Advertisment

ଉଦ୍‌ଘାଟନକୁ ଦୁଇ ମାସ ପୂରିନି, ସ୍ମାର୍ଟ ଯାତ୍ରୀ ବିଶ୍ରାମଗାର ଅବସ୍ଥା ବେହାଲ

କନ୍ଧମାଳ ଜିଲ୍ଲା ରାଇକିଆ ସହରରେ ନବନିର୍ମିତ ଯାତ୍ରୀ ବିଶ୍ରାମଗାରର ଏଭଳି ଦୁରାବସ୍ଥ ଏବେ ସାଧାରଣରେ ଉଦ୍‌ବେଗର ବିଷୟ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
condition of the Smart Passenger Restroom

condition of the Smart Passenger Restroom

୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍ମାର୍ଟ ଯାତ୍ରୀ ବିଶ୍ରାମାଗାର ୨ ମାସ ବି ଗଲାନି। ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଶୌଚାଳୟରେ ତାଲା ଝୁଲୁଛି। ଯାତ୍ରୀଙ୍କ ନିମନ୍ତେ ଲାଗିଥିବା ପଙ୍ଖାଗୁଡ଼ିକ ଉଭାନ ହୋଇଯାଇଛି। କୁଢ଼କୁଢ଼ ଅଳିଆ ପଡ଼ିଥିଲେ ହେଁ ସଫା ହେଉନି। ନା ପିଇବାକୁ ପାଣିର ବ୍ୟବସ୍ଥା ଅଛି, ନା ବସିବାକୁ ସ୍ୱଚ୍ଛ ପରିବେଶ। କନ୍ଧମାଳ ଜିଲ୍ଲା ରାଇକିଆ ସହରରେ ନବନିର୍ମିତ ଯାତ୍ରୀ ବିଶ୍ରାମଗାରର ଏଭଳି ଦୁରାବସ୍ଥା ଏବେ ସାଧାରଣରେ ଉଦ୍‌ବେଗର ବିଷୟ ହୋଇଛି।

Advertisment

ଚଳିତ ବର୍ଷ ଜାନୁୟାରୀ ମାସରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହ ରାଇକିଆ ଥାନା ଆଗରେ ବଡ଼ ଧୁମଧାମରେ ଏହି ସ୍ମାର୍ଟ ଯାତ୍ରୀ ବିଶ୍ରାମାଗାର ଶୁଭ ଉଦଘାଟନ କରିଥିଲେ। ଉଦ୍ଦେଶ୍ୟ ଥିଲା ରାଇକିଆକୁ ଯାତାୟତ କରୁଥିବା ସମସ୍ତ ବର୍ଗର ଯାତ୍ରୀମାନେ ଗାଡ଼ିମୋଟରକୁ ଅପେକ୍ଷା କରିବା ନିମନ୍ତେ ଛାଇ ସ୍ଥାନଟିଏ ପାଇବେ। ବାଟୋଇମାନେ ଥକା ମେଣ୍ଟାଇ ପାରିବେ। ଏଥିସହ ଶୌଚ ପାଇଁ ଦୁରାବସ୍ଥାର ସମ୍ମୁଖୀନ ନ ହୋଇ ଏଠାରେ ହୋଇଥିବା ଶୌଚାଳୟ ବ୍ୟବହାର କରିପାରିବେ।

ହେଲେ ଉଦଘାଟନ ଦିନଠାରୁ ଶୌଚାଳୟରେ ତାଲା ଝୁଲୁଛି। ଉଦ୍‌ଘାଟନୀ କିଛିଦିନ ଭିତରେ ଯାତ୍ରୀ ବିଶ୍ରାମଗାରରେ ଲାଗିଥିବା ଫ୍ୟାନ ଉଭାନ ହୋଇଯାଇଥିଲା। ନିମ୍ନମାନର କାମ ଯୋଗୁ ବିଶ୍ରାମାଗାର ଛାତରୁ ପାଣି ଗଳୁଛି।

Advertisment
Toilet ଶୌଚାଳୟରେ ତାଲା

ଲୋକଙ୍କ ଅଭିଯୋଗ କ୍ରମେ ସହରର ମୁଖ୍ୟ ରାସ୍ତାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ହେଲେ ଏହା ଯାତ୍ରୀଙ୍କ କାମରେ ଲାଗି ପାରୁନି। ଶୌଚାଳୟରେ ତାଲା ଝୁଲୁଥିବା ଯୋଗୁ ମହିଳା ଯାତ୍ରୀମାନେ ଚାହିଁଲେ ମଧ୍ୟ ଏହାକୁ ବ୍ୟବହାର କରିପାରୁନାହାନ୍ତି। କେବଳ କଷ୍ଟ ପାଇବା ସାର ହେଉଛି। ଶୌଚାଳୟର ଯତ୍ନ ନେବା ଓ ଆବଶ୍ୟକ ସୁବିଧା ଯାତ୍ରୀଙ୍କୁ ଯୋଗାଇ ଦେବାକୁ ଧ୍ୟାନ ଦିଆଯାଉନି। ଫଳରେ ସରକାରୀ ତହବିଲରୁ ପାଖାପାଖି ୧୦ ଲକ୍ଷ ଟଙ୍କା ବ୍ୟୟ ପାଣିରେ ପଡ଼ିଛି।

ଏ ନେଇ ସହରବାସୀ ସ୍ଥାନୀୟ ବିଡ଼ିଓ ଓ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ବ୍ୟବସାୟୀ ସନ୍ତୋଷ ଲେଙ୍କା, ସୁକାନ୍ତ ପ୍ରଧାନ ଓ ପଦ୍ମ ଚରଣ ପଣ୍ଡା। ତୁରନ୍ତ ଯାତ୍ରୀ ବିଶ୍ରାମାଗାରରେ ଆନୁସଙ୍ଗିକ ସୁବିଧା କରିବାକୁ ପ୍ରଶାସନ ତତ୍ପରତା ଦେଖାଉ ବୋଲି ସେମାନେ ମତ ଦେଇଛନ୍ତି।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ୍ ନାୟକ

Smart City