ଆବାସ ଯୋଜନା ସାତ ସପନ, ତିନି ଦିବ୍ୟାଙ୍ଗ ପୁଅଙ୍କୁ ଧରି ଭଙ୍ଗା ଘରେ ଜିଉଁଛନ୍ତି ରବି

ତେଲକୋଇ (ଚିନ୍ମୟ କୁମାର ସାହୁ): ଆବାସ ପ୍ଲସ ତାଲିକାରେ ଥିବା ଓ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ପରିବାରକୁ ଘର ମରାମତି ପାଇଁ ୫ହଜାର ଟଙ୍କା ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥି ପାଇଁ ରାଜ୍ୟ ରାଜକୋଷରୁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ୩୦ ଲକ୍ଷ ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିର୍ବାଚନୀ ଥୋପ ଘୋଷଣା […]

telkoi1

Ranjit Kumar Jena
  • Published: Thursday, 30 December 2021
  • , Updated: 30 December 2021, 05:56 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): ଆବାସ ପ୍ଲସ ତାଲିକାରେ ଥିବା ଓ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ପରିବାରକୁ ଘର ମରାମତି ପାଇଁ ୫ହଜାର ଟଙ୍କା ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥି ପାଇଁ ରାଜ୍ୟ ରାଜକୋଷରୁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ୩୦ ଲକ୍ଷ ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ନିର୍ବାଚନୀ ଥୋପ ଘୋଷଣା ପରେ ପ୍ରକୃତ ହିତାଧିକାରୀ କିପରି ତାଲିକାରୁ ବାଦ ପଡିଛନ୍ତି, ତାହା ଜଣାପଡିଛି। ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଯାଞ୍ଚ ବାହାନାରେ ଗୃହ ପାଇବା ତାଲିକାରୁ ବାଦ ଦିଆଯାଇଛି। ଯାହାକୁ ନେଇ ହିତାଧିକାରୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ତେବେ ସରକାରଙ୍କ ଏ ନିର୍ବାଚନୀ ଥୋପ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଓରିଆ ପଞ୍ଚାୟତ ଜଟ ଗ୍ରାମରେ ରହୁଥିବା ରବି ସାହୁଙ୍କ ପରିବାରରେ ୩ ପୁଅ ବୋହୂ, ନାତି ନାତୁଣୀ ଅଛନ୍ତି। ସେ ତିଆରି କରିଥିବା ୩ ବଖରା ଘରେ ତାଙ୍କ ପୁଅ ବୋହୂମାନେ ରହୁଛନ୍ତି। ତେବେ ନିଜ ପାଇଁ ଘର ନଥିବାରୁ ୩ ବର୍ଷ ହେଲାଣି ସେ ଗାଁ ମଣ୍ଡପରେ ଶୋଉଛନ୍ତି। ଅନ୍ୟପଟେ ତାଙ୍କ ୩ ପୁଅ ମୂକ ଆଉ ବଧିର। ତେଣୁ ବୋହୂମାନେ ଘର ସମ୍ଭାଳୁଛନ୍ତି। ହେଲେ ସେ ତିଆରି କରିଥିବା ଘର ଏବେ କାନ୍ଥ ଫାଟି ଆଁ କଲାଣି।

ପୁଅ ମାନଙ୍କ ନାଁ ଘର ପାଇବା ତାଲିକାରେ ରହିଥିଲା। ପଞ୍ଚାୟତ ପକ୍ଷରୁ ସେମାନଙ୍କ ଠାରୁ ଘରର କାର୍ଯ୍ୟାଦେଶ ଦେବା ପାଇଁ କାଗଜ ପାତ୍ର ନିଆଯାଇଥିଲା କିନ୍ତୁ ଏବେ ତାଲିକାରେ ଆଉ ନାଁ ନାହିଁ। ସରକାରୀ ବାବୁମାନେ ଯାଞ୍ଚ କରି ସେମାନଙ୍କ ନାଁ କାଟିଦେଇଛନ୍ତି। ଏବେ ନା ସେମାନେ ଘର ପାଇବେ ନା ସରକାରଙ୍କ ଦ୍ୱାରା ଘୋଷିତ ୫ ହଜାର ଟଙ୍କା ପାଇବେ।

କେବଳ ରବି ସାହୁଙ୍କ ପରିବାର ନୁହେଁ, ଗାଁରେ ଏମିତି ବହୁ ଯୋଗ୍ୟ ହିତାଧିକାରୀଙ୍କ ନାଁ ଘର ପାଇବା ତାଲିକାରୁ କଟିଯାଇଛି। ଯାହାର ଭଲ ଘର ଅଛି ଓ ଯିଏ ଆଗରୁ ଘର ପାଇଛି, ସେମାନଙ୍କ ନାଁ ତାଲିକାରେ ଅଛି ବୋଲି କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି। ରାଜନୈତିକ ଲୋକେ ଯାଞ୍ଚ ବେଳେ ହସ୍ତକ୍ଷେପ କରି ଦଳୀୟ ଭିତ୍ତିରେ ତାଲିକାରେ ଅଯୋଗ୍ୟ ଲୋକଙ୍କୁ ରଖିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

କେବଳ ଯେ ଏଇ ଗୋଟିଏ ଗାଁର ଏ ସମସ୍ୟା ନୁହେଁ। ସାରା ବ୍ଲକରେ ବର୍ତ୍ତମାନ ସମାନ ଅବସ୍ଥା। ତେବେ ଏ ସମସ୍ୟା ନେଇ ତେଲକୋଇ ବିଡିଓଙ୍କ କହିଛନ୍ତି ଯେ ଦୁଇ ବର୍ଷ ତଳେ ଆବାସ ଯୋଜନାର ତାଲିକା ସର୍ଭେ ହୋଇଥିଲା। ସର୍ଭେ ପରେ ବ୍ଲକରେ ୭୩୩୫ ହିତାଧିକାରୀ ଘର ପାଇବା ତାଲିକାରେ ଅଛନ୍ତି। ଏହାବ୍ୟତୀତ ବହୁ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ନଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପରିସ୍ଥିତିରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ପୁନଶ୍ଚ ତାଲିକାରେ ରଖିହେବ ନାହିଁ। ସରକାର ଯଦି ପୁନଶ୍ଚ ସର୍ଭେ ପାଇଁ କୁହନ୍ତି ଆମେ କରିବୁ, ଏବେ ଆମେ ନିରୁପାୟ ବୋଲି ବିଡିଓ କହିଛନ୍ତି।

Related story