Advertisment

ଗ୍ରୀଷ୍ମରେ ରାସ୍ତାରେ ଲହଡି ମାରୁଛି ନର୍ଦ୍ଦମା ପାଣି, ସଫା କଲେ କଲେଜ ଛାତ୍ରୀ

ଆଜି ବଡପଡା ମହାବିଦ୍ୟାଳୟ ଛାତ୍ରୀମାନେ ପ୍ରତିବାଦ କରିଥିଲେ। ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧି କୋଦାଳ ଓ ବାଲ୍‌ତି ଧରି ଆସିଥିଲେ। ପରେ କାଦୁଅ ସରସର ରାସ୍ତାରୁ କାଦୁଅ ପାଣି ବାଲ୍‌ତିରେ ବାହାର କରିଥିଲେ।

Kendrapara

Kendrapara

Advertisment

ବର୍ଷା ନୁହେଁ, ଗ୍ରୀଷ୍ମ ଋତୁରେ ରାସ୍ତାରେ ଲହଡି ମାରୁଛି ନର୍ଦ୍ଦମା ପାଣି। ଶୁଣିଲାନି ପ୍ରଶାସନ। ଶେଷରେ ଅଣ୍ଟା ଭିଡ଼ିଲେ କଲେଜ ଛାତ୍ରୀ। କୁଦାଳ ଓ ବାଲ୍‌ତିରେ ରାସ୍ତାରେ ଲହଡି ମାରୁଥିବା ଆବର୍ଜନା ପାଣି ବାହାର କରିଥିଲେ। ଆଉ ରାସ୍ତା ଦୁଇ ପାର୍ଶ୍ୱରେ ଥିବା ଡ୍ରେନ୍‌କୁ ସଫା କରିବା ଦାବିରେ ଧାରଣା ଦେଇଥିଲେ। ଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୂଆଁଇଲା ପ୍ରଶାସନ। ଜେସିବିରେ ନର୍ଦ୍ଦମା ସଫା କରିଥିଲା। ଆଜି ଏପରି ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ।

Advertisment

ଦୀର୍ଘ ଦିନ ଧରି କଣ୍ଟାବଣ ମାର୍କେଟଠାରୁ ବିଜୟ ନଗର ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ବର୍ଷା ଋତୁ କଥା ଛାଡ଼ନ୍ତୁ, ଗ୍ରୀଷ୍ମରେ କାଦୁଅ ସର ସର ହେଉଥିଲା ଏହି ରାସ୍ତା। ଯାହାଫଳରେ ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିଲା। ବୋଇକ୍‌ ବା ସାଇକେଲ୍‌ରେ ଯାଉଥିବା ଲୋକମାନେ ପଡ଼ି ଆହତ ହେବା ସହିତ ଅନେକ ସମୟରେ ଅପଦସ୍ତ ହେଉଥିଲେ। ଚାଲି ଚାଲି ଯିବା ପାଇଁ ସ୍ଥାନୀୟ ଲୋକମାନେ ସାହସ କରିପାରୁନଥିଲେ। ବିଶେଷକରି ବଡପଡା ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବେଶୀ ଅସୁବିଧାରେ ପଡ଼ୁଥିଲେ। ତେଣୁ ରାସ୍ତା ମରାମତି ପାଇଁ ଛାତ୍ରଛାତ୍ରୀମାନେ ବାରମ୍ୱାର ଦାବି କରୁଥିଲେ। ମାତ୍ର ପ୍ରଶାସନ କର୍ଣ୍ଣପାତ କରୁନଥିଲା।

Kendraparaପିଲାମାନେ ରାସ୍ତା ସଫା କରୁଛନ୍ତି

ଆଜି ବଡପଡା ମହାବିଦ୍ୟାଳୟ ଛାତ୍ରୀମାନେ ପ୍ରତିବାଦ କରିଥିଲେ। ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧି କୋଦାଳ ଓ ବାଲ୍‌ତି ଧରି ଆସିଥିଲେ। ପରେ କାଦୁଅ ସରସର ରାସ୍ତାରୁ କାଦୁଅ ପାଣି ବାଲ୍‌ତିରେ ବାହାର କରିଥିଲେ। ଆଉ ପ୍ରଶାସନ ବିରୋଧରେ ନାନାବାଜୀ ଦେଇଥିଲେ। ଏପରିକି ଛାତ୍ରୀମାନେ ରାସ୍ତାରୋକ କରିବା ସହିତ ଧାରଣାରେ ବସିଥିଲେ।

Advertisment

ଖବର ପାଇ କାଠିଆପଡା ରାଜସ୍ୱ ନିରୀକ୍ଷକ(ଆର୍‌ଆଇ) ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଓ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆନ୍ଦୋଳନ କରୁଥିବା ଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ରାସ୍ତା ମରାମତି କରିବା ପାଇଁ ୭ ଦିନ ସମୟ ମାଗିଥିଲେ। ମାତ୍ର ଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ରାସ୍ତା ମରାମତି କଲେ ଧାରଣାରୁ ହଟିବୁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଏହାପରେ ଆର୍‌ଆଇ ଶ୍ରୀ ସ୍ୱାଇଁ ଓ ସରପଞ୍ଚ ଜେସିବି ମେଶିନ୍‌ ଆଣି ରାସ୍ତା ଦୁଇ ପାର୍ଶ୍ୱରେ ପୋତି ଯାଇଥିବା ନାଳକୁ ସଫା କରିଥିଲେ। ଏଥିସହ ରାସ୍ତାରୁ କାଦୁଅ ବାହାର କରିଥିଲେ। ତା’ପରେ ଛାତ୍ରୀଙ୍କ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ରିପୋର୍ଟ-ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe