Advertisment

ମିଠା ବ୍ୟବସାୟୀଙ୍କ ମୁକ୍ତ ଚାଟଶାଳୀ

ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସେମାନେ ପ୍ରଥମେ ଘର ଘର ବୁଲି ବାପା ମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲାମାନଙ୍କୁ ଆଣୁଥିଲେ। ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦।

author-image
Niranjan Mishra
ଅଦ୍ୟତନ ହୋଇଛି
free coaching centre

free coaching centre

ମିଠା ବ୍ୟବସାୟୀଙ୍କ ମୁକ୍ତ ଚାଟଶାଳୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଏବେ ବେଶ୍ ନାଁ କରିଥିବା ଏହା ହେଉଛି ଦୀପକ ରଂଜନଙ୍କ ମାଗଣା ପାଠଶାଳା। ଯେଉଁଠାରେ ଶତାଧିକ ଛାତ୍ରଛାତ୍ରୀ ଏବେ ଭବିଷ୍ୟ ଗଢ଼ୁଛନ୍ତି। ବିଶେଷ ଭାବେ ଟଙ୍କା ଅଭାବରୁ କୋଚିଂ ନେଇ ପାରୁ ନ ଥିବା ଛାତ୍ରଛାତ୍ରୀମାନେ ଏଠାରେ ପାଠ ପଢ଼ୁଛନ୍ତି।

Advertisment

ପାଠ ପଢ଼ିବା ପୂର୍ବରୁ ଆହେ ଦୟାମୟ ବିଶ୍ୱ ବିହାରୀ ପ୍ରାର୍ଥନା ବୋଲାଯାଏ। ଧାଡ଼ିରେ ଛିଡ଼ା ହୋଇ କୁନି କୁନି ପିଲାମାନେ ଏହି ପ୍ରାର୍ଥନା ବୋଲିଥାନ୍ତି। ପରେ ଆରମ୍ଭ ହୁଏ ପାଠପଢ଼ା। ବିଦ୍ୟାଳୟ ଶିକ୍ଷା ପରେ ଏହି ମୁକ୍ତ ଚାଟଶାଳୀ ସେମାନଙ୍କୁ ଆଗକୁ ବଢ଼ିବାର ବାଟ ଦେଖାଉଛି।

ଜୁନାଗଡ଼ ସହରର ସ୍ୱାଗତ କଲୋନୀରେ ରହୁଥିବା ବସ୍ତି ପିଲାଙ୍କୁ ବିନା ମୂଲ୍ୟରେ କୋଚିଂ ଯୋଗାଇ ଦେବାର ସ୍ୱପ୍ନ ନେଇ ଆଜିକୁ ପ୍ରାୟ ୬ ମାସ ତଳେ ସହରର ଯୁବ ବ୍ୟବସାୟୀ ଦୀପକ ରଂଜନ ଓ ପତ୍ନୀ ସୀତାରାଣୀ ଆରମ୍ଭ କରିଥିଲେ ଏ ପ୍ରୟାସ। ଆଉ ମାତ୍ର ୬ ମାସରେ ସେମାନଙ୍କ ଉଦ୍ୟମ ଏବେ ସଫଳତାର ରାସ୍ତାରେ। ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସେମାନେ ପ୍ରଥମେ ଘର ଘର ବୁଲି ବାପା ମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲାମାନଙ୍କୁ ଆଣୁଥିଲେ। ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦।

Advertisment

ଦୀପକଙ୍କ ପାଠଶାଳାରେ ପିଲାଙ୍କୁ ପାଠ୍ୟଦାନ ସମୟ ସାଢେ ୪ଟାରୁ ସାଢ଼େ ୬ଟା। ସ୍କୁଲରୁ ଫେରିବା ପରେ ତାଙ୍କ ଚାଟଶାଳୀକୁ ଆସି ପ୍ରାୟ ୨ ଘଣ୍ଟାର କୋଚିଂ ନେଉଛନ୍ତି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା। ଏଥିପାଇଁ କାହାଠୁ ଟଙ୍କାଟିଏ କି ପାରିଶ୍ରମିକ ଗ୍ରହଣ କରନ୍ତି ନାହିଁ ଉଭୟ ପତି-ପତ୍ନୀ। କ୍ରମେ ପିଲାଙ୍କ ସଂଖ୍ୟା ବୃଦ୍ଧି ପରେ ଏବେ ସମଭାବାପନ୍ନ କିଛି ବନ୍ଧୁ ଓ ବାନ୍ଧବୀଙ୍କ ସହାୟତାରେ ଏ ପାଠ୍ୟଦାନ ପ୍ରକ୍ରିୟାକୁ ଆହୁରି ଆଗକୁ ନେଇଛନ୍ତି ଏମାନେ।

ଦୀପକ ନିଜର ଏକ ଛୋଟିଆ ମିଠା ଦୋକାନରୁ ଯାହା ରୋଜଗାର କରନ୍ତି, ସେଇଥିରୁ ପରିବାର ଚଳାଇ ଅବଶିଷ୍ଟ ଅର୍ଥକୁ ଏଇ ବାଟରେ ଖର୍ଚ୍ଚ କରନ୍ତି। ଅର୍ଥାଭାବରୁ ଉଚ୍ଚଶିକ୍ଷା ଗ୍ରହଣ କରିପାରିନଥିବା ଦୀପକଙ୍କ ପିଲାଦିନ ବେଶ କଷ୍ଟ ଓ ଆଉ ଯନ୍ତ୍ରଣାରେ କଟିଥିଲା। ଅଭାବରେ ଚଳୁଥିବା ଅଭିଭାବକମାନେ ପିଲାଙ୍କୁ ଭଲ ଶିକ୍ଷା ଟିକିଏ ଦେବାକୁ କେମିତି ସଂଘର୍ଷ କରନ୍ତି, ଏହାର ଦୁଃଖକୁ ଅତି ନିକଟରୁ ଦେଖିଥିଲେ ସେ। ତେଣୁ ବସ୍ତି ଅଞ୍ଚଳର ଗରିବ ପିଲାଙ୍କୁ ସେ ଅଭାବ, ଅସୁବିଧା ଭିତରୁ ଉଦ୍ଧାର କରିବାକୁ ଏବେ ପତ୍ନୀଙ୍କୁ ସାଥୀ କରି ବାଟ ଚାଲୁଛନ୍ତି।

free coaching centreଅଭିଭାବକଙ୍କୁ ବୁଝାଉଛନ୍ତି ଦୀପକ ରଂଜନ ଓ ପତ୍ନୀ ସୀତାରାଣୀ।

ଦୀପକ କହିଛନ୍ତି, ଭିଜନ ୨୦୪୭ ଅଭିଯାନକୁ ସଫଳ କରିବାକୁ ଏହି ପ୍ରୟାଶ ଚାଲିଛି। ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟରେ ରଖି ଅଭିଯାନ ଚାଲିଛି। ଏବେ ଯେଉଁ ପିଲା ପ୍ରଥମରେ ପଢ଼ୁଛି, ସେତବେଳକୁ ସେ ୨୪ ବର୍ଷ ବୟସରେ ପହଞ୍ଚିଥିବ। ସମସ୍ତଙ୍କୁ ସୁନାଗରିକ କରିବା ଓ ଦେଶ ପାଇଁ ସମସ୍ତେ କାମ କରିବା ଲକ୍ଷ୍ୟରେ ଏହି ଅଭିଯାନ ଚାଲିଛି।

ଦୀପକଙ୍କ ପତ୍ନୀ ସୀତାରାଣୀ ସାହୁ କହିଛନ୍ତି, ଯେଉଁ ପିଲାମାନେ ପାଠ ପଢ଼ିପାରୁନାହାନ୍ତି ସେମାନଙ୍କୁ ପାଠପଢ଼ାଇବାକୁ ମନସ୍ଥ କରି ଏହି ଅଭିଯାନ ଆରମ୍ଭ ହୋଇଛି। ପାଠରେ ଦୁର୍ବଳ ଥିବା ପିଲାଙ୍କୁ ପାଠରେ ସବଳ କରାଇ ପାରିଲେ କିଛି କରିହେଲା ବୋଲି ଭାବି କୁନି ପିଲାମାନଙ୍କୁ ପାଠ ପଢ଼ାଉଛି। 

Teaching