Advertisment

New PCCF କେ.ମୁରୁଗେସନ ହେଲେ ନୂଆ ପିସିସିଏଫ,ଚିତ୍ରାଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ଦାୟିତ୍ୱ

ବରିଷ୍ଠ ଆଇଏଫଏସ୍ ଅଫିସର କେ.ମୁରୁଗେସନଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତି ମିଳିଥିବାବେଳେ ବରିଷ୍ଠ ଆଇଏଏସ୍ ଚିତ୍ରା ଅରୁଗୁମଙ୍କୁ ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର  ନିର୍ଦ୍ଦେଶକ ଜେନେରାଲ(ଡିଜି) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

author-image
Prakaash Sethi
Chitra

K. Murugesan(left), Chitra (right)

ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକସ୍ତରରେ କେତେକ ଅଦଳବଦଳ କରିବା ସହ ୧୯୯୬ ବ୍ୟାଚର ୪ଜଣ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ସେହିପରି ବରିଷ୍ଠ ଆଇଏଫଏସ୍ ଅଫିସର କେ.ମୁରୁଗେସନଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତି ମିଳିଥିବାବେଳେ ବରିଷ୍ଠ ଆଇଏଏସ୍ ଚିତ୍ରା ଅରୁଗୁମଙ୍କୁ ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର  ନିର୍ଦ୍ଦେଶକ ଜେନେରାଲ(ଡିଜି) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

Advertisment

କେ. ମୁରୁଗେସନ ହେଲେ ରାଜ୍ୟ ବନ ବାହିନୀର ମୁଖ୍ୟ(ପିସିସିଏଫ)

୧୯୯୪ ବ୍ୟାଚର ଭାରତୀୟ ବନ ସେବା (ଆଇଏଫଏସ) ଡକ୍ଟର କେ. ମୁରୁଗେସନଙ୍କୁ ରାଜ୍ୟ ସରକାର ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଓ ବନ ବାହିନୀର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଜଙ୍ଗଲ ବିଭାଗର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ସେ ରାଜ୍ୟର ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱର୍ପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀର ଅତିରିକ୍ତ ଦାୟିତ୍ୱ

୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ୍ ତଥା ଶ୍ରମ ଓ ରାଜ୍ୟ ଇଏସଆଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର ନିର୍ଦ୍ଦେଶକ ଜେନେରାଲ(ଡିଜି) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେଠାରେ ଥିବା ବରିଷ୍ଠ ଆଇଏଏସ୍ ଜି.ମାଥିଭାଥାନନ୍ ଆଜି ସରକାରୀ ଚାକିରିରୁ ଅବସର ନେବା ପରେ ଏହି ଦାୟିତ୍ୱ ଚିତ୍ରାଙ୍କୁ ନ୍ୟସ୍ତ ହୋଇଛି । ଚିତ୍ରା ମଧ୍ୟ ଅତିରିକ୍ତ ଭାବେ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ତୁଲାଇବେ । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସେ ନିଜର ମୂଳ ଦାୟିତ୍ୱ ସହ ଏହି ଅତିରିକ୍ତ କାର୍ଯ୍ୟଭାର ତୁଲାଇବେ ।

Advertisment

୧୯୯୬ ବ୍ୟାଚ୍ ୪ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା

ରାଜ୍ୟ ସରକାର ୧୯୯୬ ବ୍ୟାଚର ୪ଜଣ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ପୂର୍ବରୁ ଏହି ବ୍ୟାଚ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିସାରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଶକ୍ତି ସଚିବ ବିଶାଳ କୁମାର ଦେବ ଓ ନଗର ଉନ୍ନୟନ ଉଷା ପାଢୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି ।

ସେହପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ତାଙ୍କ ବ୍ୟାଚର ବୀରବିକ୍ରମ ଯାଦବଙ୍କୁ ମଧ୍ୟ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ଏହି ସମସ୍ତ ପଦୋନ୍ନତି ଆସନ୍ତାକାଲିଠୁ ଅର୍ଥାତ୍ ଫେବୃଆରୀ ୧ରୁ କାର୍ଯ୍ୟକାରୀ ହେବ ।

ଏହାବ୍ୟତୀତ, ଅନ୍ୟ ଏକ ବିଜ୍ଞପ୍ତିରେ  ୨୦୧୨ ବ୍ୟାଚର ଆଇଏଏସ ଅଫିସର ସରୋଜ କୁମାର ସେଠୀଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଏବେ ଇଡକୋର ମୁଖ୍ୟ ଜେନେରାଲ ମ୍ୟାନେଜର(ଭୂମି) ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସେ ନିଜର ଏହି ନୂଆ ଦାୟିତ୍ୱ ସହ ଅତିରିକ୍ତ ଭାବେ ଇଡକୋ ଦାୟିତ୍ୱ ମଧ୍ୟ ତୁଲାଇବେ ବୋଲି ଜଣାପଡ଼ିଛି ।