Advertisment

ମଞ୍ଚରେ ସିଟ୍‌ ମିଳିଲାନି! ଉଠି ପଳାଇଗଲେ ବିଜେଡି ବିଧାୟକ

ମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନେଲା ବେଳେ ବିଧାୟକଙ୍କ ଆସନରେ ବସି ଯାଇଥିଲେ ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀ ଧନୁର୍ଜୟ ସିଧୁ। ଏହା ଦେଖି ଚିଡି ଯାଇଥିଲେ ପ୍ରେମାନନ୍ଦ! ନିଜ ନିର୍ବାଚନମଣ୍ଡଳୀରେ ଓ ନିଜ ଦ୍ୱାରା ଆୟୋଜିତ ସଭାରେ ନିଜ ପାଇଁ ବସିବାକୁ ସିଟ୍‌ ନଥିଲା!

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ମହିଳା ସମାବେଶ ଆୟୋଜନ କଲେ। ଅଧ୍ୟକ୍ଷତା କଲେ। ହେଲେ ମଞ୍ଚରେ ବସିବାକୁ ସିଟ୍‌ ପାଇଲେ ନାହିଁ! ତାଙ୍କ ଆସନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବସି ପଡ଼ିବାରୁ ରାଗିଗଲେ ବିଜେଡି ବିଧାୟକ। ପରେ ତରତର ହୋଇ ମଞ୍ଚ ଛାଡ଼ି ପଳାଇ ଗଲେ! କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀରୁ ଆସିଛି ଏପରି ଗୋଷ୍ଠୀ କନ୍ଦଳର ଚିତ୍ର। ତେବେ ସବୁଠାରୁ ମଜାଦାର କଥା ହେଉଛି ଏ ସବୁ ଘଟଣା ରାଜ୍ୟ ମହିଳା ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀଙ୍କ ଆଗରେ ଘଟିଛି। କିନ୍ତୁ ମନ୍ତ୍ରୀ କହୁଛନ୍ତି, ବିଧାୟକଙ୍କ ଦେହ ଖରାପ ଥିଲା।

Advertisment

ରବିବାର ତେଲକୋଇ ନିର୍ବାଚନମଣ୍ଡଳୀରେ ବିଜୁ ଜନତାର ମହିଳା ସମାବେଶ ହୋଇଥିଲେ। ଏଥିରେ ଅଧ୍ୟକ୍ଷତା କରୁଥିଲେ ସ୍ଥାନୀୟ ବିଧାୟକ ପ୍ରେମାନନ୍ଦ ନାୟକ। ମୁଖ୍ୟଅତିଥି ଭାବେ ମହିଳା ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ ଯୋଗଦେଇଥିଲା। ନିର୍ଦ୍ଧାରିତ ସମୟରେ ସଭା ଆରମ୍ଭ ହୋଇଥିଲେ ମଧ୍ୟ ମୁଖ୍ୟ ଅତିଥି ଠିକ୍‌ ସମୟରେ ଆସିପାରିନଥିଲେ।

ସଭାରେ ବହୁ ବିଜେଡି ନେତା ଓ କର୍ମୀ ଯୋଗଦେଇ ରାଜ୍ୟ ସରକାରଙ୍କ ଗୁଣଗାନ କରିଥିଲେ। ଅପରାହ୍ନରେ ମୁଖ୍ୟଅତିଥି ସଭାକୁ ଆସିଥିଲେ। ତାଙ୍କୁ ସ୍ୱାଗତ କରିବାକୁ ମଞ୍ଚ ତଳକୁ ଯାଇଥିଲେ ବିଧାୟକ ପ୍ରେମାନନ୍ଦ ନାୟକ। ମନ୍ତ୍ରୀ ଓ ଅନ୍ୟ କିଛି ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନେଲା ବେଳେ ବିଧାୟକଙ୍କ ଆସନରେ ବସି ଯାଇଥିଲେ ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀ ଧନୁର୍ଜୟ ସିଧୁ। ଏହା ଦେଖି ଚିଡି ଯାଇଥିଲେ ପ୍ରେମାନନ୍ଦ! ନିଜ ନିର୍ବାଚନମଣ୍ଡଳୀରେ ଓ ନିଜ ଦ୍ୱାରା ଆୟୋଜିତ ସଭାରେ ନିଜ ପାଇଁ ବସିବାକୁ ସିଟ୍‌ ନପାଇବାରୁ ରାଗ ତମତମ ହୋଇ ସେ ମଞ୍ଚରୁ ଓହ୍ଲାଇ ପଳାଇ ଯାଇଥିଲେ। ତେବେ ବିଧାୟକଙ୍କ ଅନୁପସ୍ଥିତିରେ ସଭା ଚାଲିଥିଲା। 

Advertisment
BJDଆୟୋଜିତ ମହିଳା ସମାବେଶ

୨୦୧୯ ସାଧାରଣ ନିର୍ବାଚନରେ ତେଲକୋଇ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ପ୍ରେମାନନ୍ଦ ନାୟକ। ତାଙ୍କ ବିରୋଧରେ ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲା। ନିର୍ବାଚନରେ ପ୍ରେମାନନ୍ଦ ନାୟକ ବିଜୟୀ ହୋଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ହୋଇଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଧନୁର୍ଜୟ ସିଧୁ ବିଜେପି ଛାଡି ବିଜେଡିରେ ଭୁବନେଶ୍ୱରରେ ମିଶି ଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ଦିଆଯାଇଥିଲା। ଧନୁର୍ଜୟଙ୍କ ଏପରି ନିଯୁକ୍ତକୁ ପ୍ରେମାନନ୍ଦଙ୍କ ଗୋଷ୍ଠୀ ସହଜରେ ଗ୍ରହଣ କରିପାରୁନଥିବା ଚର୍ଚ୍ଚା ହେଉଛି।

ଦୁଇ ନେତାଙ୍କ ଭିତରେ ଥିବା କନ୍ଦଳ ରବିବାର ଅନୁଷ୍ଠିତ ହୋଇଥିବା ମହିଳା ସମାବେଶରେ ଦେଖିବାକୁ ମିଳିଛି। ବାହାରକୁ ସବୁ ଠିକ୍‌ ଦେଖାଯାଉଥିଲେ ମଧ୍ୟ ଭିତରେ ପ୍ରବଳ ଗୋଷ୍ଠୀ କନ୍ଦଳ ରହିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଜୁ ଜନତାଦଳର ବରିଷ୍ଠ କର୍ମୀ ତଥା ଜିଲ୍ଲା ପରିଷଦ ସଦସ୍ୟ କେଦାର ପ୍ରଧାନ କହିଛନ୍ତି, ଧନୁର୍ଜୟ ସିଧୁଙ୍କୁ ଦଳରେ ମିଶ୍ରଣ ଦିନ ସଂଗଠନ ସମ୍ପାଦକ ବବି ଦାସ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦୁଇ ପାର୍ଶ୍ୱରେ ବସାଇ ଦୁଇଟି ଶକ୍ତିର ମିଶ୍ରଣ ହେଲା ବୋଲି କହିଲେ। ସେହି ଦିନ ତେଲକୋଇ ନିର୍ବାଚନମଣ୍ଡଳୀରେ ଦଳ ଦୁଇ ଭାଗରେ ବିଭାଜନ ହୋଇଥିଲା। ଯାହା ଆଗକୁ ନିଶ୍ଚିତ ରୂପେ ଦଳ ପାଇଁ କ୍ଷତି ପହଂଚାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡିର ବ୍ଲକ ସଭାପତି ସନ୍ତୋଷ କୁମାର ବିଶ୍ୱାଳଙ୍କ କହିବା ଆନୁସାରେ ସମାବେଶ ମୂଳରୁ ଧନୁର୍ଜୟ ସିଧୁ ଆସିନଥିଲେ। ଯେତେବେଳେ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ ସମାବେଶ ଶେଷ ପର୍ଯ୍ୟାୟରେ ଆସିଲେ, ସିଧୁ ତାଙ୍କ ସହିତ ଆସିଲେ। ସେ ବିଧାୟକଙ୍କ ପାଇଁ ଥିବା ଆସନରେ ବସିଯିବାରୁ ବିଧାୟକ ମଞ୍ଚ ଛାଡି ପଳାଇଥିଲେ। ବର୍ତ୍ତମାନ ଦଳ ଏଠି ଭାଗ ଭାଗ ହୋଇଛି। ଭବିଷ୍ୟତ କ’ଣ ହେବ କହିହେବନି ବୋଲି ସନ୍ତୋଷ କୁମାର ବିଶ୍ୱାଳ କହିଛନ୍ତି।

ତେବେ ଏ ସମ୍ପର୍କରେ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ କହିଛନ୍ତି, ବିଧାୟକଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ ପଳାଇ ଥିଲେ। ଦଳରେ କୌଣସି ଫାଟ ନାହିଁ। ଆମେ ଏକ ଅଛୁ ବୋଲି ମନ୍ତ୍ରୀ ସଫେଇ ଦେଇଥିଲେ।

ବିଜେଡି ଗୋଷ୍ଠୀ କନ୍ଦଳ ନେଇ ବିଧାୟକ ପ୍ରେମାନନ୍ଦ ନାୟକ ବା ଧନୁର୍ଜୟ ସିଧୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

BjD Bjd Leader Kendujhar Bjd Mla