Advertisment

କଅଁଳ କାନ୍ଧରେ ଦାୟିତ୍ୱର ବୋଝ; ୩ ଭାଇଭଉଣୀଙ୍କ ବାପାମା’ ପାଲଟିଛି ୯ ବର୍ଷୀୟ ଲକ୍ଷ୍ମୀ

ଯେଉଁ ବୟସରେ ନିଜେ ଗେହ୍ଲା ହେବା କଥା, ସେ ବୟସରେ କୁନି କୁନି ୩ ଭାଇଭଉଣୀଙ୍କ ଅଳିଅର୍ଦ୍ଦଳି ସହିବାକୁ ପଡ଼ୁଛି। କଲମ ଧରିବା ହାତ, ଏବେ ଝାଡ଼ୁ ଧରୁଛି । ମାତ୍ର ୯ ବର୍ଷର ଲକ୍ଷ୍ମୀ ବାରିକ ୩ ଭାଇଭଉଣୀଙ୍କ ପାଇଁ ଉଭୟ ବାପାମା’ ସାଜିଛି।

author-image
Niharika Rout
Helpless Children

Helpless Children

କଅଁଳ ବୟସରୁ ମୁଣ୍ଡରେ ଦାୟିତ୍ୱର ପାହାଡ଼ । ଯେଉଁ ବୟସରେ ନିଜେ ଗେହ୍ଲା ହେବା କଥା, ସେ ବୟସରେ କୁନି କୁନି ୩ ଭାଇଭଉଣୀଙ୍କ ଅଳିଅର୍ଦ୍ଦଳି ସହିବାକୁ ପଡ଼ୁଛି। କଲମ ଧରିବା ହାତ, ଏବେ ଝାଡ଼ୁ ଧରୁଛି । କେତେବେଳେ ଏହି କୁନି ହାତ ଚୁଲିରେ ଭାତ ହାଣ୍ଡି ବସାଉଛି ତ କେତେବେଳେ କୁନି କୁନି ଭାଇ ଭଉଣୀଙ୍କ ମୁଣ୍ଡ କୁଣ୍ଡାଇ ସେମାନଙ୍କୁ ସଜ କରି ଦେଉଛି। ମାତ୍ର ୯ ବର୍ଷର ଲକ୍ଷ୍ମୀ ବାରିକ ୩ ଭାଇଭଉଣୀଙ୍କ ପାଇଁ ଉଭୟ ବାପାମା’ ସାଜିଛି।

Advertisment

ନିଜେ ହସିବା ଭୁଲି ସାରିଥିବା ଲକ୍ଷ୍ମୀ କିନ୍ତୁ ଛୋଟ ଛୋଟ ଭାଇଭଉଣୀଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ଲାଗି ପଡ଼ିଛି। କୁନି କୁନି ୩ ଭାଇଭଉଣୀଙ୍କ ବର୍ତ୍ତମାନ ସଜାଡିବାକୁ ଯାଇ ନିଜ ଭବିଷ୍ୟତକୁ ଅନ୍ଧାରକୁ ଠେଲି ସାରିଲାଣି ଲକ୍ଷ୍ମୀ।

ଏହି ୪ ଭାଇ ଭଉଣୀଙ୍କ ଦୁର୍ଦ୍ଦଶା କଥା ପ୍ରଚାରିତ ହେବା ପରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ। ଏପରି ଏକ ହୃଦୟସ୍ପର୍ଶୀ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାରିପୋଖରୀଆ ଗାଁରେ ଦେଖିବାକୁ ମିଳିଛି।

Advertisment
Helpless Childrenଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି।

ଲକ୍ଷ୍ମୀଙ୍କ ବାପା ଅମର ବାରିକ ହାଇଦ୍ରାବାଦରେ ସୁରକ୍ଷାକର୍ମୀ ଭାବେ ଚାକିରି କରୁଥିଲୋ ସେଠି ଜଣେ ଅଣଓଡ଼ିଆ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହେବା ପରେ ଉଭୟଙ୍କ ବିବାହ ହୋଇଥିଲା । ଇତି ମଧ୍ୟରେ ଉଭୟଙ୍କର ୩ ଝିଅ ଓ ଗୋଟିଏ ପୁଅ ହୋଇଥିବା ବେଳେ ଅମର ହାଇଦ୍ରାବାଦରେ ରହୁଥିଲେ। ତାଙ୍କ ପତ୍ନୀ ଗାଁରେ ରହି ପିଲାମାନଙ୍କୁ ସମ୍ଭାଳୁଥିଲେ। ମାତ୍ର ପ୍ରାୟ ୮ ମାସ ପୂର୍ବେ ଅମରଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାର ଉପରେ ଦୁଃଖର ବାଦଲ ଯେପରି ଛିଣ୍ଡି ପଡ଼ିଲା। ହେଲେ ଏପରି ଦୁଃସମୟରେ ନିଜ ମା’ ବି ପର ସାଜିଲା।

ଅମରଙ୍କ ଶୁଦ୍ଧିକ୍ରିୟା ପରେ ୪ ଛୁଆଙ୍କୁ ଛାଡ଼ି ହଠାତ୍‌ ତାଙ୍କ ପତ୍ନୀ ବି କେଉଁଆଡ଼େ ଗାଏବ ହୋଇଗଲେ। କୁନି କୁନି ପିଲା ମା’ ବାପାଙ୍କୁ ଖୋଜି ଅଝଟ ହେଉଥିବା ବେଳେ ସେମାନଙ୍କୁ ବୁଝାଇବା ଦାୟିତ୍ୱ ଲକ୍ଷ୍ମୀ ନିଜ କାନ୍ଧକୁ ନେଲା। ପାଖରେ ଜେଜେବାପା, ଜେଜେମା’ ଥିବା ବେଳେ ଜେଜେବାପା କାମଧନ୍ଦା କରି ଯାହା ଆଣୁଛନ୍ତି, ସେଥିରେ ଘର ଚଳୁଛି। ହେଲେ ଜେଜେମା’ କିଛି କାମ କରି ପାରୁ ନ ଥିବା ବେଳେ ଘରର ସବୁ ଦାୟିତ୍ୱ ମୁଣ୍ଡାଇଛି ଲକ୍ଷ୍ମୀ ।

Helpless Childrenଭାଇଭଉଣୀଙ୍କ ଅଳି ବୁଝୁଛନ୍ତି ଲକ୍ଷ୍ମୀ ।

ଇତି ମଧ୍ୟରେ ୮ ମାସରୁ ଅଧିକ ସମୟ ବିତି ସାରିଥିବା ବେଳେ ୩ ଭାଉଭଉଣୀଙ୍କ ପାଇଁ ଉଭୟ ବାପାମା’ ପାଲଟି ଯାଇଛି ଲକ୍ଷ୍ମୀ। ସକାଳୁ ଉଠି ଭାଇଭଉଣୀଙ୍କ କଥା ବୁଝି ସେମାନଙ୍କୁ ସ୍କୁଲ ପଠାଇବା ସହ ନିଜେ ବି ସ୍କୁଲ ଯାଉଛି। ତୃତୀୟ ଶ୍ରେଣୀରେ ପଢ଼ୁଥିବା ଲକ୍ଷ୍ମୀ ଘରକୁ ଫେରିଲେ ପୁଣି ଘରକାମ ସହ ଭାଇଭଉଣୀଙ୍କ ସେବାରେ ଲାଗି ପଡ଼ୁଛି। ଫଳରେ ଦିନ ଯାଇ କେତେବେଳେ ରାତି ହେଉଛି, ତାହା ଏ କୁନି ଝିଅକୁ ଜଣା ପଡ଼ୁନି।

ଏହି ଖବର ପ୍ରଚାରିତ ହେବା ପରେ ବାପାମା’ ଛେଉଁଣ୍ଡ ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ। ଏପରିକି ଚାରିପୋଖରୀଆ ଗାଁକୁ ଆସି ଘଟଣା ବୁଝିବା ସହ ପିଲାମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି।

ଲକ୍ଷ୍ମୀଙ୍କ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନ ଥିବାରୁ ଆବାସ ଯୋଜନାରେ ଘର ଖଣ୍ଡେ କରାଇଦେବାକୁ ଉପଜିଲ୍ଲାପାଳଙ୍କୁ ନିବେଦନ କରାଯିବ ବୋଲି କହିଛନ୍ତି। ଏଥିସହ ଏହି ପିଲାମାନଙ୍କୁ ରାସନ କାର୍ଡରେ ଅନ୍ତର୍ଭୁକ୍ତ କରିବା ସହ ଅନାଥ ପିଲାଙ୍କ ପାଇଁ ଲାଗୁ ହେଉଥିବା ଆର୍ଥିକ ସହାୟତା ବି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

(ରିପୋର୍ଟ- ପଟ୍ଟାମୁଣ୍ଡାଇରୁ ପ୍ରବୀର ନାୟକ)

Human Interest