ଫେଲ୍‌ ମାରିଲା ‘ବସୁଧା’ ଯୋଜନା! ଚୁଆ ପାଣି ପିଉଛନ୍ତି ଗାଁ ଲୋକେ

ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଗାଁ ଲୋକେ ଭାବିଥିଲେ। ହେଲେ ୬ ମାସ ପରେ ଗାଁ ଲୋକଙ୍କ ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା। ହଠାତ୍‌ କୂଅ ଧସି ଯାଇଥିଲା। ଆଉ ପାଣି ଉଠି ପାରିଲା ନାହିଁ।

କୂଅ ପାଖରେ ଗାଁର ମହିଳାମାନେ ଛିଡ଼ା ହୋଇଛନ୍ତି

  • Published: Saturday, 10 June 2023
  • , Updated: 10 June 2023, 08:56 PM IST

ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ତାହା କାମରେ ଆସୁନାହିଁ। ତେଣୁ ଶୋଷ ମେଣ୍ଟାଇବା ପାଇଁ ଗାଁ ଲୋକେ ନଦୀର ଚୁଆ ଉପରେ ନିର୍ଭର କରୁଛନ୍ତି। ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଚୁଆ ଶୁଖି ଯାଇଛି। ଏପରି ସ୍ଥିତିରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ତାଳପଦା ଗାଁର ଲୋକେ।

ସମାକୋଇ ନଦୀ କୂଳରେ ଛିଡ଼ା ହୋଇଛି ତାଳପଦା ଗାଁ। ଏହି ଗାଁର ଲୋକ ସଂଖ୍ୟା ୨୦୦୦ରୁ ଅଧିକ ହେବ। ସମସ୍ତେ ପ୍ରାୟତଃ ଚାଷ ଉପରେ ନିର୍ଭର କରୁଛନ୍ତି। ଗାଁଟି ନଦୀ କୂଳରେ ଥିବା ସତ୍ତ୍ୱେ ପାନୀୟ ଜଳ ସମସ୍ୟା ଦେଖାଦେଉଛି। ଏନେଇ ଗାଁ ଲୋକେ ବାରମ୍ୱାର ପ୍ରଶାସନ ପାଖରେ ଗୁହାରୀ କରିଥିଲେ। ଶେଷରେ ପ୍ରଶାସନ ଗାଁ ଲୋକଙ୍କ କଥା ଶୁଣିଥିଲା। ୨୦୧୪ ମସିହାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନାରେ ପ୍ରାୟ ୩୦ ଲକ୍ଷ ଟଙ୍କାରେ ନଦୀ କୂଳରେ ଖୋଲା କୂଅ ଖନନ କରାଯାଇଥିଲା। ଆଉ ସେଥିରୁ ମୋଟର ମାଧ୍ୟମରେ ପାଣିକୁ ଓଭୟର ହେଡ୍‌ ଟଙ୍କିକୁ ଉଠା ଯାଉଥିଲା। ତା’ପରେ ସେଠାରୁ ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା।

ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଗାଁ ଲୋକେ ଭାବିଥିଲେ। ହେଲେ ୬ ମାସ ପରେ ଗାଁ ଲୋକଙ୍କ ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା। ହଠାତ୍‌ କୂଅ ଧସି ଯାଇଥିଲା। ଆଉ ପାଣି ଉଠି ପାରିଲା ନାହିଁ। ଯାହାଫଳରେ ଲୋକମାନେ ପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ିଲେ। ଏନେଇ ଅଭିଯୋଗ ହେବା ପରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ପ୍ରାୟ ୫୦ ଲକ୍ଷ ଟଙ୍କାରେ ବୋରୱେଲ ନିର୍ମାଣ କରାଯାଇ ପୂର୍ବରୁ ନିର୍ମାଣ ହୋଇଥିବା ଓଭରହେଡ୍‌ ଟାଙ୍କିକୁ ପାଣି ଉଠାଇବାର ବ୍ୟବସ୍ଥା କରାଯାଇଥିଲା। ଏଥିସହ ସାହି, ସାହିକୁ ପାଇପ୍‌ ବିଛା ଯାଇଥିଲା। ହେଲେ ତାହା କୌଣସି କାମରେ ଆସୁନାହିଁ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

ପାଣି ମୁନ୍ଦାଏ ପାଇଁ ଗାଁ ଲୋକେ ଡହଳ ବିକଳ ହେଉଛନ୍ତି। କିଛି ଉପାୟ ନପାଇ ଗାଁ ଲୋକେ ସମାକୋଇ ନଦୀ ଚୁଆରୁ ପାଣି ସଂଗ୍ରହ କରି ଚଳୁଛନ୍ତି। ଏଥିପାଇଁ ଗାଁ ମହିଳାଙ୍କୁ ବହୁବାଟ ଅତିକ୍ରମ କରିବାକୁ ପଡ଼ୁଛି। ଏବେ ଗ୍ରୀଷ୍ମ ପ୍ରବାହ ଜାରି ହୋଇଥିବାରୁ ଚୁଆ ଗୁଡ଼ିକ ଶୁଖିଗଲାଣି। ଯେଉଁଥିପାଇଁ ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ସ୍ଥାନୀୟ ଲୋକେ ତେଲକୋଇ ବିଡ଼ିଓଙ୍କ ପାଖରେ ଗୁହାରୀ କରିଥିଲେ। ଅଭିଯୋଗ ଶୁଣିବା ପରେ ଟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ପାଣି ମୁନ୍ଦାଏ ଦେଇପାରିଲା ନାହିଁ ପ୍ରଶାସନ।

ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ RWSS ଯନ୍ତ୍ରୀ ଅଶୋକ କୁମାର ଦେ’ଙ୍କ କହିବା ଆନୁସାରେ ଚଳିତବର୍ଷ ବର୍ଷା ନାହିଁ। ନଦୀ ଶୁଖିଲା ପଡିଛି। ତେଣୁ ନଦୀରେ ଥିବା କୂଅରେ ପାଣି ପର୍ଯ୍ୟପ୍ତ ହେଉନାହିଁ। ଏହା ଛଡା ଖୋଳା ଯାଇଥିବା ଗଭୀର ନଳକୂପ ମଧ୍ୟ ପାଣି ଯୋଗାଇବାରେ ସକ୍ଷମ ହେଉନାହିଁ। ତେଣୁ ପାଣି ଯୋଗାଇବାରେ ଅସୁବିଧା ହେଉଛି। ଏନେଇ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ଦେ କହିଛନ୍ତି।

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

Related story