ଭାରତୀୟ ବନ ସେବା (ଆଇଏଫଏସ) ଡକ୍ଟର କେ. ମୁରୁଗେସନଙ୍କୁ ରାଜ୍ୟ ସରକାର ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଓ ବନ ବାହିନୀର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଜଙ୍ଗଲ ବିଭାଗର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ସେ ରାଜ୍ୟର ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱର୍ପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀର ଅତିରିକ୍ତ ଦାୟିତ୍ୱ
୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ୍ ତଥା ଶ୍ରମ ଓ ରାଜ୍ୟ ଇଏସଆଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର ନିର୍ଦ୍ଦେଶକ ଜେନେରାଲ(ଡିଜି) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେଠାରେ ଥିବା ବରିଷ୍ଠ ଆଇଏଏସ୍ ଜି.ମାଥିଭାଥାନନ୍ ଆଜି ସରକାରୀ ଚାକିରିରୁ ଅବସର ନେବା ପରେ ଏହି ଦାୟିତ୍ୱ ଚିତ୍ରାଙ୍କୁ ନ୍ୟସ୍ତ ହୋଇଛି । ଚିତ୍ରା ମଧ୍ୟ ଅତିରିକ୍ତ ଭାବେ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ତୁଲାଇବେ । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସେ ନିଜର ମୂଳ ଦାୟିତ୍ୱ ସହ ଏହି ଅତିରିକ୍ତ କାର୍ଯ୍ୟଭାର ତୁଲାଇବେ ।
୧୯୯୬ ବ୍ୟାଚ୍ ୪ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା
ରାଜ୍ୟ ସରକାର ୧୯୯୬ ବ୍ୟାଚର ୪ଜଣ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ପୂର୍ବରୁ ଏହି ବ୍ୟାଚ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିସାରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଶକ୍ତି ସଚିବ ବିଶାଳ କୁମାର ଦେବ ଓ ନଗର ଉନ୍ନୟନ ଉଷା ପାଢୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି ।
ସେହପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ତାଙ୍କ ବ୍ୟାଚର ବୀରବିକ୍ରମ ଯାଦବଙ୍କୁ ମଧ୍ୟ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ଏହି ସମସ୍ତ ପଦୋନ୍ନତି ଆସନ୍ତାକାଲିଠୁ ଅର୍ଥାତ୍ ଫେବୃଆରୀ ୧ରୁ କାର୍ଯ୍ୟକାରୀ ହେବ ।
ଏହାବ୍ୟତୀତ, ଅନ୍ୟ ଏକ ବିଜ୍ଞପ୍ତିରେ ୨୦୧୨ ବ୍ୟାଚର ଆଇଏଏସ ଅଫିସର ସରୋଜ କୁମାର ସେଠୀଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଏବେ ଇଡକୋର ମୁଖ୍ୟ ଜେନେରାଲ ମ୍ୟାନେଜର(ଭୂମି) ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସେ ନିଜର ଏହି ନୂଆ ଦାୟିତ୍ୱ ସହ ଅତିରିକ୍ତ ଭାବେ ଇଡକୋ ଦାୟିତ୍ୱ ମଧ୍ୟ ତୁଲାଇବେ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
