ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ନାନ୍ଦୋଲ ଗାଁରେ ରହନ୍ତି ପଟାୟତ ସାହୁ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପଟାୟତଙ୍କର ପ୍ରଶଂସା କରିଥିଲେ। କାରଣ ସେ ତାଙ୍କ ଘର ବଗିଚାରେ ଲଗାଇଛନ୍ତି ୨,୫୦୦ରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ। ହେଲେ ଏହା ତାଙ୍କର ମାସେ କି ବର୍ଷେର ପରିଶ୍ରମର ଫଳ ନୁହେଁ। ଏହି ବଗିଚା ତାଙ୍କର ଦୀର୍ଘ ୩୫ ବର୍ଷର ଫଳ। ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଶଂସା ପାଇ ପଟାୟତ ଖୁବ୍ ଖୁସି ହୋଇଥିବା ବେଳେ ତାଙ୍କ ପରିଶ୍ରମ ସାର୍ଥକ ହୋଇଛି ବୋଲି କହିଛନ୍ତି।
ସାରା ଦେଶର ବିଭିନ୍ନ ଜାଗାରୁ ସେ ସଂଗ୍ରହ କରିଛନ୍ତି ଏହି ସବୁ ଔଷଧୀୟ ବୃକ୍ଷ। ଏଥିରେ ଅନେକ ବିରଳ ଔଷଧୀୟ ବୃକ୍ଷ ମଧ୍ୟ ରହିଛି। ସେ ନିଜେ ବୃକ୍ଷ ସଂଗ୍ରହ କରନ୍ତି, ନିଜେ ସେଗୁଡ଼ିକୁ ଲଗାନ୍ତି ଓ ନିଜେ ଯତ୍ନ ନିଅନ୍ତି। ତା’ସହିତ ସେ ଔଷଧୀୟ ବୃକ୍ଷ ଉପରେ ତାଙ୍କର ଗବେଷଣା ଜାରି ରଖିଛନ୍ତି।
ଅନେକ ଲୋକ ଔଷଧୀୟ ବୃକ୍ଷ ଗୁଡ଼ିକ ସଂପର୍କରେ ଜାଣିବା ପାଇଁ ତାଙ୍କ ବଗିଚା ବୁଲିବାକୁ ଆସନ୍ତି। ପଟାୟତ ସେମାନଙ୍କୁ ଔଷଧୀୟ ବୃକ୍ଷ ଗୁଡ଼ିକର ଗୁଣ ସଂପର୍କରେ ସେମାନଙ୍କୁ ବର୍ଣ୍ଣନା କରିବା ସହିତ ସେମାନଙ୍କୁ ଘର ବାଡ଼ିରେ ଲଗାଇବା ପାଇଁ ଚାରା ମଧ୍ୟ ଦିଅନ୍ତି।
ପଟାୟତ ସାହୁ କହିଛନ୍ତି, 'ପାରମ୍ପରିକ ଚିକିତ୍ସା ଲାଗି ଗୋଟିଏ ଏକରରୁ ଅଧିକ ଜାଗାରେ ଗଙ୍ଗଶିଉଳୀ, ଭୁଇଁଲିମ୍, ସପ୍ତପର୍ଣ୍ଣି ଆଦି ଅନେକ ଔଷଧୀୟ ବୃକ୍ଷ ଚାଷ କରାଯାଇଛି। ଝାଡ଼ାବାନ୍ତି ଲାଗି ହେମ କେଦାରର ୫-୬ଟି ଭେରାଇଟୀ ଅଛି। ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ ଓ ଉତ୍ତରାଖଣ୍ଡ ଆଦି କିଛି ରାଜ୍ୟରୁ ଏହି ଔକ୍ଷଧୀୟ ଚେର ଆଣୁ। ଆମେ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ରାଜ୍ୟକୁ ଗସ୍ତ ସମୟରେ ସେଠାରୁ ଯେଉଁ ବିରଳ ଗଛ ମିଳେ, ତାକୁ ସାଥିରେ ନେଇକି ଆସୁ।'
ସେ କହିଛନ୍ତି, ମୋର ଏହି କାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିବାରୁ ମୁଁ ବହୁତ ଖୁସି। କହିବାକୁ ଗଲେ ମୋର ୩୦-୩୫ ବର୍ଷର ପରିଶ୍ରମ ଆଜି ସାର୍ଥକ ହେଲା। ଆଉ ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଯଦି ସରକାର ମୋତେ ସହାୟତା କରିବେ, ତା’ହେଲେ ଏହି କାମକୁ ଆହୁରି ବଢ଼ାଇ ପାରିବି। ଆର୍ଥିକ ସଂକଟ ସହ ମୋର ଭଲ ଘର ଖଣ୍ଡେ ବି ନାହିଁ। ସରକାର ଆର୍ଥିକ ସହାୟତା ସହ ଯଦି ୩ରୁ ୫ ଏକର ଜାଗା ଯୋଗାଇ ଦିଅନ୍ତେ, ତା’ହେଲେ ମୁଁ ୪ରୁ ୫ ହଜାର ପ୍ରଜାତିର ଔକ୍ଷଧୀୟ ବୃକ୍ଷ ରୋପଣ କରିପାରିବି।
ପଟାୟତ କେବଳ ଯେ ଔଷଧୀୟ ବୃକ୍ଷ ଲଗାଉଛନ୍ତି, ତାହା ନୁହେଁ। ସେ ଔଷଧୀୟ ବୃକ୍ଷ ଉପରେ ଅନେକ ପୁସ୍ତକ ଅଧ୍ୟୟନ କରି ଏହାର ଡକ୍ୟୁମେଣ୍ଟେସନ୍ ମଧ୍ୟ କରିଛନ୍ତି। ଅନେକ ଔଷଧୀୟ ଫଳ, ଡାଳ ଓ ଚେରରେ ସେ ବିଭିନ୍ନ ଦୁର୍ମୁଲ୍ୟ ଔଷଧ ତିଆରି କରି ଲୋକଙ୍କୁ ମାଗଣାରେ ଦେଉଛନ୍ତି। ଏଥିପାଇଁ ଘରେ ସେ ଏକ କୋଠରୀରେ ପ୍ରୟୋଗଶାଳା ତିଆରି କରିଛନ୍ତି। ତାଙ୍କ ଅଜାଙ୍କ ଅମଳରୁ ଏହି ଅଞ୍ଚଳର ପାରମ୍ପରିକ ବୈଦ୍ୟ ହିସାବରେ ଏହି ପରିବାରର ପ୍ରତିଷ୍ଠା ରହିଥିବା ବେଳେ ପଟାୟତ ସେବା ମନୋଭାବ ରଖି ଏହି କାର୍ଯ୍ୟକୁ ବହୁ ଆଗକୁ ନେଇଛନ୍ତି। ତେବେ ଜାଗାର ଅଭାବ ହେତୁ ସେ ଅନେକ କାମକୁ ଆଗକୁ ବଢ଼ାଇ ପାରୁ ନାହାନ୍ତି।