/odisha-reporter/media/post_attachments/uploadimage/library/16_9/16_9_0/Strike_1679639587.jpg)
Strike
‘ଥୁଣ୍ଟା ଗଛ କାଟ, ନଚେତ ରାସ୍ତାରୁ ଉଠିବୁନି। ଏହି ଗଛର ଡାଳ ପଡ଼ି ବହୁ ଲୋକ ଆହତ ହେଉଛନ୍ତି, ହେଲେ ଶୁଣୁନି ପ୍ରଶାସନ । ’ ରାସ୍ତା ପାର୍ଶ୍ୱରେ ଥିବା ଏକ ଥୁଣ୍ଟା ଗଛକୁ ତୁରନ୍ତ କାଟିବା ଦାବିରେ ଆଜି ରାସ୍ତାରୋକ କରିଥିଲେ ଶତାଧିକ ଲୋକ ।
ଏପରି ଘଟଣା ଆଜି ସକାଳେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ମୋଚିସାହି ନିକଟରେ ଦେଖିବାକୁ ମିଳିଥିଲା । ଏକ ଥୁଣ୍ଟା ଗଛ କାଟିବା ଦାବିରେ ଉତ୍ତ୍ୟକ୍ତ ଲୋକେ ପ୍ରାୟ ପ୍ରାୟ ୫ ଘଣ୍ଟା ରାସ୍ତାରୋକ କରିଥିଲେ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଡିଏଫଓଙ୍କ ଅନୁମତିକ୍ରମେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଗଛ କଟା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।
ମୋଚିସାହି ନିକଟ ରାସ୍ତା କଡ଼ରେ ଥିବା ଏକ ବିରାଟକାୟ ଶୁଖିଲା ଥୁଣ୍ଟା ଗଛ କାଟିବା ପାଇଁ ସ୍ଥାନୀୟ ବାସିନ୍ଦା ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ସାମାନ୍ୟ ପବନ ହେଲେ ଏହି ଗଛର ଡାଳ ଭାଙ୍ଗି ଲୋକଙ୍କ ଉପରେ ପଡ଼ୁଛି। ଫଳରେ ସେମାନେ ଗୁରୁତର ଆହତ ହେଉଛନ୍ତି। ତେଣୁ ଉକ୍ତ ଗଛକୁ ତୁରନ୍ତ କାଟିବା ଦାବିରେ ସ୍ଥାନୀୟ ଲୋକେ ବାରମ୍ବାର ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ବି କେହି ଶୁଣୁ ନ ଥିଲେ।
ପ୍ରାୟ ୫ ବର୍ଷ ହେବ ସ୍ଥାନୀୟ ଲୋକେ ଏଥିନିମନ୍ତେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ବନ ଅଧିକାରୀଙ୍କୁ ପତ୍ର ଲେଖି ଅନୁରୋଧ କରୁଥିଲେ ବି କେହି ଶୁଣୁ ନ ଥିଲେ। ଆଜି ସକାଳୁ ମଧ୍ୟ ଉକ୍ତ ଗଛର କିଛି ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ସୌଭାଗ୍ୟବଶଃତ ଉକ୍ତ ସମୟରେ କେହି ରାସ୍ତାରେ ଯାଉ ନ ଥିବା ବେଳେ ଆହତ ହୋଇ ନାହାନ୍ତି।
ଏହା ଦେଖି ସ୍ଥାନୀୟ ଲୋକେ ତାତି ଯାଇଥିଲେ। ଏହାପରେ ଗଛ କାଟିବା ଦାବିରେ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପ୍ରାୟ ୫ ଘଣ୍ଟାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ରାସ୍ତା ଉପରେ ବସି ରହିବାରୁ ରାସ୍ତାରେ ଗାଡ଼ି ଚଳାଚଳ କରି ପାରି ନ ଥିଲା। ଏପରିକି ଅସହ୍ୟ ଖରା ଯୋଗୁ ଲୋକେ ଖୁବ୍ ହଇରାଣ ହୋଇଥିଲେ।
ଫଳରେ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଡିଏଫଓଙ୍କ ଅନୁମତି ଅଣାଯାଇ ଗଛ କଟା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ଧାରଣାରତ ଲୋକେ ନିଜ ଆନ୍ଦୋଳନରୁ ଓହରି ଯାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
