Advertisment

ଦୁର୍ଗମ ଇଲାକାର ଦେବକୀ, ବର ବାଇକ୍ ମାଗିବାରୁ ଚୁଡ଼ି ଓହ୍ଲାଇ ବାପ ଘର ଫେରିଲା

ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତ୍ତି ଚର୍ଚ୍ଚାର ବିଷୟ ପାଲଟଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
Dowary case

Dowary case

ଆଧୁନିକ ସମାଜରେ ଯୌତୁକ ମାଗିବା ଆଇନତଃ ଅପରାଧ। ତଥାପି ବିବାହ ସମୟରେ କନିଆ ଘର ଲୋକଙ୍କୁ ବର ଘର ଲୋକେ ଯୌତୁକ ମାଗୁଥିବା ଶୁଣିଥିବେ। ଏହି ଯୌତୁକ ପାଇଁ ବର କିମ୍ବା ବର ଘର ଲୋକ ବାହାଘର ଭାଙ୍ଗି ଦେବା ଓ କନିଆକୁ ହତ୍ୟା କରିବାର ଖବର ନଜର ରହିଛି। ହେଲେ ଏହି ଯୌତୁକ ପ୍ରଥାକୁ ବିରୋଧ କରି ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ। ଶ୍ୱଶୁର ଘର ଲୋକ ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଓହ୍ଲାଇ ଦେଇ ବାପା ଘରକୁ ପଳାଇ ଆସିଛନ୍ତି ଦେବକୀ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ।

Advertisment

ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସାରୁପାଟା ଦୁର୍ଗମ ଇଲାକାର ଝିଅ ଦେବକୀ ଗତ ୯ ତାରିଖରେ ବାଲିଗୁଡା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲେ। ସେଠାକାର ପରମ୍ପରା ଅନୁସାରେ, ବିବାହ ପରଦିନ କନ୍ୟା ପକ୍ଷ ବର ଘରକୁ ଆସିଥାନ୍ତି। ସେଠାରେ ଏକ ସଭା ଡକାଯାଇ ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତିନାମା ହୋଇଥାଏ। ଏଥିରେ ବର ଓ କନିଆ ଦସ୍ତଖତ କରିଥାନ୍ତି। ଦେବକୀଙ୍କ କ୍ଷେତ୍ରରେ ଏହା ହୋଇଥିଲା।

ଦେବକୀ ବିବାହ କରି ଆସିବାର ପରଦିନ ବାପଘର ଲୋକେ ଶ୍ୱଶୁର ଘରକୁ ଆସିଥିଲେ। ଏନେଇ ଶ୍ୱଶୁର ଘରେ ଏକ ସଭା ବସିଥିଲା। ଏହି ସଭାରେ ଦେବକୀଙ୍କ ବର ଯୌତୁକରେ ବାଇକ ଦେବାକୁ କନ୍ୟା ଘର ଲୋକଙ୍କ ପାଖରେ ଦାବି କରିଥିଲେ। କନ୍ୟା ଘର ଲୋକଙ୍କ ପାଖରେ ଏବେ ବାଇକ୍‌ ଦେବାକୁ ସକ୍ଷମ ନଥିବା କୁହାଯାଇଥିଲା, ପରେ ବାଇକ୍‌ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ବର ନିଜ ଜିଦ୍‌ରେ ଅଟଳ ରହିଥିଲା। ବାଇକ୍‌ ନ ଦେଲେ ଚୁକ୍ତିନାମାରେ ଦସ୍ତଖତ କରିବେ ନାହିଁ ବୋଲି କହିଥିଲା। ଏହି କଥା ଦେବକୀଙ୍କୁ ଭଲ ଲାଗି ନଥିଲା। ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲି ବାପଘର ଲୋକଙ୍କ ସାଙ୍ଗରେ ପଳାଇ ଆସିଥିଲେ। 

Advertisment

ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତ୍ତି ଚର୍ଚ୍ଚାର ବିଷୟ ପାଲଟଛି। ଅନ୍ୟପଟେ ଯୌତୁକରେ ବାଇକ ମାଗିବା ଘଟଣା ମିଛ। ଆମକୁ ବୋହୂ ଦରକାର ବୋଲି କହିଛନ୍ତି ବରର ଭାଇ।

ନବବଧୂ ଦେବକୀ ଦିଗାଲ କହିଛନ୍ତି, ୨ବର୍ଷ ପୂର୍ବରୁ ମୋର ନିବର୍ଦ୍ଧ ଅର୍ଜୁନ ଦିଗାଲଙ୍କ ସହ ସରିଥିଲା। ଗତ ୯ତାରିଖରେ ମୋ ବିବାହ ହୋଇଥିଲା। ବିବାହ ପର ଦିନ ଆମ ଘର ଲୋକେ ମୋ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ଏକ ସଭା ହୋଇଥିଲା। ସେହି ସଭାମଞ୍ଚରେ ମୋ ସ୍ୱାମୀ ଗାଡ଼ି ନେବାକୁ ଡିମାଣ୍ଡ କରିଥିଲେ। ଗାଡ଼ି ନ ଦେଲେ ଦସ୍ତଖତ କରିବେନି ବୋଲି କହିଥିଲେ। ଆମ ଘର ଲୋକଙ୍କ ପକ୍ଷରେ ଗାଡ଼ି ଦେବାର ସକ୍ଷମ ନଥିଲା। ମୋ ସ୍ୱାମୀଙ୍କର ଏହି କଥା ମୋତେ ଠିକ୍‌ ଲାଗି ନଥିଲା। ଯଦି ମୋ ସ୍ୱାମୀ ମୋତେ ଚାହୁଁଥିଲେ, ତାହାହେଲେ ଗାଡ଼ି କାହିଁକି ମାଗୁଥିଲେ? ସେଥିପାଇଁ ମୁଁ ପଳାଇ ଆସିଲି ବୋଲି ଦେବକୀ କହିଛନ୍ତି।

Kandhamal Dowary Case