Advertisment

ମଦ ପିଇ ଶୋଇପଡ଼ିଲେ ଶିକ୍ଷକ ଓ ରୋଷେୟା, ରାନ୍ଧିଲେ ୫ମ ଶ୍ରେଣୀ ପିଲା

ଖାଇବାକୁ ନପାଇ ପିଲାମାନେ ଭୋକରେ ଆଉଟୁ ପାଉଟୁ ହେଉଥିଲେ। ଶିକ୍ଷକ ଓ ରୋଷେୟାଙ୍କ ଏପରି ଅବସ୍ଥା ଦେଖି ପଞ୍ଚମ ଶ୍ରେଣୀରେ ପଢ଼ୁଥିବା କିଛି ଛାତ୍ର ମିଶି ଅନ୍ତେବାସୀଙ୍କ ପାଇଁ ରୋଷେଇ କରୁଥିଲେ। ଗାଁର କିଛି ଯୁବକ ଏ ସମ୍ପର୍କରେ ଖବର ପାଇଥିଲେ।

Telkoi

Telkoi

Advertisment

ମଦ ନିଶାରେ ଶୋଇପଡ଼ିଲେ ଶିକ୍ଷକ ଓ ରୋଷେୟା। ଦୀର୍ଘ ସମୟ ଧରି ଉପବାସ ରହିଲେ ୨୫ରୁ ଅଧିକ ଛାତ୍ରଛାତ୍ରୀ। ଶେଷରେ କିଛି ଉପାୟ ନପାଇ ପିଲାମାନେ ନିଜେ ରୋଷେଇ କରୁଥିଲେ। ଆଜି ଏପରି ବିଚିତ୍ର ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ତଲକୋଇ ବ୍ଲକ ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି।

Advertisment

ଡିମିରିଆ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଆବାସିକ ହଷ୍ଟେଲ୍‌ ରହିଛି। ସେହି ହଷ୍ଟେଲ୍‌ରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ରହୁଛନ୍ତି। ଛାତ୍ରାବାସ ଦାୟିତ୍ୱରେ ସେହି ସ୍କୁଲର ଶିକ୍ଷକ ମାନ ସିଂ ମୁଣ୍ଡା ରହିଥିବା ବେଳେ ରୋଷେୟା ଭାବେ ଦେବାନନ୍ଦ ଦେହୁରୀ କାର୍ଯ୍ୟ କରୁଥିଲେ। ହେଲେ ଆଜି ସକାଳେ ଶିକ୍ଷକ ମାନ ସିଂ ମୁଣ୍ଡା ଓ ରୋଷେୟା ଦେବାନନ୍ଦ ମିଶି ବହେ ମଦ ପିଇଥିଲେ! ଉଭୟ ମଦ ପିଇବା ପରେ ଚାଲିବୁଲି ପାରିଲେ ନାହିଁ। ନିଶାରେ ତଳେ ପଡ଼ି ଯାଇଥିଲେ।

ସେପଟେ ଖାଇବାକୁ ନପାଇ ପିଲାମାନେ ଭୋକରେ ଆଉଟୁ ପାଉଟୁ ହେଉଥିଲେ। ଶିକ୍ଷକ ଓ ରୋଷେୟାଙ୍କ ଏପରି ଅବସ୍ଥା ଦେଖି ପଞ୍ଚମ ଶ୍ରେଣୀରେ ପଢ଼ୁଥିବା କିଛି ଛାତ୍ର ମିଶି ଅନ୍ତେବାସୀଙ୍କ ପାଇଁ ରୋଷେଇ କରୁଥିଲେ। ଗାଁର କିଛି ଯୁବକ ଏ ସମ୍ପର୍କରେ ଖବର ପାଇଥିଲେ। ସେମାନେ ଏନେଇ ସ୍ଥାନୀୟ ସରପଞ୍ଚ ପାଙ୍ଗେଲ ମୁଣ୍ଡାଙ୍କୁ ଖବର ଦେଇଥିଲେ। ସରପଞ୍ଚ ନିଜର ସାଥୀଙ୍କ ସହ ସ୍କୁଲରେ ପହଞ୍ଚିଥିଲେ। ସେତେବେଳେ ଉଭୟ (ଶିକ୍ଷକ ଓ ରୋଷେୟା) ମଦ ନିଶାରେ ତଳେ ପଡ଼ିଥିବା ଦେଖିବାକୁ ପାଇଲେ। ପରେ ଉଭୟଙ୍କୁ ନିଶାଶକ୍ତ ଅବସ୍ଥାରେ ଉଦ୍ଧାର କରି ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ।

Advertisment

ସରପଞ୍ଚ ଓ ଅଭିଭାବକମାନେ ଏନେଇ ତେଲକୋଇ ବ୍ଲକ୍‌ ଅତିରିକ୍ତ ଶିକ୍ଷା ଅଧିକାରୀ(ଏବିଇଓ)ଙ୍କୁ ସୂଚନା ଦେଇଥିଲେ। ଘଟଣାର ତଦନ୍ତ କରିବା ପାଇଁ ସ୍କୁଲକୁ ଆସିଥିଲେ। ପିଲାମାନଙ୍କୁ ପଚାରିବା ପରେ ସବୁ ସତକଥା ଜାଣିବାକୁ ପାଇଥିଲେ। ଶିକ୍ଷକ ମାନ ସିଂ ମୁଣ୍ଡା ଓ ରୋଷେୟା ନିୟମିତ ମଦ ନିଶାରେ ଶୋଇପଡ଼ୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଶିକ୍ଷକ ମାନ ସିଂ ମୁଣ୍ଡାଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଥିବା ବେଳେ ରୋଷେୟା ଦେବାନନ୍ଦଙ୍କୁ ବହିଷ୍କାର କରାଯାଇଛି। ଉକ୍ତ ସ୍କୁଲରେ ଦୁଇ ଜଣ ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ତେଲକୋଇ ବ୍ଲକ୍‌ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଭାଷ ଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି। ଆଉ ଜଣେ ରୋଷେୟାଙ୍କୁ ଛାତ୍ରାବାସରେ ରୋଷେଇ ଦାୟିତ୍ୱରେ ରଖାଯାଇଛି ବୋଲି ସେ କହିଛନ୍ତି।

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe