Advertisment

ନିଆଁ ଲଗାଇଲ୍ ନିଶା ମହାରଣାଙ୍କ ଭିଡିଓ ବାର୍ତ୍ତା, ଯାତ୍ରା କଳାକାର ଓ କମିଟି ସାମ୍ନାସାମ୍ନୀ

କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ଯାତ୍ରାକୁ ନେଇ କଳାକାର ଓ କମିଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Jatra

Jatra

‘ହାଲୋ, ହାଏ, ନମସ୍କାର। ମୁଁ ଆପଣଙ୍କ ପ୍ରିୟ ଆଣ୍ଡ ହଟ୍ ଆଇଟମ ଗାଲ୍ ନିଶା ମହାରଣା। ଆସନ୍ତା ୨୬ ମାର୍ଚ୍ଚରେ ୨୦୨୩ରେ ମୁଁ ଆସୁଛି। ନିତାଇଚଇତନ ଯାତ୍ରା କମିଟି ବଡ଼ବସନ୍ତ ହାଇସ୍କୁଲ ପଡ଼ିଆକୁ ରାଜଧାନୀ ଅପେରାରେ। ଆପଣମାନଙ୍କୁ ଅନୁରୋଧ ବହୁତ ସଂଖ୍ୟାରେ ଆସନ୍ତୁ। ଗାଇବା, ଛୁମିବା, ନାଚିବା। ବହୁତ ସାରା ଏନ୍‌ଜଏ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ କରିବା। ପୋହଳ ଛକ ପଟ୍ଟାମୁଣ୍ଡାଇ ଆସିବାକୁ ଆପଣମାନେ ବିଲକୁଲ ଭୁଲିବେନି।’ ନିଶାଙ୍କ ଏହି ଭିଡିଓ ମେସେଜ୍ ଏବେ ଭାଇରାଲ ଓ ଯାତ୍ରାରେ ସେ ଯୋଗଦେବା ଆସିଥିବା ନେଇ ଠିଆ ହୋଇଛି ବିବାଦ।

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଦର୍ଶକଙ୍କ ଖଚାଖଚ ଭିଡ଼ ଭିତରେ ଯାତ୍ରା ଚାଲିଛି। ଦର୍ଶକଙ୍କୁ ଆକୃଷ୍ଟ କରିବାକୁ କେଉଁ ଯାତ୍ରା କମିଟି ଆଇଟମ୍ ଗାର୍ଲ ତ ଆଉ କିଏ ସିନେ କଳାକାରଙ୍କୁ ଆଣୁଛନ୍ତି। ତେବେ କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ଯାତ୍ରାକୁ ନେଇ କଳାକାର ଓ କମିଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଆଜି ଯାତ୍ରା ମଂଚକୁ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଆଣିବାକୁ ଘୋଷଣା କରିଥିଲା କମିଟି। ନିଜେ ନିଶା ମଧ୍ୟ ଭିଡିଓ ଜାରି କରି ସେ ଆସୁଥିବା ସ୍ପଷ୍ଟ କରିଥିଲେ। ହେଲେ ନିଶାଙ୍କ ବିରୋଧରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର। କହିଛନ୍ତି, ନିଶା ଆସିଲେ ସେମାନେ ମଂଚକୁ ଯିବେ ନାହିଁ। ଯାହା ଚର୍ଚ୍ଚାର ବିଷୟ ହୋଇଛି।

କେନ୍ଦ୍ରାପଡା ଯାତ୍ରା ମଞ୍ଚରେ ପରଫର୍ମ ନେଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଏହି ପ୍ରଚାର ତତାଇ ଦେଇଛି କଳାକାରଙ୍କୁ। ସମସ୍ତେ କ୍ଷୁବ୍ଧ। ସଫା ସଫା କହିଛନ୍ତି, ନିଶା ଷ୍ଟେଜକୁ ଚଢିଲେ ସେମାନେ ଯାତ୍ରା ମଂଚ ବର୍ଜନ କରିବେ। ହାସ୍ୟ ଅଭିନେତା ପ୍ରତାପ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ଅଶ୍ଲୀଳ ନୃତ୍ୟ ଉପରେ ରୋକ ଲଗାଇଛନ୍ତି। ତେଣୁ ଯଦି ନିଶାଙ୍କୁ ଅନୁମତି ମିଳେ ତେବେ କୌଣସି କଳାକାର ଅଭିନୟ କରିବେନି। ଯାତ୍ରା କମିଟି କିନ୍ତୁ କହିଛି, ନିଶା କେଉଁ ପ୍ରକାରର ନାଚ କରିବେ, ତାହା ନ ଦେଖି ବିରୋଧ କରିବା ଅନୁଚିତ।

Advertisment
Nisaନିଶା ମହାରଣା

କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ରାଜଧାନୀ ଯାତ୍ରାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଆଜି ଯାତ୍ରା ମଂଚକୁ ଚର୍ଚ୍ଚିତ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଆଣିବାକୁ ଘୋଷଣା କରିଥିଲା ଯାତ୍ରା କମିଟି। ନିଜେ ନିଶା ମହାରଣା ମଧ୍ୟ ଭିଡିଓ ଜାରି କରି ଆସୁଥିବା ସ୍ପଷ୍ଟ କରିଥିଲେ। ହେଲେ ତାପୂର୍ବରୁ ନିଶାଙ୍କୁ ନେଇ ଉପୁଜିଛି କଳାକାର ବନାମ କମିଟି ବିବାଦ। ଅନ୍ୟ କଳାକାର ମଧ୍ୟ ଅଶୀଳତା ବିରୋଧରେ ସମର୍ଥନ ଜଣାଇଛନ୍ତି।

ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂଳାପ ଏବଂ ଅଭିନୟ ପ୍ରଦର୍ଶନ ବନ୍ଦ କରିବାକୁ କିଛି ଦିନ ତଳେ ଗାଇଡଲାଇନ ଜାରି କରିଥିଲେ ସରକାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା ଯେ, ଯାତ୍ରାରେ ଅଶ୍ଳୀଳ ଏବଂ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବାକୁ ପଦକ୍ଷେପ ନିଆଯାଉ। ଯାତ୍ରା ଓ ମେଲୋଡି ପାର୍ଟି ଏହାକୁ ନମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଥିଲା।

ହେଲେ ଶାସନ କଳରେ ଲାଗିଥିବା କଳଙ୍କି ଯାତ୍ରା ପେଣ୍ଡାଲରେ କ’ଣ ଚାଲୁଛି ତାହା ଉପରେ ନଜର ରଖିପାରୁନି। ତେଣେ ସଚେତନ କଳାକାର ଗୋଷ୍ଠୀ ନଗ୍ନ ନୃତ୍ୟ ବିରୋଧରେ ଆବାଜ ଉଠାଇ ଏବେ ଲାଭଖୋର ବ୍ୟକ୍ତିମାନଙ୍କ ରୋଷର ଶିକାର ହୋଇଛନ୍ତି। ତେଣୁ ଆଗକୁ ଏହା କି ରୂପ ନେଉଛି ତାହା ଦେଖିବାର କଥା।

ରିପୋର୍ଟ- ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକଙ୍କ ସହ ବାଲେଶ୍ୱରରୁ ରଶ୍ମିରଂଜନ ଦାସ

Jatra Artiste