Advertisment

ଝାଳବୁହା ଧନ ଲୁଟି ନେଲେ ପୋଷ୍ଟମାଷ୍ଟର; ଜଳକା ହିତାଧିକାରୀ

ପୋଷ୍ଟମାଷ୍ଟରଙ୍କ ଏପରି ଚାଲ୍‌ ଗାଁ ଲୋକେ ଜାଣିପାରିଲେ। ବୁଝାବୁଝି କରିବାରୁ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେଉନଥିବା ଜାଣିବାକୁ ପାଇଥିଲେ। ଏହା ପରେ ଗାଁ ଲୋକେ ପୋଷ୍ଟମାଷ୍ଟର୍ ଭୈରବ ନାଏକକୁ ଘେରିବା ପାଇଁ ଯୋଜନା କରୁଥିଲେ।

Fraud

Fraud

Advertisment

ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ଅକ୍ଳାନ୍ତ ପରିଶ୍ରମ କରି ରୋଜଗାର କରିଥିଲେ ଟଙ୍କା। ହେଲେ ଟଙ୍କାକୁ ଲୁଟିନେଲେ ପୋଷ୍ଟ ମାଷ୍ଟର। ନିଦ ଦ୍ୱି’ପହରେ ଶତାଧିକ ଗାଁ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲକ୍ଷାଧିକ ଟଙ୍କା ଲୁଟି ନେଲା ପୋଷ୍ଟମାଷ୍ଟର। ଏପରି ଅଭିଯୋଗ ଆସିଛି ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ। ଆଜି ଶତାଧିକ ଲୋକ ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ଟଙ୍କା ହଡ୍‌ପ କରିଥିବା ପୋଷ୍ଟମାଷ୍ଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Advertisment

ପାଟଣା ବ୍ଲକ୍‌ କଣ୍ଟିଆପଡା ଗାଁରେ ରହିଛି ଗୋଟିଏ ପୋଷ୍ଟ ଅଫିସ୍‌। ସେହି ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର୍ ହେଉଛନ୍ତି ଭୈରବ ନାଏକ। ଗ୍ରାମାଞ୍ଚଳର ଶତାଧିକ ଗରିବ ଓ ଖଟିଖିଆ ବିଭିନ୍ନ ଯୋଜନାରେ ଟଙ୍କା ଜମା କରିବା ପାଇଁ ପୋଷ୍ଟମାଷ୍ଟରଙ୍କୁ ଦେଇଥିଲେ। ହେଲେ ପୋଷ୍ଟମାଷ୍ଟର ଭୈରବ ବାବୁ ଟଙ୍କା ଜମା କରିବା ପରିବର୍ତ୍ତେ ନିଜ ପକେଟରେ ପକାଇ ଦେଉଥିଲେ। ଚାଲାକି କରି ପାସ୍‌ବୁକ୍‌ରେ ଷ୍ଟାମ୍ପ ମାରି ଲୋକଙ୍କୁ ନଦେଇ ପାଖରେ ରଖୁଥିଲେ। ଦୀର୍ଘ ୮ ମାସ ଧରି ପୋଷ୍ଟମାଷ୍ଟର ଏମିତିକା ଖେଳ ଖେଳୁଥିଲେ। ଆଉ ହିତାଧିକାରୀମାନେ ଅନ୍ଧାରରେ ଥିଲେ।

ପୋଷ୍ଟମାଷ୍ଟରଙ୍କ ଏପରି ଚାଲ୍‌ ଗାଁ ଲୋକେ ଜାଣିପାରିଲେ। ବୁଝାବୁଝି କରିବାରୁ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେଉନଥିବା ଜାଣିବାକୁ ପାଇଥିଲେ। ଏହା ପରେ ଗାଁ ଲୋକେ ପୋଷ୍ଟମାଷ୍ଟର୍ ଭୈରବ ନାଏକକୁ ଘେରିବା ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ଜାଣିପାରି ସେ ଚମ୍ପଟ ମାରିଥିଲା। ଗଲା ବେଳେ ସମସ୍ତଙ୍କ ପାସ୍‌ବୁକ ସାଥୀରେ ନେଇଯାଇଛି। ଏବେ ପୋଷ୍ଟ ଅଫିସ୍‌ରେ ତାଲା ପଡ଼ିଛି। ମିଳିଥିବା ସୂଚନା ମୁତାବକ ପୋଷ୍ଟମାଷ୍ଟର୍ ଭୈରବ ନାଏକ ଲକ୍ଷାଧିକ ଟଙ୍କା ହଡପ୍‌ କରିଛି।

Advertisment

ଆଜି ଠକାମୀରେ ଶିକାର ହୋଇଥିବା ଲୋକମାନେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି। ଜମାଟଙ୍କା କିପରି ଫେରିପାଇବା ଓ ଟଙ୍କା ହଡପ୍‌ କରିଥିବା ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଅନୁରୋଧ କରିଛନ୍ତି।

ଜମା ହଡପ୍‌ ନେଇ ପୋଷ୍ଟମାଷ୍ଟର୍ ଭୈରବ ନାଏକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Keonjhar Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe