/odisha-reporter/media/post_attachments/uploadimage/library/16_9/16_9_0/Minor_Boy_1686718372.jpg)
Minor Boy
ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ପ୍ରଥମ ରଜରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ମୃତକଜରକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର୍ଯ୍ୟ ।
ଆଶୁତୋଷ ଆଜି ନିଜ ମା’ଙ୍କ ସହ ଗାଁ ନିକଟରେ ଥିବା ନଦୀକୁ ଶୌଚ ପାଇଁ ଯାଇଥିଲେ। ମା’ ଗାଧୋଉଥିବା ବେଳେ କିଛି ଦୂରକୁ ଶୌଚ ପାଇଁ ଯାଇଥିବା ପୁଅଟି ହଠାତ୍ ଚିତ୍କାର କରିଥିଲା। ପୁଅର ଚିତ୍କାର ଶୁଣି ମା’ ଦୌଡ଼ିଯିବାରୁ ଆଖି ଆଗରେ ପୁଅକୁ କୁମ୍ଭୀର ଟାଣି ନେଉଥିବା ଦେଖିବାକୁ ପାଇଥିଲେ।
ଏହାପରେ ମା’ଙ୍କ ଚିତ୍କାର ଶୁଣି ଗାଁ ଲୋକେ ତୁରନ୍ତ ପହଞ୍ଚି ଖୋଜଖବର ଆରମ୍ଭ କରିଥିଲେ। କିଛି ସମୟ ପରେ ସେମାନେ ଆଶୁତୋଷଙ୍କ ମୃତଦେହ ଉଦ୍ଧାର କରିଥିଲେ।
ଦୀର୍ଘ ସମୟ ଧରି ପ୍ରଶାସନିକ ଅଧିକାରୀ, ବନ ଅଧିକାରୀ, ଅଗ୍ନିଶମ ଅଧିକାରୀ କିମ୍ବା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ପ୍ରଶାସନିକ ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାଯାଇଛି।
ଆଶୁତୋଷଙ୍କ ଏପରି ହଠାତ୍ ମୃତ୍ୟୁକୁ ତାଙ୍କ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ସକାଳେ ମା’ ସହ ହସଖୁସିରେ ନଦୀକୁ ଗାଧୋଇବାକୁ ଯାଇଥିବା ଆଶୁତୋଷ ରଜରେ ନୂଆ ଡ୍ରେସ ପିନ୍ଧି ଦୋଳି ଖେଳିଥାନ୍ତେ । ମାତ୍ର ତାଙ୍କୁ କୁମ୍ଭୀର ଟାଣି ନେବାରୁ ତାଙ୍କ ପରିବାରକୁ ଶକ୍ତ ଝଟକା ଲାଗିଛି। ଏପରିକି ତାଙ୍କ ମା’ କାନି ପାତି ପୁଅକୁ ଫେରାଇ ଆଣିବାକୁ ସମସ୍ତଙ୍କୁ ଗୁହାରୀ ହେଉଛନ୍ତି।
ସୂଚନାଯୋଗ୍ୟ, ପ୍ରଜନନ ସମୟରେ କୁମ୍ଭୀରହିଂସ୍ର ହୋଇଥାନ୍ତି। ଏହି ସମୟରେ ସେମାନେ ଭିତରକନିକା ଓ ପାଖାପାଖି ନଦୀ ଅଞ୍ଚଳକୁ ଉଠି ଆସଥାନ୍ତି। ଗତବର୍ଷ ଜଣେ ୪୦ ବର୍ଷର ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଯାଇଥିଲା । ବହୁ ସଂଘର୍ଷ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଦୀର୍ଘ ଦିନର ଚିକିତ୍ସା ପରେ ସେ ଗାଁକୁ ଫେରିଥିବା ଜଣାଯାଇଛି। ଏବେ ପୁଣି ଏପରି ଏକ ଅଘଟଣ ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
