ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରଗଡା ଗାଁ’ରେ ଏହି ଘଟଣା ଘଟିଛି। ପୁଲିସ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ରଗଡା ଗାଁ’ର ରଥିଆ ସେଠି ତା’ଙ୍କ ସ୍ତ୍ରୀ ସୁଲୋଚନା ସେଠିକୁ ହାଣି ହତ୍ୟା କରିଥିଲେ। ଆଜି ସକାଳେ ରଥିଆ ତେଲକୋଇ ଥାନାରେ ଆତ୍ମସମର୍ପଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ କରୁଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ସେପଟେ ଯୌତୁକ ପାଇଁ ସୁଲୋଚନାକୁ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ ହୋଇଛି। ସୁଲୋଚନାଙ୍କ ଭାଇ ହିମାଂଶୁ ବେହେରା ଅଭିଯୋଗ କରିଛନ୍ତି, ୧୮ ମାସ ତଳେ ସୁଲୋଚନାଙ୍କୁ ରଥିଆ ବିବାହ କରିଥିଲେ। ବିବାହ ପର ଠାରୁ ସୁଲୋଚନାଙ୍କୁ ରଥିଆ ଶାରିରୀକ ନିର୍ଯାତନା ଦେଉଥିଲେ। ଗତ ମାସରେ ରଥିଆଙ୍କ ଦାବି ଆନୁଯାଇ ଏକ ଟିଭି ଦିଆଯାଇଥିଲା। ତଥାପି ଅଧିକ ଜିନିଷ ରଥିଆ ଦାବି କରି ସୁଲୋଚନାକୁ ମାଡ଼ ମାରୁଥିଲେ ବୋଲି ସୁଲୋଚନାଙ୍କ ଭାଇ ଅଭିଯୋଗ କରିଛନ୍ତି।
ତେବେ ପଡୋଶୀ ମାନଙ୍କ କହିବା ଆନୁଯାଇ ସୁଲୋଚନାଙ୍କ କୌଣସି ସନ୍ତାନ ହେଉନଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବହୁ ସମୟରେ ଝଗଡା ଲାଗୁଥିଲା। ଗତକାଲି ସଂନ୍ଧ୍ୟା ସମୟରୁ କୌଣସି କଥାକୁ ନେଇ ରଥିଆଙ୍କ ଘରେ ଝଗଡା ଲାଗିଥିଲା। ରଥିଆଙ୍କ ବାପା ସିରିଆ ସେଠି ଓ ମା’ ମଣ୍ଡେଇ ସେଠି ସଂନ୍ଧ୍ୟା ବେଳେ ଝଗଡା ସମୟରେ ଥିଲେ। ରାତିରେ ଖାଇ ପିଇ ସାରି ବାପା, ମା’ ଅନ୍ୟ ଏକ ଘରକୁ ଶୋଇବାକୁ ଯାଇଥିଲେ। ଆଜି ସକାଳୁ ସୁଲୋଚନାଙ୍କୁ ରଥିଆ ହାଣି ହତ୍ୟା କରିଥିବା ଜଣାପଡିଥିଲା।
ସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ତଦନ୍ତ ଚାଲୁଛି। ତଦନ୍ତ ସରିବା ପରେ ପ୍ରକୃତ ଘଟଣା ଜଣାପଡିବ।
ରିପୋର୍ଟ ତେଲକୋଇରୁ ଚିନ୍ମୟ କୁମାର ସାହୁ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।