ଜ୍ୱରରେ ପୀଡ଼ିତ ଝିଅକୁ ଭଲ କରିବାକୁ ବ୍ରହ୍ମପୁର ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଝିଅଟି ଆଖି ବୁଜିଲା। ଝିଅର ମୃତଦେହକୁ ଧରି ବାପାମା’ ଗାଁକୁ ଫେରୁଥିବା ବେଳେ ଅଧା ବାଟରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସରେ ମୃତଦେହ ଥିବା ବେଳେ ମା’ ଏବେ ମେଡିକାଲରେ ଭର୍ତ୍ତି ହୋଇଛି। ଅଧା ବାଟରେ ଝିଅ ମୃତଦେହକୁ ଜଗି ବସିଛି ବାପା। ଏପରି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ମୁଣ୍ଡାନାଜୁ ଗାଁ ନିକଟ ବୁଲାଣି ରାସ୍ତାରେ ଆଜି ସକାଳେ ଘଟିଛି।
ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ମୁଠାବାଲି ଗାଁର ନାଥ ଭୋଇ ଓ ରତନି ଭୋଇଙ୍କ ୧୮ ବର୍ଷୀୟା ଝିଅ ରଚନା ଭୋଇଙ୍କ ଦେହ ଖରାପ ହେବା ଯୋଗୁ ଗତକାଲି ଚିକିତ୍ସା ନିମନ୍ତେ ତାକୁ ପ୍ରଥମେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଳା। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ରଚନାଙ୍କ ମୃତ୍ୟୁ ହୋଇଥିଲା।
ଏହାପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପାମା’ ଏକ ବେସରକାରୀ ଆମ୍ବୁଲାନ୍ସ ଯୋଗେ ଗାଁକୁ ମୃତଦେହ ନେଇ ଆଜି ସକାଳେ ଫେରିଥିଲେ। ମାତ୍ର ମୃତଦେହ ଗାଁରେ ପହଞ୍ଚିବା ପୂର୍ବରୁ ମୁଣ୍ଡାନାଜୁ ଗାଁ ନିକଟ ବୁଲାଣି ରାସ୍ତାରେ ଆମ୍ବୁଲାନ୍ସଟି ରାସ୍ତା ପାର୍ଶ୍ୱ ଗାର୍ଡୱାଲରେ ପିଟି ହୋଇ ଯାଇଥିଲା ।
ଏହି ଦୁର୍ଘଟଣାରେ ରଚନାଙ୍କ ମା’ ରତନି ଗୁରୁତର ହୋଇଥିବାରୁ ତାଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଫଳରେ ଝିଅର ମୃତଦେହ ଆମ୍ବୁଲାନ୍ସରେ ଥିବାରୁ ତାକୁ ଜଗି ରହିଛନ୍ତି ନାଥ ଭୋଇ । ଫଳରେ ଅସୁସ୍ଥ ପତ୍ନୀଙ୍କ ସହ ଯାଇ ପାରି ନ ଥିବା କ୍ଷୋଭର ସହ କହିଛନ୍ତି।
ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ଦାରିଙ୍ଗବାଡି ଓ କ.ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଚଲାଇଛି । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ମାତ୍ର ଏହି ଅଭିଯୋଗକୁ ଡ୍ରାଇଭର ଖଣ୍ଡନ କରିବା ସହ ଆଜି ନୁହେଁ, କାଲି ମଦ ପିଇଥିଲି ବୋଲି ସଫେଇ ଦେଇଛନ୍ତି। ହେଲେ ଆଖି ଲାଖିଯିବାରୁ ଏହି ଦୁର୍ଘଟଣା ହୋଇଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।