/odisha-reporter/media/post_attachments/uploads/2019/06/balasore.jpg)
balasore
ବାଲେଶ୍ୱର (ରଣଜିତ ପ।କଳ): ୨୮ ବର୍ଷର ଜୀବନକାଳ ମଧ୍ୟରେ କହ୍ନେଇଲାଲ ଦାସଙ୍କ ଅନବଦ୍ୟ ସାହିତ୍ୟ ସୃଷ୍ଟି ଆଗାମୀ ଦିନରେ ଓଡ଼ିଶା ସାହିତ୍ୟକୁ ରୁଦ୍ଧିମନ୍ତ କରିବ। ସ୍ୱଳ୍ପ ସମୟ ଜୀବନରେ ସେ ଯେଉଁ କଳାକୃତି ଛାଡ଼ି ଯାଇଛନ୍ତି, ତାହା ସର୍ବକାଳ ପାଇଁ ଆଦୃତ ହୋଇ ରହିବ। ଓଡ଼ିଆ ଭାଷା ସାହିତ୍ୟର କଥାକାର କହ୍ନେଇଲାଲ ଦାସଙ୍କ ୭୨ତମ ଜୟନ୍ତୀ ସମାରୋହରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କୁ ‘କହ୍ନେଇଲାଲ ଦାସ କଥା’ ସମ୍ମାନ ପ୍ରଦାନ କରାଯାଇଥିଲା।
ବାଲେଶ୍ୱରରେ ଆୟୋଜିତ କହ୍ନେଇଲାଲ ଦାସଙ୍କ ଜୟନ୍ତୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ କହ୍ନେଇ ଲାଲ ଦାସ ସ୍ମୃତି ସଂସଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର। ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଡକ୍ଟର ସରୋଜିନୀ ସାହୁ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଜୀବନର ବାସ୍ତବତାକୁ ନିଜର ଲେଖା ମାଧ୍ୟମରେ ପ୍ରସ୍ଫୁଟିତ କରି ସ୍ୱର୍ଗତ ଦାସ ପାଠକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ତାଙ୍କ ଲେଖାରେ ରହିଛି ମଣିଷର ସଂଘର୍ଷପୂର୍ଣ୍ଣ ଜୀବନର କାହାଣୀ। ଯାହା ପାଠକଙ୍କ ହୃଦୟ ଛୁଇଁ ପାରିଛି।
ସମ୍ମାନିତ ଅତିଥିଭାବେ କଥାକାର ସଦାନନ୍ଦ ତ୍ରିପାଠୀ ଓ ସାହିତ୍ୟିକ ଅମରେଶ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ।
ସଂସଦର ଆବାହକ ଗୌତମବୁଦ୍ଧ ଦାସ, କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି, ସଂସଦର କମର୍ଦ୍ଦା ଶାଖା କର୍ମକର୍ତ୍ତା କିଶୋରୀ କିଙ୍କର ଦାସ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ଓ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ।
କହ୍ନେଇଲାଲ ଦାସ ସ୍ମୃତି ସଂସଦର କର୍ମକର୍ତ୍ତା କବି ଶ୍ରୀଦେବ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ରାଜେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
