ଆବାସ ଯୋଜନାରୁ ସମ୍ପୂର୍ଣ୍ଣ ବଞ୍ଚିତ ଗୋଟିଏ ଗାଁ !

ସରପଞ୍ଚ କହିଛନ୍ତି, ଏହି ଗ୍ରାମବାସୀଙ୍କ ଦୁଃଖ ଦୂର କରି ନ ପାରିବାରୁ ମୋତେ କାନ୍ଦ ଲାଗୁଛି।

ସାନକେନ୍ଦୁଗୁଡା ଗାଁ

  • Published: Saturday, 04 February 2023
  • , Updated: 04 February 2023, 05:24 PM IST

ଆବାସ ଯୋଜନାରୁ ସମ୍ପୂର୍ଣ୍ଣ ବଞ୍ଚିତ ଗୋଟିଏ ଗାଁ। ଗତ ୫ ବର୍ଷ ମଧ୍ୟରେ ଏହି ଗାଁରେ ଗୋଟିଏ ବି ପରିବାର କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍କାଘର ଯୋଜନାରେ ଆବାସ ସୁବିଧା ପାଇନାହାନ୍ତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକ ତେଣ୍ଡାପାଲି ପଂଚାୟତର ସାନକେନ୍ଦୁଗୁଡା ଗାଁରୁ ଏହି ଅଭିଯୋଗ ଆସିଛି। ଖୋଦ୍ ଗାଁ ସରପଞ୍ଚ ମଧ୍ୟ ଏହା ସ୍ୱୀକାର କରିବା ସହ ସରକାରୀ ଦାୟିତ୍ୱହୀନତାକୁ ପଦାରେ ପକାଇଛନ୍ତି। ଏହି ଗାଁର ଶତାଧିକ ଲୋକ ଭଙ୍ଗା ଦଦରା ମାଟି ଘରେ କାଳାତିପାତ କରୁଛନ୍ତି। ପ୍ରଧାମନ୍ତ୍ରୀ ଆବାସ ହିତାଧିକାରୀ ଚୟନକୁ ନେଇ ରାଜ୍ୟ ରାଜନୀତି ଗରମ ଥିବା ବେଳେ ଏହି ଘଟଣା ଜଣାପଡ଼ିବା ନିଆଁରେ ଘିଅ ଢ଼ାଳିଛି।

ବିପଦସଙ୍କୁଳ ଘରେ ବାସବାସ କରୁଥିବା ଗ୍ରାମବାସୀ ପଲାସ କହିଛନ୍ତି, ବାରମ୍ବାର ଅଭିଯୋଗ ସତ୍ତ୍ୱେ ସରକାର ପକ୍କାଘର ଗୋଟିଏ ଯୋଗାଇ ଦେଉନାହାନ୍ତି। ତେଣୁ ଭଙ୍ଗା ଦଦରା ଘରେ ପୁଅ, ବୋହୂ, ନାତି, ନାତୁଣୀ ସହିତ ୭ ପ୍ରାଣୀ ରହିବାକୁ ପଡ଼ୁଛି। ଆବାସ ଯୋଜନା ପାଇଁ ସେ ସଂପୂର୍ଣ୍ଣ ଯୋଗ୍ୟ ହୋଇଥିଲେ ବି ତାଙ୍କୁ ଏହାର ସୁଫଳ ମିଳୁନାହିଁ। କାରଣ ଗତ ୨୦୧୭ ମସିହାରୁ ଆବାସ ଯୋଜନାରେ କାହାରି ନାଁକୁ ସରକାରୀ ଅଧିକାରୀମାନେ ସାମିଲ କରୁନାହାନ୍ତି। ଗତ ୭ ବର୍ଷ ହେବ ଏ ବାବଦରେ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ହୋଇଥିଲେ ବି କିଛି ଫଳ ମିଳୁନି। ତେଣୁ ଭଙ୍ଗା ଘରେ ଦିନବେଳେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଛି। ମାଟି କାନ୍ଥଗୁଡ଼ିକ ଦୋହଲା ମାରୁଛି। କେତେବେଳେ କିଛି ବି ଅଘଟଣ ଘଟିପାରେ। ମୂଲମଜୁରୀ କରି ପରିବାର ଚଳୁଥିବାରୁ ପକ୍କା ଘର ତୋଳିବା ନିମନ୍ତେ ଲକ୍ଷାଧିକ ଟଙ୍କା ଏକାଠି କରି ହେଉନାହିଁ।

ଏହି ଗାଁରେ ପଲାସଙ୍କ ସମେତ ଶତାଧିକ ପରିବାରର ମଧ୍ୟ ସମାନ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।

ସାନକେନ୍ଦୁଗୁଡା ବାସିନ୍ଦା ନିଳେଦ୍ରୀ ନାଗ ଓ ରାଏଧର ଗୋପାଳ କହିଛନ୍ତି, ପକ୍କାଘର ଖଣ୍ଡିଏ ଯୋଗାଇ ଦେବାକୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କୁ ବହୁବାର ଅଭିଯୋଗ ଦାଖଲ ହୋଇଛି। ହେଲେ ସେମାନଙ୍କ ଅଭିଯୋଗକୁ କେହି ଦୃଷ୍ଟି ଦେଉନାହାନ୍ତି। ସରକାର ପକ୍କାଘର ଯୋଗାଇ ଦେଲେ ସେମାନେ ଖରା, ବର୍ଷା, ଶୀତ ଦିନେ ସୁରକ୍ଷିତ ଭାବେ ମୁଣ୍ଡ ଗୁଞ୍ଜି ପାରନ୍ତେ।

ସେପଟେ ଏବେ ପଞ୍ଚାୟତ ଅଫିସ କାନ୍ଥରେ ସାମ୍ଭାବ୍ୟ ନୂଆ ହିତାଧିକାରୀ ତାଲିକା ମରାଯାଇଛି। ଏଥିରେ ୧୫୯ ଜଣ ହିତାଧିକାରୀଙ୍କ ନାଁ ରହିଛି। ତାଲିକାରେ ଏହି ପଂଚାୟତର ସାଗବାହାଲି ଓ ତେଣ୍ଡାପାଲି ଗାଁର ଅନେକ ଲୋକଙ୍କ ନାଁ ରହିଛି। ହେଲେ ସାନକେନ୍ଦୁଗୁଡା ଗାଁର କୌଣସି ଯୋଗ୍ୟ ହିତାଧିକାରୀ ନାମ ନାହିଁ।

ଏଠାରେ ପ୍ରଶ୍ନ ଉଠୁଛି ଗତ ୨୦୧୧ ସର୍ଭେ ଅନୁଯାୟୀ ଏସ‌୍‍ସିସିସି ତାଲିକ ପ୍ରସ୍ତୁତ କରାଯାଇଥିଲା। ପରେ ୨୦୧୭ରେ ଛାଡି ହୋଇଯାଇଥିବା ଯୋଗ୍ୟ ହିତାଧିକାରୀମାନଙ୍କ ନାଁକୁ ତାଲିକାରେ ଯୋଡିବା ପାଇଁ ସରକାର ବ୍ୟବସ୍ଥା କଲେ। ଏହା ସତ୍ତ୍ୱେ ଏସସିସିସି ତାଲିକାରୁ କଚ୍ଚା ଘରେ ରହୁଥିବା ସାନକେନ୍ଦୁଗୁଡ଼ାବାସୀ ଯୋଗ୍ୟ ହିତାଧିକାରୀଙ୍କ ନାମ ଗାୟବ ହେବା ସରକାରୀ ଅଧିକାରୀଙ୍କ ଚଞ୍ଚକତାକୁ ପଦାରେ ପକାଇଛି।

ତେଣ୍ଡାପାଲି ସରପଞ୍ଚ ବୈଲୋଚନ ଗୋପାଳ କହିଛନ୍ତି, ୨୦୧୭ରୁ ଏହି ଗାଁରେ କେହିବି ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ପାଇନାହାନ୍ତି। ୨୦୨୨ ମାର୍ଚ୍ଚରେ ସରପଞ୍ଚ ଦାୟିତ୍ୱ ନେବା ପରେ ସରକାରୀ କାଜଗପତ୍ର ଯାଞ୍ଚ କରିବା ବେଳେ ଏହି ଗାଁର କୌଣସି ସାମ୍ଭାବ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ନଥିବା ଦେଖିବାକୁ ପାଇଥିଲି। ପରେ ଗ୍ରାମବାସୀମାନଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେମାନେ ବିଡିଓଙ୍କୁ ଯାଇ ଅଭିଯୋଗ କରିଥିଲେ। ବିଡିଓ କିଛି କରିପାରିବେନି ବୋଲି ଗ୍ରାମବାସୀଙ୍କୁ କହିଥିଲେ। ବିଭାଗୀୟ ୱେବ୍‌ସାଇଟ୍ ଖୋଲିବା ପରେ ଯାହା ହେବ ବୋଲି ଆଶ୍ୱାସନା ଦେଇଥିଲେ। ପରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଏ ବାବଦରେ ଜଣାଇଥିଲେ। ଜିଲ୍ଲାପାଳ ଏ ବାବଦରେ କିଛି ପାରିବେନି ବୋଲି କହିବା ସହ ସରକାରଙ୍କୁ ଜଣାଇବେ ବୋଲି ଆଶ୍ୱାସନା ଦେଇଥିଲେ। ଏହି ଗାଁରେ ଶତାଧିକ ଗରିବ ଲୋକ ବିପଦସଙ୍କୁଳ କଚ୍ଚା ଘରେ ବସବାସ କରୁଥିବା ବେଳେ ସେମାନଙ୍କୁ ପକ୍କାଘର ଯୋଜନାର ସୁଫଳ ନ ମିଳିବା ଖୁବ୍ ଦୁଃଖର ବିଷୟ। ସେମାନେ ମୂଲ ମଜୁରୀ କରି ଚଳୁଥିବାରୁ ପକ୍କାଘର ତୋଳିବାରେ ଅସମର୍ଥ। ଘର ମିଳିବ କି ନାହିଁ ବୋଲି ସେମାନେ ସରପଞ୍ଚ ପାଖକୁ ବାରମ୍ବାର ଦୌଡ଼ି ଆସୁଛନ୍ତି। ମାତ୍ର ତାଙ୍କର ଦୁଃଖ ଦୂର କରି ନ ପାରିବାରୁ ମୋତେ କାନ୍ଦ ଲାଗୁଛି ବୋଲି ବୈଲୋଚନ କହିଛନ୍ତି।

ଧର୍ମଗଡ ବିଡିଓ ଶରତ ସେଠୀ କହିଛନ୍ତି, ସାମ୍ଭାବ୍ୟ ତାଲିକାରେ ଏହି ଗାଁର ଜଣେ ପରିବାରର ନାଁ ଥିବା ମୋତେ ଖବର ମିଳିଛି। ବାକି ଆଶାୟୀ ହିତାଧିକାରୀଙ୍କ ନାଁ ନ ଥିବା ଅଭିଯୋଗ ମିଳିଛି। ତେବେ ଏବେ ନୂଆ ହିତାଧିକାରୀଙ୍କୁ ଚିହ୍ନଟ କରି ପକ୍କାଘର ଦେବାକୁ ସରକାରୀ କୌଣସି ନିର୍ଦ୍ଦେଶ ଆସିନି। ଆଗକୁ ନିର୍ଦ୍ଦେଶ ଆସିଲେ ଅଭିଯୋଗର ଯାଞ୍ଚ କରାଯାଇ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ।

ତେବେ ଦେଶର ସବୁ କଚା ଘରକୁ ପକ୍କା କରିବା ଲକ୍ଷ୍ୟରେ ସମଗ୍ର ଭାରତବର୍ଷରେ ଯୋର ସୋରରେ ଚାଲିଛି ଆବାସ ଯୋଜନା। ହେଲେ ସରକାରୀକଳର ଦାୟିତ୍ୱହୀନତା ଓ କୁତ୍ସିତ ରାଜନୀତି ଯୋଗୁ ଅନେକ ଅଯୋଗ୍ୟହିତାଧିକାରୀ ଯୋଜନା ହାତେଇ ନେଉଛନ୍ତି। ମାତ୍ର ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ମିଳୁନି। ପକ୍କା ଘର ଯୋଜନାର ସୁବିଧା ଦେବାକୁ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଫିସ୍‌ରଙ୍କ ପାଖରେ ବାରମ୍ବାର ଗୁହାରି କରୁଥିଲେ ହେଁ ସେମାନଙ୍କ କଥା ଶୁଣାଯାଉନାହିଁ। ଯାହାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

Related story