Advertisment

ସାପ କାମୁଡ଼ି ଦେଲା, ମେଡିକାଲ ନ ଯାଇ ପରୀକ୍ଷା ହଲ୍‌କୁ ଧାଇଁଲେ ଛାତ୍ରୀ

ବିଷର ଜ୍ୱଳାରେ ଛଟପଟ ହେବା ସତ୍ତ୍ୱେ ମେଡିକାଲ ନ ଯାଇ ପରୀକ୍ଷା ହଲ୍‌କୁ ଜିଦ୍‌ ଧରିଲା ଝିଅ। ଝିଅ ଜିଦ୍‌ ଆଗରେ ହାର ମାନିଗଲେ ପରିବାର ଲୋକେ ।

author-image
Niharika Rout
ଅଦ୍ୟତନ ହୋଇଛି
Snake

Snake

ପରୀକ୍ଷା ଦେବାକୁ ଘରୁ ଗୋଡ଼ କାଢ଼ିବା ପୂର୍ବରୁ ଝିଅକୁ କାମୁଡ଼ି ଦେଲା ବିଷଧର ସାପ । ବିଷର ଜ୍ୱଳାରେ ଛଟପଟ ହେବା ସତ୍ତ୍ୱେ ମେଡିକାଲ ନ ଯାଇ ପରୀକ୍ଷା ହଲ୍‌କୁ ଜିଦ୍‌ ଧରିଲା ଝିଅ। ଝିଅ ଜିଦ୍‌ ଆଗରେ ହାର ମାନି ପରିବାର ଲୋକେ ତାକୁ ପରୀକ୍ଷା ହଲ୍‌କୁ ନେଇଥିଲେ। ସେଠାରେ ଝିଅ କିନ୍ତୁ ସମ୍ପୂର୍ଣ୍ଣ ପରୀକ୍ଷା ଦେଇ ପାରିଲାନି। ଅଧା ପରୀକ୍ଷା ଦେଉ ଦେଉ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଆଜି ଘଟିଛି। ସାପ କାମୁଡ଼ାରେ ଗୁରୁତର ଛାତ୍ରୀଜଣକ ହେଲେ ଲିପ୍ସା ରାଣୀ ସାହୁ ।

ଲିପ୍ସା ଆନନ୍ଦପୁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ପଢ଼ୁଥିବା ବେଳେ ଆଜି ତାଙ୍କ ଫାଇନାଲ ପରୀକ୍ଷା ଥିଲା। ଏଥିନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବା ଲିପ୍ସା ଘରୁ ବାହାରିବା ପୂର୍ବରୁ ବାଡ଼ିକୁ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ଏକ କଳା ସାପ ଦଂଶନ କରିଥିଲା।

Advertisment

ଏନେଇ ଲିପ୍ସା ପରିବାର ଲୋକଙ୍କୁ ଜଣାଇଥିବା ବେଳେ ସେମାନେ ତାଙ୍କୁ ମେଡିକାଲ ଯିବାକୁ କହିଥିଲେ । ମାତ୍ର ପରୀକ୍ଷା ଦେବାକୁ ଜିଦ୍‌ ଧରିଥିଲେ ଲିପ୍ସା। ଏପରିକି ପରୀକ୍ଷା ନ ଦେଲେ ଗୋଟିଏ ବର୍ଷ ନଷ୍ଟ ହୋଇଯିବ ବୋଲି ପରିବାର ଲୋକଙ୍କୁ ବୁଝାଇଥିଲେ।

ଝିଅ ଜିଦ୍‌ ଆଗରେ ପରିବାର ଲୋକେ ହାର ମାନି ତାଙ୍କୁ ପରୀକ୍ଷା ହଲ ନେଇଥିଲେ। ସେଠାରେ ସ୍ୱାଭାବିକ ଥିବା ଲିପ୍ସା ପରୀକ୍ଷା ଦେଉ ଦେଉ ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇଥିଲା। ଫଳରେ ତତ୍‌କ୍ଷଣାତ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ଅବଜରଭେସନରେ ରଖା ଯାଇଥିବା ଡାକ୍ତର କହିଛନ୍ତି।

 ରିପୋର୍ଟ- ଆନନ୍ଦପୁରରୁ ମୁନା ସିଂ

+2 Exam Keonjhar Snake Bite