Advertisment

୨୦ ଘଣ୍ଟା ବୁଲିଲା ଛାତ୍ରୀଙ୍କ ମୃତଦେହ! ଏଥିପାଇଁ କିଏ ଦାୟୀ?

ଆଜି ଶିଶୁ ମଙ୍ଗଳ ଅଧିକାରୀଙ୍କ ପରାମର୍ଶରେ ସ୍କୁଲ କର୍ତ୍ତୃପକ୍ଷ ଏନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଣେ ମହିଳା ଡାକ୍ତରଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରିବା ପାଇଁ ପୁଲିସ୍‌ ରିପୋର୍ଟରେ ଲେଖିଥିଲା।

ଅଦ୍ୟତନ ହୋଇଛି
Student

Student

Advertisment

୨୦ ଘଣ୍ଟା ବୁଲିଲା ଛାତ୍ରୀଙ୍କ ମୃତଦେହ। ଏଥିପାଇଁ ଦାୟୀ କିଏ? ସରକାରୀ ବ୍ୟବସ୍ଥା ନା ଅବ୍ୟବସ୍ଥା? ନା ସେ ଜଣେ ଅନାଥ ଓ ଆଦିବାସୀ ଛାତ୍ରୀ ବୋଲି ଆମ ବ୍ୟବସ୍ଥା ତା’ ଆଗରେ ପଙ୍ଗୁ ହୋଇଯାଇଛି? ଏହାର ଉତ୍ତର କାହା ପାଖରେ ନାହିଁ। ତେବେ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ନିଜ ଦୋଷ ଛଡ଼ାଇବାରେ ଲାଗି ପଡ଼ିଛନ୍ତି। ଆଉ ଚିଠି ଲେଖି ଚୁପ୍‌ ବସିଛନ୍ତି। ହେଲେ ସେମାନେ କେବେ ଭାବିଛନ୍ତି ସେ ଝିଅର ଅବସ୍ଥା କ’ଣ ଥିବ? ଯିଏ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବଡ଼ ଭଉଣୀ ମୃତଦେହକୁ ୨୦ ଘଣ୍ଟାରୁ ଅଧିକ ସମୟ ଧରି ଜଗି ରହିଛି? ପୂରା ଘଟଣା ଜାଣିବା ପାଇଁ ପଢ଼ନ୍ତୁ ପୂରା ରିପୋର୍ଟ।

Advertisment

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲା ବାରିଆ ଥାନା ଜ୍ୟୋତିପୁର ଗାଁର ରଘୁନାଥ ମୁଣ୍ଡା। ପତ୍ନୀ ଓ ୪ ଝିଅଙ୍କୁ ନେଇ ତାଙ୍କ ସଂସାର। ତେବେ ରୋଗରେ ଆକ୍ରାନ୍ତ ହୋଇ ରଘୁନାଥ ଓ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା। ଏପରି ସ୍ଥିତିରେ ୪ ଭଉଣୀ ଚଳିବେ କେମିତି? ତେଣୁ ରଘୁନାଥର ବଡ଼ ଦୁଇ ଝିଅ ଭୁବନେଶ୍ୱର ପଳାଇ ଗଲେ। ସେଠାରେ କାମଦାମ କରିବାରେ ଲାଗି ପଡ଼ିଲେ। ଆଉ ତୃତୀୟ ଝିଅ ସରସ୍ୱତୀ ମୁଣ୍ଡା ଓ ସାନ ଝିଅ ବର୍ଷା ଆନନ୍ଦପୁର ସହର ଉପକଣ୍ଠରେ ଥିବା ଏକ ସେବାଶ୍ରମରେ ରହୁଥିଲେ। ସେଠାରେ ସରସ୍ୱତୀ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ।

ସେବାଶ୍ରମରେ ରହଣୀ ସମୟରେ ସରସ୍ଵତୀ ଟିବି ରୋଗରେ ଆକ୍ରାନ୍ତ ହୋଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କଟକ ବଡ଼ ମେଡ଼ିକାଲ୍‌ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ସରସ୍ୱତୀଙ୍କୁ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ସରସ୍ୱତୀ ସେବାଶ୍ରମ ସ୍କୁଲକୁ ଫେରିଥିଲେ। ସେବାଶ୍ରମର ସ୍ୱତନ୍ତ୍ର ରୁମ୍‌ରେ ରହି ପାଠ ପଢ଼ୁଥିଲେ। ଚିକିତ୍ସା ମଧ୍ୟ ହେଉଥିଲେ।

Advertisment

ମଙ୍ଗଳବାର ହଠାତ୍‌ ସରସ୍ୱତୀ ଅସୁସ୍ଥ ହୋଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସାଥୀରେ ସାନ ଭଉଣୀ ବର୍ଷା ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସରସ୍ୱତୀଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇବା ପରିବର୍ତ୍ତେ ନେଇଯିବାକୁ କହିଥିଲେ। ତେଣୁ ସ୍କୁଲ କର୍ତ୍ତୃପକ୍ଷ ମୃତଦେହକୁ ଧରି ପଳାଇ ଆସିଥିଲେ। ଏନେଇ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ।

ଶିଶୁ ମଙ୍ଗଳ ଅଧିକାରୀଙ୍କ ପରାମର୍ଶରେ ସ୍କୁଲ କର୍ତ୍ତୃପକ୍ଷ ଏନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଣେ ମହିଳା ଡାକ୍ତରଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରିବା ପାଇଁ ପୁଲିସ୍‌ ରିପୋର୍ଟରେ ଲେଖିଥିଲା। ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ମୃତଦେହକୁ ଧରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। ହେଲେ ମେଡ଼ିକାଲରେ ମହିଳା ଡାକ୍ତର ନଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିଲା ନାହିଁ। ତେଣୁ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଏନେଇ ରାମଚନ୍ଦ୍ରପୁର ଥାନାକୁ ଅବଗତ କରାଇଥିଲେ। ପରେ ପୁଲିସ୍‌ର ପରାମର୍ଶ କ୍ରମେ ସରସ୍ୱତୀଙ୍କ ଶବ ବ୍ୟବଚ୍ଛେଦ ହୋଇଛି। ସରସ୍ୱତୀଙ୍କ ମୃତ୍ୟୁର ୨୦ ଘଣ୍ଟାରୁ ଅଧିକ ସମୟ ପରେ ଶବ ବ୍ୟବଚ୍ଛେଦ ହୋଇଥିଲା। ଏଥିପାଇଁ ଦାୟୀ କିଏ? ତେବେ ଏଠି ପ୍ରଶ୍ନ ଉଠୁଛି, ମେଡ଼ିକାଲ୍‌ରେ ମୃତ ଛାତ୍ରୀର ପୋଷ୍ଟମର୍ଟମ ହେବ ବୋଲି କ’ଣ ଡାକ୍ତର ଜାଣିନାହାନ୍ତି?

ରିପୋର୍ଟ-ଆନନ୍ଦପୁରରୁ ମୁନ୍ନା ସିଂ

Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe