Advertisment

ଲିଫ୍ଟ ମାଗି ଶିକ୍ଷକଙ୍କୁ ମଝିରାସ୍ତାରେ ଲହୁଲୁହାଣ କଲେ

ସେ ଯାହାକୁ ସାହାଯ୍ୟ କରିବାକୁ ଯାଇ ଲିଫ୍ଟ ଦେଇଥିଲେ, ସେ ହିଁ ତାଙ୍କୁ ଆକ୍ରମଣ କରିଛି। ଶିକ୍ଷକଙ୍କୁ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିଛି ଜଣେ ଯୁବକ।

author-image
Hemant Lenka
Attack

Attack

ସାହାଯ୍ୟ କରି ଲହୁଲୁହାଣ ହୋଇଛନ୍ତି ଜଣେ ଶିକ୍ଷକ। ସେ ଯାହାକୁ ସାହାଯ୍ୟ କରିବାକୁ ଯାଇ ଲିଫ୍ଟ ଦେଇଥିଲେ, ସେ ହିଁ ତାଙ୍କୁ ଆକ୍ରମଣ କରିଛି। ଶିକ୍ଷକଙ୍କୁ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିଛି ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଦାରିଙ୍ଗବାଡି ଥାନା କଟାବାଡ଼ି ଅଞ୍ଚଳରେ ଘଟିଛି।

Advertisment

ଆକ୍ରମଣର ଲହୁଲୁହାଣ ହୋଇଛନ୍ତି କୋଟଗଡ଼ ବ୍ଲକ ରାଣୀପାଙ୍ଗା ସ୍କୁଲର ଶିକ୍ଷକ ନହୁ ପ୍ରଧାନ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଯୁବକ ଜଣକ ହେଉଛି ସାନ ପ୍ରଧାନ। ତାକୁ ଦାରିଙ୍ଗବାଡ଼ି ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଡ଼ାନପିପିଲି ଗାଁର ଶିକ୍ଷକ ନହୁ ପ୍ରଧାନ ଆଜି ତାଙ୍କ ବାଇକରେ ରାଣିପାଙ୍ଗା ସ୍କୁଲକୁ ଯାଉଥିଲେ। ଏହି ସମୟରେ ସେହି ଗାଁର ସାନ ପ୍ରଧାନ ହଠାତ୍‌ ଶିକ୍ଷକ ନହୁଙ୍କୁ ଅଟକାଇବା ସହ “ମୋର କାମ ଅଛି, ମୁଁ ଆପଣଙ୍କ ସହ ଟିକିଏ ଯିବି” ବୋଲି ବେଶ ବିନମ୍ର ସହ କହିଥିଲା। ନହୁ ମଧ୍ୟ ସାନକୁ ଚିହ୍ନଥିବାରୁ ତାକୁ ବାଇକରେ ବସାଇଥିଲେ। ଏହାପରେ ଦୁଇ ଜଣ ଯାକ ସାଙ୍ଗ ହୋଇ ରାଣିପାଙ୍ଗା ଅଭିମୁଖେ ବାହାରିଥିଲେ।

Advertisment

ତେବେ ପର୍ତ୍ତମାହା ପଞ୍ଚାୟତ କଟାବାଡ଼ି ଗାଁ ନିକଟ ଜଙ୍ଗଲ ନିକଟରେ ହଠାତ୍‌ ବାଇକ ପଛରେ ବସିଥିବା ସାନ ଗୋଟିଏ ଧାରୁଆ ଅସ୍ତ୍ରରେ ନହୁ ପ୍ରଧାନଙ୍କୁ ଆକ୍ରମଣ କରିଥିଲା। ତାଙ୍କ ବେକକୁ ସେ ଆକ୍ରମଣ କରିବାରୁ ନହୁ କିଛି ବୁଝି ନ ପାରି ଗାଡ଼ି ଅଟକାଇ ଦେଇଥିଲେ। ଏହାପରେ ବି ସାନ ତା’ର ଆକ୍ରମଣ ବନ୍ଦ କରି ନଥିଲା। ସେ ଶିକ୍ଷକ ନହୁଙ୍କୁ ତଳେ ପକାଇ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ମାଡ଼ ମାରିଥିଲା।

ନହୁ ତଳେ ପଡ଼ି ଚିତ୍କାର କରୁଥିବା ବେଳେ ଜଙ୍ଗଲରେ କାମ କରୁଥିବା କଟାବାଡ଼ି ଗାଁର କିଛି ଲୋକ ଏହା ଶୁଣିଥିଲେ। ସେମାନେ ରାସ୍ତା ଉପରକୁ ଦୌଡ଼ି ଆସିବା ସହ ସାନଙ୍କ କବଳରୁ ନହୁଙ୍କୁ ଉଦ୍ଧାର କରିଥିଲେ। କିଛି ଲୋକ ନହୁଙ୍କୁ ହସ୍ପିଟାଲ ପଠାଇଥିବା ବେଳେ ଆଉ କିଛି ଲୋକ ସାନକୁ କାବୁ କରିଥିଲେ। ଏହାପରେ ତାକୁ ପୁଲିସ୍‌ ଜିମା ଦେଇଥିଲେ। ଏବେ ପୁଲିସ୍‌ ସାନକୁ ପୁଲିସ୍‌ ଅଟକ ରଖି ଅଧିକ ତଦନ୍ତ କରୁଛି।

ତେବେ କାହିଁକି ଓ କେଉଁ କାରଣକୁ ନେଇ ଯୁବକ ଜଣକ ନହୁଙ୍କୁ ଏପରି ଅତିର୍କିତ ଆକ୍ରମଣ କଲେ, ସେକଥା ଜଣାପଡ଼ିନି।

Kandhamal Attack