Advertisment

ମା’ ସହ ୩ ପୁଅଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଆଟିଗାଁ ଆରଆଇ ଅଫିସରେ କାମ କରୁଥିବା ଠିକା ପିଅନ ଛାୟାକାନ୍ତ ଦଣ୍ଡସେନାଙ୍କୁ ଏହି ୪ ଜଣ ହତ୍ୟା କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accused

Accused

୨୦୧୮ ମସିହାର ଏକ ଚର୍ଚ୍ଚିତ ହତ୍ୟାକାଣ୍ଡର ରାୟ ପ୍ରକାଶ କରିଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ । ଠିକା ପିଅନ ଛାୟାକାନ୍ତ ଦଣ୍ଡସେନା ହତ୍ୟାକାଣ୍ଡ ଘଟଣାରେ ଜଣେ ମହିଳା ଓ ତାଙ୍କର ୩ ପୁଅଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହି ୪ ହତ୍ୟାକାରୀ ହେଲେ କୁଚିତା ଦଣ୍ଡସେନା, ତାଙ୍କ ତିନି ପୁଅ- ରାଧୁ ଦଣ୍ଡସେନା, ପୀତ ଦଣ୍ଡସେନା ଓ ଯଦୁ ଦଣ୍ଡସେନା। ସେମାନଙ୍କୁ ଅତିରିକ୍ତ ଜିଲ୍ଲା ଜଜ୍ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ମୁଣ୍ଡ ପିଛା ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି।

Advertisment

ଆଟିଗାଁ ଆରଆଇ ଅଫିସରେ ଠିକା ପିଅନ ଭାବେ କାମ କରୁଥିଲେ ଛାୟାକାନ୍ତ ଦଣ୍ଡସେନା। ତାଙ୍କୁ ୨୦୧୮ ମସିହା ଜୁନ୍‌ ୧୪ ତାରିଖରେ କୁଚିତା ଓ ତାଙ୍କ ତିନି ପୁଅ ମିଶି ହତ୍ୟା କରିଥିଲେ। ଆରଆଇ ଅଫିସ ପାଖରେ ଥିବା ଜମିରେ କୁଚିତା ଓ ତାଙ୍କ ପୁଅମାନେ ଘର କରିବା ପାଇଁ ନିଅଁ ଖୋଳୁଥିଲେ। ତେବେ ଛାୟାକାନ୍ତ ଦଣ୍ଡସେନା ଏହାର ପ୍ରତିବାଦ କରିଥିଲେ। କୁଚିତା ଓ ତାଙ୍କ ପୁଅମାନଙ୍କୁ ସେ କହିଥିଲେ ଯେ ଆରଆଇ ମାପଚୁପ କରିବା ପରେ ଯଦି ସେମାନଙ୍କର ସେଠାରେ ଜାଗା ଥିବ ବୋଲି ଜଣାପଡ଼ିବ, ତା’ହେଲେ ଯାଇ ସେମାନେ ଘର କରିପାରିବ। ଛାୟାକାନ୍ତଙ୍କ କଥା ଶୁଣି କୁଚିତା ଦଣ୍ଡସେନା ଓ ତାଙ୍କ ୩ ପୁଅ ଉତକ୍ଷିପ୍ତ ହୋଇଯାଇଥିଲେ। କୁଚିତା ଦଣ୍ଡସେନା ଏକ ଟାଙ୍ଗିଆ ଆଣି ବଡ଼ ପୁଅ ରାଧୁକୁ ଦେଇଥିଲେ। ଏହା ପରେ ତାଙ୍କର ଅନ୍ୟ ଦୁଇ ପୁଅ (ପୀତ ଓ ଯଦୁ) ଛାୟାକାନ୍ତଙ୍କ ଦୁଇ ହାତକୁ ଧରିଥିଲେ। ତା’ପରେ ରାଧୁ ଛାୟାକାନ୍ତଙ୍କୁ ହାଣି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଛାୟାକାନ୍ତଙ୍କ ମୃତ୍ୟୁ ଘଟିଥିଲା।

ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ କହିଛନ୍ତି, ଅତିରିକ୍ତ ଜିଲ୍ଲା ଜଜ୍ ଆଜି ସମସ୍ତ ସାକ୍ଷୀପ୍ରମାଣକୁ ଆଧାର କରି ତାଙ୍କ ରାୟ ପ୍ରକାଶ କରିଛନ୍ତି। କୁଚିତା ଦଣ୍ଡସେନା ଓ ତାଙ୍କ ୩ ପୁଅକୁ  ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଜଣଙ୍କ ପିଛା ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି।

Advertisment
Murder Kalahandi , Odisha Police