/odisha-reporter/media/post_attachments/uploads/2020/07/deadbody-888.jpg)
deadbody
ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ଅଞ୍ଚଳରେ ଦାଦନ ଯନ୍ତ୍ରଣା ବଢ଼ିବାରେ ଲାଗିଛି । ତାମିଲନାଡୁରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସିନ୍ଧିପଦର ପଞ୍ଚାୟତ ସମାପଲାର ଡୁମେନ ମାଝାଙ୍କ ସାନପୁଅ ବିନାରସିଂ ମାଝା ( ୩୧ ) । ଅର୍ଥାଭାବ ଯୋଗୁଁ ବିନାରସିଂଙ୍କ ମୃତଦେହ ଗାଁକୁ ଆସିପାରୁ ନାହିଁ । ବିନାରସିଂ ୨୦୧୯ରେ ଦାଦନ ଖଟିବାକୁ ତାମିଲନାଡୁକୁ ଯାଇଥିଲେ । କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ସାଥୀମାନେ ତାଙ୍କୁ କୋଏମ୍ବାଟୁର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ତାଙ୍କ ମୃତ୍ୟୁ ହୋଇଛି ।
ଏହି ଖବର ଜାଣିବା ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି । ବିନାରସିଂ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ରୋଜଗାରିଆ ସ୍ୱାମୀଙ୍କୁ ହରାଇ ସ୍ତ୍ରୀ ଏବେ ବେସାହାରା ହୋଇପଡ଼ିଛନ୍ତି । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୃତଦେହ ଫେରାଇ ଆଣିବାକୁ ସେଠିକାର ପ୍ରଶାସନ ସହ ଯୋଗାଯୋଗ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
