ବାଲିଗୁଡ଼ା (ଅଜିତ ନାୟକ): ପାଣି ଟୋପାଏ ମିଳିଲାନି। ନା ପିଇବାକୁ ନା ଗାଧୋଇବାକୁ। ବିଡ଼ିଓଙ୍କ ପାଖରେ ଅଭିଯୋଗ ହେଉଥିଲା। ହେଲେ ସେ ଶୁଣିଲେନି। ସରପଞ୍ଚ ବି ଶୁଣି ନ ଶୁଣିବା ଭଳି ହେଲେ। ସବୁଆଡୁ ନିରାଶ ହେବା ପରେ ୮୦ ପରିବାର ନିଜର ଜୀବନ ରକ୍ଷା ପାଇଁ ନିଜସ୍ୱ ଜ୍ଞାନ କୌଶଳରେ ବିଛାଇଲେ ୨ କିଲୋମିଟର ବ୍ୟାପୀ ବାଉଁଶ ପାଇପ୍। ପାହାଡ଼ିଆ ଅଞ୍ଚଳରେ ଏହି ବାଉଁଶ ପାଣି ପାଇପ୍ ଜରିଆରେ ମିଳୁଥିବା ପାଣିରେ ସମସ୍ତ ପରିବାର ନିଜର ଶୋଷ ମେଣ୍ଟାଇବା ସହ ସ୍ନାନା ଶୌଚର ଆବଶ୍ୟକତା ପୂରଣ କରିପାରୁଛନ୍ତି। ଏପରି ଚିତ୍ର ଆସିଛି କନ୍ଧମାଳ ଜିଲ୍ଲାରୁ।
ଗାହାକିଆ ଛକ, ଡୁଗେଡ଼ମାହା, ପଦାସାହି ଓ ବିନ୍ଧାଣି ସାହିକୁ ନେଇ ଗଠିତ ସୋନପୁର ପଞ୍ଚାୟତ। ଏହି ପଞ୍ଚାୟତରେ ପାଖାପାଖି ୮୦ ପରିବାର ବାସ କରୁଛନ୍ତି। ଏମାନଙ୍କ ମୁଖ୍ୟ ସମସ୍ୟା ହେଉଛି ପାଣି। ଗାଁ ଲୋକଙ୍କ ଅଭିଯୋଗ କ୍ରମେ ପ୍ରଶାସନ ଦୁଇଟି ନଳକୂପ ଓ ଗୋଟିଏ କୂଅ ଖୋଳି ଥିଲେ। ହେଲେ ତାହା ଏବେ ପରିତ୍ୟକ୍ତ ଓ ଅଚଳ ଅବସ୍ଥାରେ ପଡ଼ି ରହିଛି। ପାଣି ବାହାରୁନି। ତେଣୁ ଶୋଷ ମେଣ୍ଟାଇବା ପାଇଁ ଗାଁ ଲୋକ ଦୂରଦୂରାନ୍ତକୁ ଯାଇ ନାଳରୁ ପାଣି ସଂଗ୍ରହ କରିବାକୁ ପଡ଼ୁଥିଲା। ସେହି ପାଣିକୁ ପିଇବା ସହିତ ସ୍ନାନ ଶୌଚରେ ବ୍ୟବହାର କରୁଥିଲେ। ପାନୀୟ ଜଳ ସମସ୍ୟା ନେଇ ଗାଁ ଲୋକେ ପ୍ରଶାସନିକଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ କେହି ଶୁଣିନଥିଲେ।
ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକ ଶୋଷ ମେଣ୍ଟାଇବା ପାଇ ଏକାଠି ହୋଇଥିଲେ। ବୈଠକ କରି ବାଉଁଶ ପାଇପ୍ ବିଛାଇବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ ଗାଁ ଲୋକ ପାହାଡ଼ ଉପର ଝରଣା ପର୍ଯ୍ୟନ୍ତ ବାଉଁଶକୁ ପାଇପ୍ କରି ବିଛାଇ ଥିଲେ। ଏବେ ସେହି ବାଉଁଶ ପାଇପ୍ ମାଧ୍ୟମରେ ଗାଁରେ ତିଆରି ହୋଇଥିବା କୁଣ୍ଡକୁ ପାଣି ଆସୁଛି। ଆଉ ଗାଁ ଲୋକେ ସେହି କୁଣ୍ଡରୁ ପାଣି ନେଇ ନିଜ ନିତ୍ୟକର୍ମ କରୁଛନ୍ତି।
[caption id="attachment_744368" align="aligncenter" width="650"]
ସୋନପୁର ଗାଁର ଚନ୍ଦନିକା ପ୍ରଧାନ, କ୍ଲରା ସୁନାମାଝୀ, ନିରଂଜନ ବଳିୟାର ସିଂ ପ୍ରମୁଖ ସରକାରଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ସରକାରଙ୍କୁ ଗଣମାଧ୍ୟମ ଜରିଆରେ ପ୍ରଶ୍ନ ମଧ୍ୟ କରିଛନ୍ତି। ଆମେ କ’ଣ ପାପ କରିଛୁ ଯେ ସରକାର ଆମ କଥା ଶୁଣୁନାହାନ୍ତି ବୋଲି କହିଛନ୍ତି।
ଏନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ମହାପାତ୍ର କହିଛନ୍ତି, ଏହି ଅଂଚଳରେ ପିଇବା ପାଣିର ସମସ୍ୟା ଥିବା ନେଇ ଅବଗତ ଅଛି। ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବା ପାଇଁ ପାଣ୍ଠି ମହଜୁଦ୍ ରହିଛି। ଖୁବ୍ଶୀଘ୍ର ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।