Advertisment

ତାତିଲେ ବାଲି ମାଫିଆ; ତହସିଲଦାରଙ୍କୁ ଆକ୍ରମଣ କଲେ, ଦେଖାଇଲେ ନାଲି ଆଖି

ବାଲି ମାଫିଆଙ୍କ ଆକ୍ରମଣରେ ଡେରାବିଶ ତହସିଲଦାରଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ଏ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

Tahasildar

Tahasildar

Advertisment

ବାଲି ତଥା ପଥର ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି ପ୍ରଶାସନିକ ଅଧିକାରୀ। କିଛି ଦିନ ପୂର୍ବେ ବାଲେଶ୍ୱର ଉପଜିଲ୍ଲାପାଳ ଓ ପୁରୀ ଜିଲ୍ଲା ପିପିଲି ବ୍ଲକର ସିଉଳା ଆରଆଇ ଇଟା ଓ ପଥର ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏବେ ସମଦଶା ଭୋଗିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲଦାର। ବାଲି ମାଫିଆଙ୍କ ଆକ୍ରମଣରେ ଡେରାବିଶ ତହସିଲଦାରଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଏ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। 

Advertisment

ଗତ ୧୭ତାରିଖ ଦିନରେ ଡେରାବିଶ ତହସିଲ ଅଧୀନ ଗୁଆଳସିଂଠାରେ ରାସ୍ତା ଉପରେ ବାଲି ଗଦା ହୋଇଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଥିବା ଖବର ପାଇ ତହସିଲଦାରଙ୍କ ସମେତ ଆରଆଇ ଓ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ସେମାନେ ଏକ ବାଲି ବୋଝେଇ ଟ୍ରକକୁ ଅଟକାଇ ଡ୍ରାଇଭରକୁ କାଗଜପତ୍ର ମାଗିଥିଲେ। ମାତ୍ର ଡ୍ରାଇଭର ଦେଖାଇଥିବା କାଗଜପତ୍ର ଉପରେ ସନ୍ଦେହ ହେବାରୁ ଟ୍ରକକୁ ଅଫିସକୁ ନେବାକୁ ତହସିଲଦାର ଡ୍ରାଇଭରକୁ କହିଥିଲେ।

ମାତ୍ର ଡ୍ରାଇଭର ଗାଡ଼ିକୁ ନେଇ କିଛି ଦୂରରେ ଥିବା ମାଲିକ ତ୍ରିଲୋଚନା ସାହୁ ଘର ଆଗରେ ଛିଡ଼ା କରି ଦେଇଥିଲା। ତହସିଲଦାର ଓ ଅନ୍ୟମାନେ ଟ୍ରକ୍‌ର ପିଛା କରି ସେଠାରେ ପହଞ୍ଚିଥିଲେ। ଏହାପରେ ଗାଡ଼ି ମାଲିକଙ୍କ ସମେତ ୪ ଜଣ ତହସିଲଦାରଙ୍କ ଗାଡ଼ିକୁ ଅଟକାଇ କାଗଜପତ୍ର ଫେରାଇବାକୁ କହିଥିଲେ। 

Advertisment

ମାତ୍ର ତହସିଲଦାର ମନା କରିବାରୁ ଗାଡ଼ି ଡୋର ଖୋଲି ସେମାନେ ଜୋରଜବରଦସ୍ତ ଟ୍ରକ୍‌ କାଗଜପତ୍ର ନେଇ ଯାଇଥିଲେ। ତହସିଲଦାର ଏହାର ବିରୋଧ କରିବାକୁ ବାଲି ମାଫିଆମାନେ ଗାଡ଼ି ଡୋରକୁ ଜୋରରେ ତାଙ୍କ ଆଣ୍ଠୁରେ ପିଟି ଦେଇଥିଲେ। ଫଳରେ ଆଣ୍ଠୁ ଆଘାତପ୍ରାପ୍ତ ହେବା ସହ ପ୍ରବଳ ଯନ୍ତ୍ରଣା ହୋଇଥିବା କହିଛନ୍ତି ତହସିଲଦାର।  ଏଥିସହ ସେମାନେ ତହସିଲଦାରଙ୍କୁ ନାଲି ଆଖି ଦେଖାଇବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ପରିଣାମ ଭୟଙ୍କର ହେବ ବୋଲି ବି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ତହସିଲଦାର ।

ସଦର ଥାନାଧିକାରୀ ସରୋଜ ସାହୁ କହିଛନ୍ତି ଯେ, ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଅଭିଯୁକ୍ତମାନେ ଫେରାର୍ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଏହି ଘଟଣା ଆଜିକୁ ୫ ଦିନ ହେଲାଣି ଘଟିଥିବା ବେଳେ ଏଯାଏ ଅଭିଯୁକ୍ତମାନେ ଫେରାର ଅଛନ୍ତି। 

Police Kendrapada Sand Mafia Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe