୮୫ ବର୍ଷ ହେଲାଣି। ତଥାପି ସେ ଥକି ପଡ଼ି ନାହାନ୍ତି। ଏବେ ମଧ୍ୟ ବେଶ୍ ଚଳଚଞ୍ଚଳ। ଧୋତି ଓ ପଞ୍ଜାବୀ ପିନ୍ଧି ହାତରେ ବଙ୍କୁଲି ବାଡ଼ି ଧରି ପ୍ରତିଦିନ ସ୍କୁଲ ଆସୁଛନ୍ତି। ଆଉ ପିଲାମାନଙ୍କୁ ଦେଉଛନ୍ତି ଜଟିଳ ଗଣିତ ସରଳ ଫର୍ମୁଲା। ଏମିତି ଜଣେ ଫର୍ମୁଲା ସାର୍ ହେଉଛନ୍ତି ବନବିହାରୀ ଦାସ। ବନମାଳି ସାର୍ ଭାବେ ସେ କେନ୍ଦ୍ରାପଡ଼ା ଜିଲ୍ଲାରେ ବେଶ୍ ପରିଚିତ। ସାରଙ୍କୁ ଆମର ଶହେ ସଲାମ୍।
ପଟ୍ଟାମୁଣ୍ଡାଇ ବ୍ଲକ୍ କଖାରୁଣୀ ଗାଁର ବନବିହାରୀ ଦାସ। ଅଭାବ ଓ ଅନଟନ ଭିତରେ ବଢ଼ିଥିଲା ପିଲାଦିନ। ତାହାରି ଭିତରେ ସଂଘର୍ଷ କରି ପାଠ ପଢ଼ିଥିଲେ। ମାଟ୍ରିକୁଲେଶନ୍ ପାସ କରିବା ପରେ ଶିକ୍ଷକତା କରିବା ପାଇଁ ଇଚ୍ଛା କରିଥିଲେ। ଆଉ ପରବର୍ତ୍ତୀ ସମୟରେ ମନ ଭିତରେ ଥିବା ଭାବନାକୁ ସାକାର କରିଥିଲେ ବନବିହାରୀ ଦାସ।
୧୯୬୦ ମସିହାରେ ତେରୋହି ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକ ଆରମ୍ଭ କରିଥିଲେ। ଆଉ ତା’ପରେ ବନବିହାରୀରୁ ମନମାଳି ସାର୍ ଭାବେ ପରିଚିତ ହୋଇଗଲେ। ତାଙ୍କ ବେଶଭୂଷା ଅତି ସାଦାସିଧା ଥିଲା। ଧୋତି, ପଞ୍ଜାବୀ ସାଙ୍ଗକୁ କାନ୍ଧରେ ଗାମୁଛା ଓ ହାତରେ ବଙ୍କୁଲି ବାଡ଼ି ଧରି ସେ ସ୍କୁଲ୍ ଆସୁଥିଲେ। ସାର୍ ଭାଳି ମେଳାପି। କିନ୍ତୁ ପିଲାଙ୍କ ପାଇଁ ସାର୍ ଭାରି କଠୋର। ଗଣିତର ଅଙ୍କାବଙ୍କା ହିସାବକୁ ଅତି ସହଜରେ ସମାଧାନ କରି ଦେଇଥାନ୍ତି। ସାରଙ୍କ ଗଣିତର ସରଳ ଫର୍ମୁଲା ଓ ଇଂଲିଶର ଅତି ସାବଲିଳ। ଯେଉଁଥିପାଇଁ ପିଲାମାନେ ସହଜରେ ବୁଝି ପାରିଥାଆନ୍ତି।
ଚାକିରି କାଳ ଭିତରେ ବନମାଳି ସାର୍ ଏ ସ୍କୁଲ ସେ ସ୍କୁଲରେ ଶିକ୍ଷକତା କରି ଫେରିଲେ ଗାଁକୁ। ଯେଉଁ ଗାଁରେ ତାଙ୍କର ଜନ୍ମ ହୋଇଥିଲା। ଅର୍ଥାତ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ସ୍କୁଲକୁ ବଦଳି ହୋଇ ଆସିଥିଲେ। ତା’ପରଠାରୁ ସେ ଏହି ସ୍କୁଲରେ ପିଲାମାନଙ୍କୁ ପଢ଼ାଇବାରେ ଲାଗି ପଡ଼ିଲେ। ସାର୍ଙ୍କଠାରୁ ବହୁ ପିଲା ପାଠ ପଢ଼ି ଦେଶ ବିଦେଶରେ ଉଚ୍ଚ ପଦବୀରେ ଚାକିରି କରିଛନ୍ତି। ଆଉ ସାର୍ଙ୍କ ନାଁ ରଖିଛନ୍ତି।
ପିଲାମାନଙ୍କ କୋଳାହଳ ଭିତରେ ସାରଙ୍କ ଜୀବନରେ ଅନେକ ଝଡ଼ ଆସିଛି। ସ୍ୱାସ୍ଥ୍ୟଗତ କାରଣକୁ ନେଇ ସାର୍ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ହେଲେ ସେ କେବେ ହାର୍ ମାନି ନାହାନ୍ତି କି ପରିସ୍ଥିତି ଆଗରେ ନିଜକୁ ସମର୍ପି ନଥିଲେ। ସବୁ ପରିସ୍ଥିତିରେ ଲିଢ଼ିବା ପାଇଁ ସାର୍ ନିଜକୁ ପ୍ରସ୍ତୁତ ରଖିଥିଲେ। ଶୁଣିବାକୁ ମିଳୁଛି, ହାଟ୍ ଅଟାକ ପରି ସ୍ୱାସ୍ଥ୍ୟଗତ ସମସ୍ୟାକୁ ପରାସ୍ତା କରିପାରିଛନ୍ତି ସାର୍। ଆଉ ପିଲାମାନଙ୍କୁ ପାଢ଼ାଇବାରେ ନିଜକୁ ସମର୍ପି ଦେଇଛନ୍ତି। ସେଥିପାଇଁ ସାର୍ ପଟ୍ଟାମୁଣ୍ଡାଇ ବ୍ଲକରେ ବେଶ୍ ପରିଚିତ।
ପିଲାଙ୍କ ଭବିଷ୍ୟତ ଗଢ଼ୁ ଗଢ଼ୁ କେତେବେଳେ ଅବସର ସମୟ ଆସି ଯାଇଛି, ବନମାଳି ସାର୍ ଜାଣିପାରି ନାହାନ୍ତି। ବିଧି ବ୍ୟବସ୍ଥାକୁ ସମ୍ମାନ ଜଣାଇ ୧୯୯୯ ମସିହାରେ ଚାକିରି ଜୀବନରୁ ଅବସର ନେଲେ। ହେଲେ ସ୍କୁଲକୁ ଛାଡ଼ି ପାରିଲେ ନାହିଁ। ପ୍ରତିଦିନ ସକାଳ ହେଲେ ସ୍କୁଲ ବେଲ୍ ବାଜିବା କଥା ସାରଙ୍କର ମନେ ପଡ଼େ। ଆଉ କାଳ ବିଳମ୍ୱ ନକରି ଧୋତି, ପଞ୍ଜାବୀ ପିନ୍ଧି ହାତରେ ବଙ୍କୁଲି ବାଡ଼ି ଧରି ବାହାରି ପଡ଼ନ୍ତି ସାର୍। ସକାଳ ୧୦ଟା ପୂର୍ବରୁ ସ୍କୁଲରେ ପହଞ୍ଚି ଯାଆନ୍ତି। ଏ ଶ୍ରେଣୀ ସେ ଶ୍ରେଣୀ ବୁଲି ପିଲାଙ୍କୁ ପାଠ ପଢ଼ାନ୍ତି। ପୁଣି ଅପରାହ୍ନ ୪ଟା ପରେ ଘରକୁ ଫରନ୍ତି।
ଚାକିରିରୁ ଅବସର ପରେ ବନମାଳୀ ସାର୍ ଦୀର୍ଘ ୨୪ ବର୍ଷ ଧରି ନିସ୍ୱାର୍ଥପର ଭାବେ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। କେବେ ଛୁଟି ନେଇ ନାହାନ୍ତି। ଚାକିରି ଜୀବନ ଆରମ୍ଭ ବେଳେ ଯେଉଁ ଜୋସ୍ରେ ସାର୍ ପାଠ ପଢ଼ାଉଥିଲେ ଆଜି ୮୫ ବର୍ଷରେ ମଧ୍ୟ ସେହି ଉତ୍ସାହରେ ପିଲାଙ୍କୁ ଶିକ୍ଷାର ମନ୍ତ୍ର ଦେଉଛନ୍ତି। ସାର୍ଙ୍କ ଚାଲି ଚଳଣ ଓ ପାଠ ପଢ଼ା ଶୈଳୀରେ କିଛି ପରିବର୍ତ୍ତନ ହୋଇନାହିଁ। ବନମାଳୀ ସାରଙ୍କୁ ଆମର ଶହେ ସଲାମ୍।
ଏନେଇ ବନମାଳି ସାର୍ କହିଛନ୍ତି, ବିଦ୍ୟାଳୟ ମୋ’ ପାଇଁ ମନ୍ଦିର ସଦୃଶ। ତେଣୁ ଘରେ ବସିଲେ କ’ଣ ହେବ? ପୂର୍ବରୁ ଏହି ସ୍କୁଲରେ ଥିବାରୁ ଅବସର ପରେ ଏଠାକୁ ଆସି ପିଲାମାନଙ୍କୁ ହଧ୍ୟୟନରେ ସହାଯ୍ୟ କରୁଥିବାରୁ ନିଜକୁ ଧନ୍ୟ ମନେ କରୁଛି। ବଞ୍ଚିଥିବା ପର୍ଯ୍ୟନ୍ତ ଏହି ସ୍କୁଲକୁ ଆସି ପାଠ ପଢ଼ାଉଥିବି ବୋଲି ସାର୍ କହିଛନ୍ତି।
କଖାରୁଣୀ ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲର ପୂର୍ବତନ ଛାତ୍ର ତଥା ବର୍ତ୍ତମାନର ଶିକ୍ଷକ ଅଶୋକ ପରିଡା କହିଛନ୍ତି, ସାର୍ ଆମର ଜଣେ ଭଲ ଶିକ୍ଷକ। ସେ ମୋର ମଧ୍ୟ ଶିକ୍ଷକ। ମୁଁ ୧୯୬୯ ମସିହାରେ ଏହି ସ୍କୁଲରେ ପ୍ରଥମ ଶ୍ରେଣୀରେ ନାଁ ଲେଖାଇଥିଲି। ସେତେବେଳେ ସାର୍ ଏହି ସ୍କୁଲରେ ପାଠ ପଢ଼ାଉଥିଲେ। ସେବେଠାରୁ ସେ ଏହି ସ୍କୁଲରେ ଶିକ୍ଷକତା କରୁଛନ୍ତି। ସୌଭାଗ୍ୟକୁ ମୁଁ ଏବେ ଏହି ସ୍କୁଲରେ ଶିକ୍ଷକତା କରୁଛି। ଆଉ ବର୍ଷକ ପରେ ମୁଁ ମଧ୍ୟ ଚାକିରିରୁ ଅବସର ନେବି। ଏବେ ମଧ୍ୟ ସାର୍ ସକ୍ରିୟ ଅଛନ୍ତି ଓ ସ୍କୁଲକୁ ପ୍ରତିଦିନ ଆସୁଛନ୍ତି। ମୁଁ ସାରଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ବୋଲି ଅଶୋକ ପରିଡ଼ା କହିଛନ୍ତି।
କଖାରୁଣୀ ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ପୂର୍ବତନ ଛାତ୍ର ତଥା ବର୍ତ୍ତମାନ ସିଆର୍ସିସି ଥିବା ମଳୟ ଜେନା କହିଛନ୍ତି, “ମୁଁ ବନମାଳି ସାରଙ୍କ ଛାତ୍ର। ପିଲାବେଳେ ସେ ଯେମିତି ଉତ୍ସାହ ସହ ପଢ଼ାଉଥିଲେ। ଏବେ ମଧ୍ୟ ସେମିତି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କର ଉତ୍ସାହ ଟିକେ ହେଲେ କମି ନାହିଁ। ସେତେବେଳେ ଦିନ ସାରା ସ୍କୁଲରେ ରହୁଥିଲେ ଓ ଏବେ ମଧ୍ୟ ଦିନ ସାରା ସ୍କୁଲରେ ରହୁଛନ୍ତି।”
ରିପୋର୍ଟ-ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ